“ବାଲେଶ୍ୱରରେ ସର୍ବାଧିକ ଯୌନ କର୍ମୀ : ମନ୍ତ୍ରୀଙ୍କ ତଥ୍ୟର ଦୃଢ଼ ପ୍ରତିବାଦ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ଚଳିତ ବିଧାନସଭା ଅଧିବେଶନରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ବାଲେଶ୍ୱର ଜିଲ୍ଲାରେ ରାଜ୍ୟର ସର୍ବାଧିକ ଯୌନକର୍ମୀ ଥିବା କଥା କହିଛନ୍ତି । ମାନ୍ୟବର ମନ୍ତ୍ରୀଙ୍କ ଏହି ବୟାନକୁ ଦୃଢ଼ ପ୍ରତିବାଦ କରି ଏହା ସଂପୂର୍ଣ୍ଣ ମିଥ୍ୟା, କପୋଳ କଳ୍ପିତ, ଆଧାର ହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସି.ପି.ଆଇର ବାଲେଶ୍ୱର ଜିଲ୍ଲା ସଂପାଦକ ନିରଞ୍ଜନ ବାରିକ, ସହସଂପାଦକ ଭାଗବତ ପ୍ରତିହାରି ଓ ଅନାମି ପ୍ରସାଦ ବାରିକ ଏକ ମିଳିତ ପ୍ରେସ ବିବୃତିରେ ଜଣାଇଛନ୍ତି । ଶିକ୍ଷା, ସଂସ୍କୃତି ଓ ଐତିହ୍ୟ ସଂପନ୍ନ ଏକ ଜିଲ୍ଲା ସଂପର୍କରେ ଯେ କୌଣସି ତଥ୍ୟ ମାନ୍ୟବର ମନ୍ତ୍ରୀମାନେ ବିଧାନସଭାରେ ଉପସ୍ଥିତ କରିବା ପୂର୍ବରୁ ସଂଗୃହିତ ତଥ୍ୟର ସତ୍ୟତା, ବାସ୍ତବତା ଓ ଆଧାରକୁ ସଂପୂର୍ଣ୍ଣ ଭାବେ ଅନୁଶୀଳନ କରି ଏହିଭଳି ସମ୍ବେଦନଶୀଳ ଘଟଣାମାନଙ୍କର ମତାମତ ଦେବା ଉଚିତ । ଏହି ଘଟଣାରେ ବାଲେଶ୍ୱରର ସମସ୍ତ ଜନସାଧାରଣ ଅତ୍ୟନ୍ତ ମର୍ମାହତ ଓ ବ୍ୟଥିତ । ତେଣୁ ଜିଲ୍ଲାର ସମସ୍ତ ମହିଳା ସଂଗଠନ, ସାମାଜିକ, ସାଂସ୍କୃତିକ ଓ ଗଣ ସଂଗଠନମାନେ ଏହାର ଦୃଢ ପ୍ରତିବାଦ କରିବାକୁ ପାର୍ଟି ତରଫରୁ ଆହ୍ୱାନ ଦିଆଯାଇଛି ଓ ମାନ୍ୟବର ମନ୍ତ୍ରୀ ଏହି ପ୍ରଦତ୍ତ ତଥ୍ୟ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି ।


