ଦଶନ୍ଧିର ୧୫୦୦ କୋଟି କ୍ଲବ୍ରେ ସୋନାକ୍ଷୀ
ଶତ୍ରୁଘ୍ନ ତନୟା ସୋନାକ୍ଷୀ ସିହ୍ନାଙ୍କୁ ମିଛରେ ସୁନାନାକୀ ବୋଲି କୁହାଯାଏନି। ଏକାଧିକ ସୁପରହିଟ୍ ଫିଲ୍ମର ନାୟିକା ସାଜିଥିବା ସୋନାକ୍ଷୀଙ୍କ କୀର୍ତ୍ତିମାନରୁ ଏହା ସ୍ପଷ୍ଟ ହେଉଛି। ୨୦୧୦ରେ ସୋନାକ୍ଷୀ ବଲିଉଡରେ ପାଦ ଥାପିଥିବା ବେଳେ ଚଳିତ ଦଶନ୍ଧିର ୧୫୦୦ କୋଟି କ୍ଲବରେ ନିଜକୁ ସାମିଲ କରିବାରେ ସେ ବଲିଉଡର ପ୍ରଥମ ଅଭିନେତ୍ରୀ ହୋଇପାରିଛନ୍ତି। ତାଙ୍କ ଅଭିନୀତ ସୁପରହିଟ ଫିଲ୍ମଗୁଡ଼ିକ ମଧ୍ୟରେ ଦବଙ୍ଗ ସିରିଜ, ମିଶନ ମଙ୍ଗଲ, ରାଓଡି ରାଠୋର, ସନ ଅଫ ସର୍ଦ୍ଦାର ଓ ହଲିଡେ ଆଦି ରହିଛି।
ମିଳିଥବା ‘ବଲିଉଡ ଲାଇଫ’ର ରିପୋର୍ଟ ଅନୁଯାୟୀ ସୋନାକ୍ଷୀଙ୍କ ପ୍ରଥମ ୫ଟି ଫିଲ୍ମ ମଧ୍ୟରୁ ୪ଟି ୧୦୦ କୋଟି କ୍ଲବରେ ସାମିଲ ହୋଇଥିଲା। ଏଭଳି କରିବାରେ ସେ ବଲିଉଡର ୩ ଅଭିନତ୍ରେୀଙ୍କ ମଧ୍ୟରେ ଅନ୍ୟତମ ହୋଇଥିବାବେଳେ ୨୦୧୦ରେ ଡେବ୍ୟୁ କରିବା ପରେ ଏ ଦିଗରେ ସେ ପ୍ରଥମ ଅଭିନେତ୍ରୀ ହୋଇଛନ୍ତି। ତାଙ୍କ ଅଭିନତୀ ଦବଙ୍ଗ (୨୦୧୦) ୧୪୧.୨୫ କୋଟି ଟଙ୍କା, ରାଓଡି ରାଠୋର (୨୦୧୨) ୧୩୩.୨୫କୋଟି, ସନ ଅଫ ସର୍ଦ୍ଦାର (୨୦୧୨) ୧୦୫.୦୩ କୋଟି, ଦବଙ୍ଗ ୨ (୨୦୧୨) ୧୫୫ କୋଟି, ହଲିଡେ (୨୦୧୪) ୧୧୨.୪୫ କୋଟି, ଇତେଫାକ (୨୦୧୭) ୩୦.୧୯ କୋଟି, ଦବଙ୍ଗ ୩ (୨୦୧୯) ୨୩୦.୯୩ କୋଟି ଏବଂ ମିଶନ ମଙ୍ଗଲ (୨୦୧୯) ୨୦୮.୦୫ କୋଟି ଟଙ୍କାର ବ୍ୟବସାୟ କରିପାରିଛି। ଏହା ଆଧାରରେ ସୁନାନାକୀ ସୋନାକ୍ଷୀ ୧୫୦୦ କୋଟି କ୍ଲବରେ ନିଜକୁ ସାମିଲ କରି ଚଳିତ ଦଶନ୍ଧିର ପ୍ରଥମ ବଲିଉଡ୍ ଅଭିନେତ୍ରୀ ହୋଇପାରିଛନ୍ତି।
ଏଭଳି କୀର୍ତ୍ତିମାନ ପରେ ଗୁରୁବାର ଟ୍ବିଟ କରି ସୋନାକ୍ଷୀ କହିଛନ୍ତି ଯେ ଏଥିପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ପୂର୍ବ ତୁଳନାରେ ନିଜ ଅଭିନୟ ଦକ୍ଷତାକୁ ଅଧକ ଶାଣିତ କରିବା ପାଇଁ ସେ ଦିନ ରାତି ଏକ କରିଦେଇଛନ୍ତି। କଠିନ ପରିଶ୍ରମକୁ ଲୋକ ସମ୍ପର୍କ ତୁଳନାରେ ଅଧିକ ଗୁରୁତ୍ବ ଦେଇଛନ୍ତି। ପ୍ରତିକୂଳ ପରିସ୍ଥିତିରେ ବି ତାଙ୍କ କାନ୍ଧ ଉପରେ ମୁଣ୍ଡ ସଠିକ୍ ସ୍ଥାନରେ ରହିଛି। ଲୋକଙ୍କ ଭଲପାଇବା ତାଙ୍କ ପ୍ରତି ଆଶୀର୍ବାଦ ସଦୃଶ ହୋଇଛି। ସୁପାରିସ କିମ୍ବା ପୁରସ୍କାରକୁ ଗୁରୁତ୍ବ ନ ଦେଇ ଅଭିନୟ ଓ ଦକ୍ଷତା ଉପରେ ସେ ଦୃଷ୍ଟି ନିବଦ୍ଧ କରିଥିବାରୁ ଆଜି ଏପରି ସଫଳତା ତାଙ୍କ ହାତ ଲାଗିଥିବା ସେ କହିଛନ୍ତି। ଏଥିପାଇଁ ସେ ତାଙ୍କ ପିତାମାତା ଓ ଦର୍ଶକଙ୍କୁ ଧନ୍ୟବାଦ ଦେବାକୁ ମଧ୍ୟ ଭୁଲି ନାହାନ୍ତି। ଯେଉଁଭଳି ଭାବେ ଦବଙ୍ଗ ନାମରେ ସଲମାନ ଖାନ ବଲିଉଡରେ ପରିଚିତ, ଠିକ୍ ସେହିଭଳି ରଜ୍ଜୋ ନାମରେ ସୋନାକ୍ଷୀ ମଧ୍ୟ ବଲିଉଡ୍ରେ ବେଶ୍ ଜଣାଶୁଣା। ଦବଙ୍ଗ ସିରିଜ୍ର ୩ଟିଯାକ ଫିଲ୍ମରେ ସେ ସଲମାନଙ୍କ ସହ ଅଭିନୟ କରି ଢେର ପ୍ରଶଂସା ସାଉଁଟିଛନ୍ତି। ଏଥିସହ ଏହି ଫିଲ୍ମ ଗୁଡ଼ିକ ମଧ୍ୟ ବ୍ୟବସାୟିକ ସଫଳତା ପାଇଛି। ଅବଶ୍ୟ ଲୁଟେରା ଫିଲ୍ମରେ ମଧ୍ୟ ସୋନାକ୍ଷୀଙ୍କ କାମକୁ ବେଶ୍ ପ୍ରଶଂସା କରାଯାଇଥିଲା।


