‘ଛଲାଙ୍ଗ’ ମାରିବେ ରାଜକୁମାର

ବଲିଉଡ୍‌ରେ ଆଜିକାଲି ରାଜକୁମାର ରାଓଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଫିଲ୍ମରେ ନିଜ ଅଭିନୟ ଜରିଆରେ ସେ ପ୍ରଶଂସକଙ୍କ ହୃଦୟ ଜିତିବାରେ ସଫଳ ହୋଇଥାନ୍ତି। ପ୍ରଶଂସକଙ୍କ ହୃଦୟରେ ତାଙ୍କ ପାଇଁ ଭିନ୍ନ ଏକ ସ୍ଥାନ ସୃଷ୍ଟି କରିଥିବା ରାଜକୁମାର ଆଜିକାଲି ସମସ୍ତ ନିର୍ମାତା ଓ ନିର୍ଦେଶକଙ୍କ ପସନ୍ଦର ଅଭିନେତା ପାଲଟିଛନ୍ତି। ଏହି କାରଣରୁ ତାଙ୍କ ପାଖରେ ଫିଲ୍ମର ଲମ୍ବା ଲାଇନ୍‌ ରହିଛି। ଏବେ ରାଜକୁମାର ନିଜ ପସନ୍ଦର ନିର୍ଦ୍ଦେଶକ ହଂସଲ ମେହେତାଙ୍କ ସହିତ ପୁଣିଥରେ କାମ କରିବାକୁ ଯାଉଛନ୍ତି। ଫିଲ୍ମର ନାମ ‘ଛଲାଙ୍ଗ’ ଓ ଏଥିରେ ରାଜକୁମାର ଜଣେ ପିଟି ଟିଚର ଭୂମିକାରେ ଅଭିନୟ କରୁଛନ୍ତି।
ଶାହିଦ, ସିଟି ଲାଇଟସ୍‌, ଅଲିଗଡ଼, ଓମର୍ତ୍ତା ସିନେମା ପରେ ହଂସଲ ଓ ରାଜକୁମାରଙ୍କ ଏହା ହେଉଛି ପଞ୍ଚମ ଫିଲ୍ମ। ଦର୍ଶକ ଏହି ଫିଲ୍ମକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ‘ଛଲାଙ୍ଗ’ ଏକ ସୋସାଲ କମେଡି ଫିଲ୍ମ ଅଟେ। ଏହି ସିନେମାର ବେଶ୍‌ ଚର୍ଚ୍ଚା ହେବାରେ ଲାଗିଛି। ଉତ୍ତମ ଫିଲ୍ମ ନିର୍ମାଣ କରିବାରେ ହଂସଲ ମେହତାଙ୍କ ଖୁବ୍‌ ଜଣାଶୁଣା। କଣ୍ଟେଣ୍ଟକୁ ଅଧିକ ମହତ୍ତ୍ବ ଦେଉଥିବା ହଂସଲ ଏଥର ରାଜକୁମାରଙ୍କ ସହିତ ‘ଛଲାଙ୍ଗ’ ମାରିବାକୁ ପ୍ରସ୍ତୁତ ହେଉଛନ୍ତି। ହରିୟାଣାରେ ଫିଲ୍ମର ଶୁଟିଂ ସେଟ୍‌ ନିର୍ମାଣ କରି ଶୁଟିଂ ଚାଲିଛି। ରଜକୁମାର ମଧ୍ୟ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମ ଦର୍ଶକଙ୍କୁ ବହୁତ ପସନ୍ଦ ଆସିବ ବୋଲି କୁହାଯାଉଛି।
ଏହି ଫିଲ୍ମରେ ରାଜକୁମାରଙ୍କ ବିପକ୍ଷରେ ‘ପ୍ୟାର୍‌ କା ପଞ୍ଚନାମା’ ଫେମ୍‌ ନୁସରତ ଭରୁଚା ଅଭିନୟ କରିବାକୁ ଯାଉଛନ୍ତି। ‘ଛଲାଙ୍ଗ’ରେ ନିଜ ଚରିତ୍ର ସମ୍ପର୍କରେ ରାଜକୁମାର କହିଛନ୍ତି ଯେ ସ୍କୁଲ୍‌ ସମୟରେ ସେ ଖେଳକୁଦରେ ବହୁତ ଭଲ ଥିଲେ। ସେ ସ୍ପୋର୍ଟସ୍‌ରେ କ୍ୟାରିଅର କରନ୍ତୁ ବୋଲି ତାଙ୍କ ପିଟି ଟିଚର ଚାହୁଥିଲେ। ସୂଚନାଯୋଗ୍ୟ ଯେ ଫିଲ୍ମରେ ରାଜକୁମାର ସ୍ପୋର୍ଟସ୍‌କୁ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳୁଛି। ସ୍କୁଲ୍‌ ସିଲାବସ୍‌ରେ ଖେଳକୁଦ ସାମିଲ୍‌ ହେଉ ବୋଲି ପିଟି ଟିଚର ଭାବେ ରାଜକୁମାର ଚାହୁଛନ୍ତି। ଏଥିପାଇଁ ସେ ବହୁତ ଖୁସି ଅଛନ୍ତି ବୋଲି ରାଜକୁମାର କହିଛନ୍ତି। ଏହି ସିନେମା ୧୩ ମାର୍ଚ୍ଚରେ ରିଲିଜ୍‌ ହେବାକୁ ଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ