ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗତ ଦୁଇ ଦିନ ପୂର୍ବେ ବ୍ରହ୍ମପୁର ସହରର ଗୁରୁଦେବ ନାମକ ଏକ ଘରୋଇ କ୍ଳିନିକ୍‌ରେ ଭୁଲ ଚିକିତ୍ସାରୁ ଜୈନିକା ନବବିବାହିତାଙ୍କ ମୃତ୍ୟୁ ଘଟଣା ମନରୁ ନଲିଭିଣୁ ପୁଣିଥରେ ବୁଧବାର ଚିକିତ୍ସା ଅବହେଳାରୁ ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଗଂଜାମ ଜିଲ୍ଲା ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଦେଖିବାକୁ ମିଳିଛି । ପ୍ରକାଶ ଯେ, ହିଂଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ପଂଚାୟତ ବାଦିଆମ୍ବଗାଁର ଭଗବାନ ମହାନ୍ତିଙ୍କ ସ୍ତ୍ରୀ ଶର୍ମିଷ୍ଟା ମଙ୍ଗଳବାର ପୂର୍ବାହ୍ନରେ ଚିକିତ୍ସା ସକାଶେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଆସିଥିଲେ । ପରୀକ୍ଷା ପରେ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଦର୍ଶାଇ କାର୍ଯ୍ୟରତ ଡ଼ାକ୍ତର ମହିଳାଙ୍କୁ ଘରକୁ ଫେରିଯିବାକୁ ଅନୁମତି ଦେଇଥିଲେ । ବୁଧବାର ଅପରାହ୍ନ ପ୍ରାୟ ୩ ଘଂଟା ସମୟରେ ମହିଳାଙ୍କ ପ୍ରସବ ବେଦନା ହେବାରୁ ଚିକିତ୍ସା ସକାଶେ ଅଟୋ ଯୋଗେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ଅପରାହ୍ନ ପ୍ରାୟ ସାଢେ ୩ଟାରେ ମହିଳା ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ହେଲେ ଶିଶୁଟି ଜନ୍ମ ହେବାର ଅଳ୍ପ ସମୟ ମଧ୍ୟରେ ମୃତ୍ୟୁ ଘଟିଥିଲା । ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ନେଇ ମହିଳା ଓ ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ନବଜାତ ଶିଶୁର ମୃତ୍ୟୁ ପରେ ଡ଼ାକ୍ତରଖାନା ପରିସରରେ କିଛି ସମୟ ପାଇଁ ଉତେଜନା ଦେଖା ଦେଇଥିଲା । କିଛି ଭଦ୍ର ବ୍ୟକ୍ତି ବୁଝାସୁଝା କରିବା ପରେ ଉତେଜନା କମିଥିଲା । ଅନ୍ୟ ପକ୍ଷରେ ଘଟଣା ନେଇ କାର୍ଯ୍ୟରତ ଡ଼ାକ୍ତର ତଥା ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରତିଭା ପାତ୍ରଙ୍କୁ ପଚାରିବାରୁ ସେ କହିଲେ ଚିକିତ୍ସାରେ କୌଣସି ଅବହେଳା କରାଯାଇନାହିଁ । ପ୍ରସ୍ତୁତି ଜଣକ ଡ଼ାକ୍ତରଖାନାରେ ଭର୍ତି ହେବା ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ