୫୧ରେ ବି ଝଟକୁଛନ୍ତି ଭାଗ୍ୟଶ୍ରୀ
ନବେ ଦଶକର ବ୍କକବଷ୍ଟର ସିନେମା ‘ମୈନେ ପ୍ୟାର କିୟା’ର ସୁନ୍ଦରୀ ଅଭିନେତ୍ରୀ ଭାଗ୍ୟଶ୍ରୀ ୫୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହା ସତ୍ତ୍ବେ ସେ ତାଙ୍କ ବୟସକୁ ବହୁ ପଛରେ ଛାଡ଼ିଯାଇଛନ୍ତି। କାରଣ ତାଙ୍କ ଫିଟ୍ନେସ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ୫୦ ପାର କରିଥିଲେ ବି ଏବର ଅଭିନେତ୍ରୀମାନଙ୍କୁ ସେ ତାଙ୍କ ଫିଟ୍ନେସରେ କଡ଼ା ଟକ୍କର ଦେଉଛନ୍ତି। ଏଥିପାଇଁ ସେ ଯଥାସମ୍ଭବ ପ୍ରୟାସ କରି ଇଣ୍ଟରନେଟ୍ରେ ଛାଇହୋଇ ରହିଛନ୍ତି। ସେ ତାଙ୍କ ବ୍ୟାୟାମରେ ଯୋଗ, ଭାରୋତ୍ତୋଳନ ଓ ଶକ୍ତି ସଞ୍ଚୟକାରୀ ବ୍ୟାୟାମ ସବୁ କରୁଛନ୍ତି। ଫଳରେ ତାଙ୍କ ଫିଗର ପୂର୍ବବତ୍ ଆକର୍ଷଣୀୟ ରହିଛି।
‘ମୈନେ ପ୍ୟାର କିୟା’ର ଅପାର ସଫଳତା ପରେ ଭାଗ୍ୟଶ୍ରୀଙ୍କ କ୍ୟାରିଅର ନେଇ ବହୁ ଚର୍ଚ୍ଚା ହେଉଥିବା ବେଳେ ସେ ତାଙ୍କ ପୁରୁଷ ବନ୍ଧୁ ହିମାଳୟଙ୍କୁ ବିବାହ କରି ବଲିଉଡ ଠାରୁ ଦୂରେଇ ଯାଇଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ କେତେକ ସିନେମାରେ ତାଙ୍କୁ ହିମାଳୟଙ୍କ ସହ ଦେଖିବାକୁ ମିଳିଥିଲା, ଯାହାକି ସେତେଟା ସଫଳ ହୋଇ ନ ଥିଲା। ବହୁବର୍ଷ ପରେ ପୁଣି ତାଙ୍କ ଫିଟ୍ନେସକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ଏଥିସହ ପୁଣିଥରେ ଅଭିନୟ ଦୁନିଆକୁ ଭାଗ୍ୟଶ୍ରୀ ପାଦ ବଢ଼ାଇଥିବା ଶୁଣିବାକୁ ମିଳୁଛି। ‘ବାହୁବଳୀ’ ଫେମ ପ୍ରଭାସଙ୍କ ଆଗାମୀ ସିନେମାରେ ଭାଗ୍ୟଶ୍ରୀ ତାଙ୍କ ମାଆ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି। ତେବେ ପୂର୍ବବତ ଭାଗ୍ୟଶ୍ରୀ ତାଙ୍କ ଅଭିନୟର ଯାଦୁ ବଜାୟ ରଖିବେ କି ନାହିଁ, ତାହା ସମୟ କହିବ।