ଲିଙ୍ଗରାଜ ମନ୍ଦିରରେ ପାନପିକ ମନା
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପାନପିକ ନ ପକାଇବା ନିୟମ ଏଣିକି କଡ଼ାକଡ଼ି ପାଳନ କରାଯିବ । ମହାଶିବରାତ୍ରି ଉପଲକ୍ଷେ ଶୁକ୍ରବାର ଅନୁଷ୍ଠିତ ସମନ୍ୱୟ ବୈଠକରେ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସୀତାଂଶୁ କୁମାର ରାଉତ ଏଭଳି ନିଦେ୍ର୍ଧଶ ଦେଇଛନ୍ତି । ସୂଚନା ଅନୁଯାୟୀ, ଶ୍ରୀଲିଙ୍ଗରାଜ ମନ୍ଦିରରେ ପାନପିକ ନ ପକାଇବା ପାଇଁ ନିୟମ ଗତ ଜାନୁଆରି ୧୫ ତାରିଖରୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା । କୌଣସି ଭକ୍ତ କିମ୍ବା ସେବାୟତ ପାନ ଖାଇ ପିକ ମନ୍ଦିର ପରିସରରେ ପକାଇ ପାରିବେ ନାହିଁ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ମନ୍ଦିରରେ ନୋଟିସ ଲଗାଇଥିଲେ । ସେହିପରି ମନ୍ଦିରରେ ପାନ ଖାଇଲେ ୧ ଶହ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ଦେବାତ୍ତର ବିଭାଗ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଥିଲା । କିନ୍ତୁ ଏହି ଘୋଷଣାକୁ ତିନି ସପ୍ତାହ ବିତିଯାଇଥିଲେ ହେଁ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ପାରିନାହିଁ । ଗତ ୬ ତାରିଖରେ ମନ୍ଦିରରେ ବହୁ ପରିମାଣରେ ପାନପିକ ପଡ଼ିଥିବା ଦେଖି ଜିଲ୍ଲାପାଳ ଶ୍ରୀ ରାଉତ ଉଦବେଗ ପ୍ରକାଶ କରିଥିଲେ । ଆଗକୁ ମହାଶିବରାତ୍ରି ଉପଲକ୍ଷେ ମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିବ । ତେଣୁ ମନ୍ଦିର ପରିସରରେ ଯେପରି ପାନପିକ ନ ପଡ଼ିବ, ସେଥିପାଇଁ ନିୟମ କଡ଼ାକଡ଼ି ପାଳନ କରିବାକୁ ସେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


