ଗଜପତିରେ ୪୪ତମ ଜିଲା ପରିଷଦ ବୈଠକ, ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ-ଏମ୍‌ପି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଜିଲା ପରିଷଦ ସମ୍ମିଳନୀ କକ୍ଷରେ ୪୪ତମ ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ଅଧ୍ୟକ୍ଷା ଅନୀତା ରାଣୀ ବେହେରା ଅଧ୍ୟକ୍ଷତା କରିଥିବାବେଳେ ଏହି ବୈଠକରେ ସମସ୍ତ ଜିଲା ପରିଷଦ ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ । ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ଏହି ଜିଲା ପରିଷଦ ବୈଠକ ଦ୍ୱାରା ବିଭିନ୍ନ ଉନ୍ନୟନ କାର୍ଯ୍ୟ କିପରି ତ୍ୱରାନିତ ହେବ ଏବଂ ଅଧପନ୍ତରିଆଭାବେ ପଡି ରହିଥିବା କାର୍ଯ୍ୟ ଗୁଡିକ ଶେଷ ହୋଇପାରିବ ସେ ଉପରେ ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ । ପରେ ସମସ୍ତ ଜିଲାପରିଷଦ ସଭ୍ୟସଭ୍ୟା ମାନଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ପ୍ରଶ୍ନ କରାଯାଇଥିଲା । ଗୁମ୍ମା ବ୍ଲକର ଏକ ସ୍କୁଲ ସମ୍ମୁଖରେ କିପରି ଭାବେ ଦେଶୀ ମଦ ବିକ୍ରି କରାଯାଉଛି ଏବଂ ଏଥିପ୍ରତି ଅବକାରୀ ବିଭାଗ କାହିଁକି ଦୃଷ୍ଟି ଦେଉନାହିଁ ସେ ବିଷୟରେ ପ୍ରଶ୍ନ ପଚରାଯାଇଥିଲା । ସେହିପରି ଚାଷୀମାନଙ୍କ ପାଇଁ ଉଦ୍ଧିଷ୍ଟ ଅନେକ ପ୍ରଶ୍ନ ପଚରାଯାଇଥିଲା ଯାହାକୁ ସମାଧାନ କରିବାପାଇଁ ଜିଲାପାଳ ଅନୁପମ ସାହା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲା ପ୍ରାଣୀଧନ ବିଭାଗ ଗତ ତିତ୍‌ଲି ବାତ୍ୟା ସମୟରେ ମୃତ୍ୟୁବରଣ କରିଥିବା ସମୟରେ ପଶୁପକ୍ଷୀ ମାନଙ୍କର ସବିଶେଷ ବିବରଣୀ ପ୍ରଦାନ କରନ୍ତୁ ବୋଲି ଜିଲା ପରିଷଦ ସଭ୍ୟମାନେ କହିଥିଲେ । ଅନ୍ୟପକ୍ଷରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି ଇତ୍ୟାଦି ବିଷୟରେ ଦିର୍ଘ ସମୟ ଧରି ଆଲୋଚନା ହୋଇଥିଲା । ସେହିପରି ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହାଡୁଭାଙ୍ଗିରୁ ଗାଇବା ପର୍ଯ୍ୟନ୍ତ ଯେଉଁ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇଛି ତାହା ନିମ୍ନମାନ ବୋଲି ପ୍ରଶ୍ନ ପଚରାଯିବାପରେ ବିଭାଗିୟ ନିର୍ବାହୀଯନ୍ତ୍ରୀ ଏସ୍‌.ନାୟକ ଉକ୍ତ ରାସ୍ତା କାର୍ଯ୍ୟକୁ ପରିଦର୍ଶନରେ ଯାଇ କାର୍ଯ୍ୟର ଅନୁସନ୍ଧାନ କରିବା ସହ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ । ଏହି ଜିଲା ପରିଷଦ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲା ପରିଷଦ ଉପାଧ୍ୟକ୍ଷ ଆର୍‌.ବିଜୟ କୁମାର, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ସି.ଏଚ୍‌.ତାରିକେଶ୍ୱରୀ, କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏସ୍‌. ସିମାଦ୍ରୀ ପ୍ରମୁଖଙ୍କ ସହ ସମସ୍ତ ସଭ୍ୟ ସଭ୍ୟା ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ