ପତ୍ନୀଙ୍କ ପାଇଁ ଅଧିକ ପ୍ରସିଦ୍ଧ ହେଲେ ପାବ୍‌ଲୋ

ପ୍ରତିଭା ସମସ୍ତେ ସାଥିରେ ନେଇ ଜନ୍ମ ହୁଅନ୍ତି। ଶିକ୍ଷା ସେ ପ୍ରତିଭାକୁ ଶାଣିତ କରିଦିଏ, ଆଉ ତାହା ସହ ଯଦି ମିଶେ ବାସ୍ତବ ବୁଦ୍ଧି ଏବଂ ସୁଯୋଗର ସଦ୍‌ବ୍ୟବହାର କରିବାର କ୍ଷମତା, ତା’ହେଲେ ଖ୍ୟାତିର ଶୀର୍ଷରେ ପହଞ୍ଚିବାର ସବୁ ରାସ୍ତା ସହଜ ହୋଇପଡ଼େ। ତାର ଶ୍ରେଷ୍ଠ ଉଦାହରଣ ବିଶ୍ୱପ୍ରସିଦ୍ଧ ଚିତ୍ରଶିଳ୍ପୀ ପାବ୍‌ଲୋ ପିକାସୋ।
ମୁହଁରେ ସୁନାର ଚାମଚ ନେଇ କେହି କେହି ଜନ୍ମ ହୁଅନ୍ତି। ମାତ୍ର ପାବ୍‌ଲୋ ପିକାସୋ ହୁଏତ ତୂଳୀ ନେଇ ଜନ୍ମ ହୋଇଥିଲେ। ତାଙ୍କ ବାପା ଚିତ୍ରକର ଥିଲେ ଏବଂ ଏକ ମ୍ୟୁଜିୟମ୍‌ର କ୍ୟୁରେଟର ତଥା ଫାଇନ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟ ସ୍କୁଲର ଶିକ୍ଷକ ଥିଲେ। ଆଠ ବର୍ଷ ବୟସରେ ପାବ୍‌ଲୋ ଯେତେବେଳେ ନାମୀ ଦାମୀ ଚିତ୍ରଶିଳ୍ପୀମାନଙ୍କୁ ଚ୍ୟାଲେଞ୍ଜ୍ କଲା ଭଳି ଚିତ୍ର ଆଙ୍କିଲେ, ତାଙ୍କ ବାପା ଜୋସେ ରୁଇଜ୍ ଇ ବ୍ଲାଙ୍କୋର ସେତେବେଳେ ପୁଅକୁ ଏକ ପ୍ରସିଦ୍ଧ ଚିତ୍ରଶିଳ୍ପୀ କରିବା ପାଇଁ ସ୍ବପ୍ନ ଦେଖିବାକୁ ଲାଗିଲେ। ସୁବିଧା ଦେଖି ସେ ବାର୍ସେଲୋନା ଚାଲିଆସିଲେ ଏବଂ ସେଇଠି ଏକ ଆର୍ଟ ସ୍କୁଲରେ ଭର୍ତ୍ତି ହେଲେ ପାବ୍‌ଲୋ।
ସ୍ପେନ୍‌ର ବାର୍ସେଲୋନାରେ ଥିବାବେଳେ ପାଖରେ ଥିବା ଏକ କାଫେକୁ ଆଡ୍ଡା ମାରିବାକୁ ଆସୁଥିଲେ ପାବ୍‌ଲୋ। ସେଠାକୁ ଆସୁଥିବା ବିଖ୍ୟାତ ଶିଳ୍ପୀ ଏବଂ ଆର୍ଟ ଡିଲରମାନଙ୍କ ସହ ବସାଉଠା ପାବ୍‌ଲୋଙ୍କ ଶିଳ୍ପୀ ଜୀବନକୁ ଖୁବ୍ ପ୍ରଭାବିତ କଲା। ବାର୍ସେଲୋନାରେ ପାବ୍‌ଲୋଙ୍କର ପ୍ରଥମ ଥର ପାଇଁ ଏକକ ଚିତ୍ର ପ୍ରଦର୍ଶନୀ ହେଲା ୧୯୦୦ ମସିହାରେ, ଯେତେବେଳେ ତାଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲା। କୁହାଯାଇପାରେ ପାବ୍‌ଲୋଙ୍କୁ ଏଇ କାଫେ ହିଁ ଜନ୍ମଦେଇଛି। ଏହାପରେ ପାବ୍‌ଲୋ ଚିନ୍ତାକଲେ, ଅର୍ଥ ଓ ସମ୍ମାନ ପାଇଁ କଳାକ୍ଷେତ୍ର ପ୍ୟାରିସ୍ ହିଁ ଶ୍ରେଷ୍ଠ ସ୍ଥାନ। ସଠିକ୍ ସମୟରେ ସଠିକ୍‌ ନିଷ୍ପତ୍ତି ନେବାର କ୍ଷମତା ପାବ୍‌ଲୋଙ୍କର ଥିଲା। ତେଣୁ ସେ ପ୍ୟାରିସ୍ ଆସିଲେ ଏବଂ ତାଙ୍କ ପଛେ ପଛେ ଲାଗି ରହିଲା ନାଁ-ଯଶ-ଅର୍ଥ।
୧୯୧୮ରେ ରୁଷିଆର ବାଲେ ନର୍ତ୍ତକୀ ଓଲଗା ଖକ୍ଲୋଭାଙ୍କୁ ବିବାହ କଲେ ପାବ୍‌ଲୋ। ପାବ୍‌ଲୋଙ୍କର ପ୍ରସିଦ୍ଧି ଆସିବା ପଛରେ ପତ୍ନୀ ଓଲଗାଙ୍କର ଅନେକ ଅବଦାନ ରହିଛି। ସେ ହିଁ ପ୍ୟାରିସ୍‌ରେ ଥିବା କଳାପ୍ରେମୀ ଉଚ୍ଚବର୍ଗର ଲୋକଙ୍କ ସହ ପାବ୍‌ଲୋଙ୍କର ପରିଚୟ କରାଇ ଦେଇଥିଲେ। ଯାହାଫଳରେ ପରିଷ୍କାର ହୋଇଯାଇଥିଲା ଖ୍ୟାତି ଓ ଅର୍ଥଲାଭର ରାସ୍ତା।
କେହି କେହି କହନ୍ତି, ଦୁଃଖ-ଦାରିଦ୍ର୍ୟ ସହ ନ ଲଢ଼ି କେହି ଜଣେ ଭଲ ଶିଳ୍ପୀ ହୋଇପାରେନା। କିନ୍ତୁ ପାବ୍‌ଲୋ ପିକାସୋଙ୍କ କ୍ଷେତ୍ରରେ ଏଇ ଆପ୍ତବାକ୍ୟର ବ୍ୟତିକ୍ରମ ଘଟିଛି। ପ୍ରାରମ୍ଭିକ ସମୟରେ ପିତାଙ୍କ ହାତ ଧରି ଚାଲିଥିଲେ ମଧ୍ୟ ପରେ ନିଜ ରାସ୍ତା ନିଜେ ବାଛି ନେଇଥିଲେ ପାବ୍‌ଲୋ। ପାବ୍‌ଲୋଙ୍କ ଶିଳ୍ପୀ ଜୀବନକୁ କେତୋଟି ପିରିୟଡରେ ଭାଗ କରାଯାଇଛି। ଯେମିତି ବ୍ଲୁ ପିରିୟଡ୍, ରୋଜ୍ ପିରିୟଡ୍, ଆଫ୍ରିକାନ୍ ଇନ୍‌ଫ୍ଲୁଏନ୍ସ ପିରିୟଡ୍, ଆନାଲିଟିକ୍ କ୍ୟୁବିଜମ୍ ଏବଂ ସିନ୍ଥେଟିକ୍ କ୍ୟୁବିଜମ୍ ପିରିୟଡ୍। ପ୍ରତି ପିରିୟଡ୍‌ରେ ନିଜକୁ ଭାଙ୍ଗି ମକଚି ନୂଆ ଭାବେ ଗଢ଼ିଥିଲେ ଅବ୍‌ଷ୍ଟ୍ରକ୍‌ଶନିଜମ୍‌ର ଜନକ ପାବ୍‌ଲୋ। ଯଦିଓ ଅନେକ ଅଭିଯୋଗ କରନ୍ତି ଯେ ପ୍ରତିଟି ପିରିୟଡ୍‌ରେ ପାବଲୋ ନୂଆ ବୋତଲରେ ପୁରୁଣା ମଦ ହିଁ ପରିବେଷଣ କରନ୍ତି, ମାତ୍ର ସେମିତି କାମ କେତେଜଣ ପାରନ୍ତି, ଯାହା କରିପାରିଥିଲେ ପାବ୍‌ଲୋ ପିକାସୋ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ