ବେଆଇନ ବାଲି ଚୋରି, ରାଜସ୍ୱ ହାନୀ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ନିକଟ ଗୁମ୍ମା ଦେଇ ଯାଇଥିବା ଘୋଡାହାଡ ନଦୀ ବାଲି ପଠାରୁ ସମ୍ପ୍ରତ୍ତି ବେଆଇନ ଭାବେ ବାଲି ଚୋରି ହେଉଥିବା ଅଭିଯୋଗ ହୋଇଛି । ଉକ୍ତ ବାଲି ପଠା ତହସିଲ ପକ୍ଷରୁ ସଇରତ ହୋଇନଥିବା ବେଳେ ସେଠାରୁ ଦୈନିକ ବାଲି ଚୋରି ହେଉଥିବା ଅଭିଯୋଗ ହୋଇଛି । ସମ୍ପ୍ରତ୍ତି ଘୋଡାହାଡ ଡ୍ୟାମ୍ରୁ ଜଳ ଛଡାଯିବା ପରେ ଗୁମ୍ମା ସ୍ଥିତ ନଦୀ ବାଲି ପଠାରେ ବାଲି ଚରିଯାଇଛି । ତେବେ ଏହାର ସୁଯୋଗ ନେଇ କିଛି ବାଲି ମାଫିଆ ଅସାଧୁ ବ୍ୟବସାୟ ଚଳାଇଥିବା ଅଭିଯୋଗ ହୋଇଛି । ସାମୁଦ୍ରିକ ଝଡ ଫଣୀ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଜଳଭଣ୍ଡାରରୁ ପାଣି କେନାଲ ଦ୍ୱାରା ଛଡାଯିବାରୁ ସମ୍ପ୍ରତ୍ତି ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି । ନଦୀ କୂଳରେ ବାଲି ଚରି ରହିଥିବାରୁ ଏହାରି ଉପରେ ବାଲି ମାଫିଆ ମାନଙ୍କର ଲୋଲୁପ ଦୃଷ୍ଟି ପଡିଥିବା ଅଭିଯୋଗ ହୋଇଛି । ବାଲି ମାଫିଆ ମାନେ ସନ୍ଧ୍ୟା ୬ ଘଣ୍ଟରୁ ରାତ୍ର ୯ ଘଣ୍ଟ ଯାଏଁ ଟ୍ରାକ୍ଟର ଦ୍ୱାରା ବାଲି ଚାଲାଣ କରୁଥିବା ବେଳେ ସରକାରଙ୍କର ରାଜସ୍ୱ ହାନୀ ଘଟୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ବେଆଇନ ଭାବେ ଚୋରି କରି ବାଲି ଚାଲାଣ ହେଉଥିବା ବେଳେ ତହସିଲ ପ୍ରଶାସନ ପକ୍ଷରୁ ଚଢାଉ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବାୟୁମଣ୍ଡଳର ତାପମାତ୍ରା ଅଧିକା ରହୁଥିବା ବେଳେ ବିଳମ୍ବିତ ସମୟ ଯାଏଁ ସୂର‌୍ୟ୍ୟାସ୍ତ ହେଉନାହିଁ । ସନ୍ଧ୍ୟାପରେ ଗୁମ୍ମା ସ୍ଥିତ ବିଲା ପଠାରେ ଶତାଧିକ ଟ୍ରାକ୍ଟରରେ ନଦୀ କୂଳରୁ ବାଲି ବାହାର କରାଯାଇ ଅନ୍ୟତ୍ର ଚାଲାଣ କରୁଥିବା ବେଳେ ସରକାରଙ୍କ ଠାରୁ ଲିଜ୍ ସୂତ୍ରରେ ସଇରତ ନେଇଥିବା ବ୍ୟବସାୟୀ ମାନଙ୍କ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ଜଣାପଡିଛି । ସରକାରଙ୍କ ଠାରୁ ଆବଶ୍ୟକ ସମସ୍ତ କାଗଜାତ ଦାଖଲ ଓ ଫିଜ୍ ବାନ୍ଧି ବାଲି ଉତ୍ତୋଳନ ପାଇଁ ଅନୁମତି ଆଣୁଥିବା ବେଳେ ଅସାଧୁ ବ୍ୟବସାୟୀ ମାନଙ୍କ ପାଇଁ ସେମାନଙ୍କୁ କ୍ଷତି ସହିବାକୁ ପଡୁଥିବା ଚର୍ଚ୍ଚା ହେଉଛି । ଏନେଇ ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ ରାଉତରାୟଙ୍କୁ ପଚରାଯିବାରେ କହିଛନ୍ତି ଯେ, ବିଧିବଦ୍ଧ ତଦନ୍ତ କରି ତଦନୁଯାୟୀ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ । ଅନ୍ୟପକ୍ଷରେ କ୍ରମାଗତ ଭାବେ ଗତ ଏକ ସପ୍ତାହରୁ ଉଦ୍ଧ୍ୱର୍ ଦିନ ହେଲା ଉକ୍ତ ନଦୀ ପଠାରୁ ବାଲି ଉତ୍ତୋଳନ କରାଯିବା ପରେ ସେଠାରେ କୂଳ ଖାଇଯିବା ପରିସ୍ଥିତି ଦେଖାଦେଇଥିବା ବେଳେ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ