ନିଲାମ ପ୍ରକ୍ରିୟାରେ ଖଣି ଚାଲିଯିବା ପରେ ସ୍କୁଲ୍ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରରେ
ଯୋଡ଼ା (ଯୁଗାଦ୍ଦ) : କେନ୍ଦୁଝର ଜିଲା ଯୋଡା ବ୍ଲକ ଜଲହରୀ ଗ୍ରାମ ପନ୍ଚାୟତର ଜୁରୁଡିସ୍ଥିତ ଏସେଲ୍ ଖଣି କାର୍ଯ୍ୟାଳୟ ହତାରେ ଥିବା ଡିଏଭି ପବ୍ଲିକ ସ୍କୁଲ ଆଗାମୀ ଦିନରେ ବନ୍ଦ ହେବା ଆଶଙ୍କାରେ ଛାତ୍ରୀଛାତ୍ର ଙ୍କ ଭବିଷ୍ୟତ ଅନ୍ଧକାର ହେବା ନେଇ ଅଭିଭାବକ ମହଲରେ ଆଶଙ୍କା ଦେଖାଦେଛି । ଏହି ସ୍କୁଲକୁ ସ୍ଥାନୀୟ ଏସେଲ ଖଣି କମ୍ପାନୀ ପରିଚାଳନା କରୁଥିବାରୁ ରାଜ୍ୟ ସରକାରଙ୍କ ଦ୍ୱାରା ଖଣି ନିଲାମ ପ୍ରକ୍ରିୟାରେ କମ୍ପାନୀ ପୁନଃ ଖଣି ପାଇବାରେ ଅସମର୍ଥ ହୋଇଛି । ଏଣୁ ଏହି ସ୍କୁଲର ପରିଚାଳନା ଉପରେ ସନ୍ଦେହ ସୃଷ୍ଟି ହୋଇଛି । କମ୍ପାନୀ ପକ୍ଷରୁ ସମସ୍ତ ଖଣି ଶ୍ରମିକ ଓ କର୍ମଚାରୀଙ୍କୁ ମଧ୍ୟ ଛଟେଇ ନୋଟିସ ଜାରି କରାଯାଇଛି । ଆସନ୍ତା ମାର୍ଚ୍ଚ ମାସ ୨୦୨୦ରେ ଖଣି ବନ୍ଦ ହେଉଥିବାରୁ ଏହି ସ୍କୁଲ୍ ର ପରିଚାଳନା ଦାୟିତ୍ୱ କିଏ ନେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ନିଲାମ ପ୍ରକ୍ରିୟାରେ ନୂତନ ଭାବେ ଲିଜ୍ ପାଇଥିବା ଖଣି ଲିଜ୍ଧାରୀ ଉକ୍ତ ସ୍କୁଲର ପରିଚାଳନା କରିବାର କୌଣସି ପ୍ରକାର ସର୍ତ ରହିନାହିଁ । ଏନେଇ ବୁଧବାର ଅଭିଭାବକମାନେ ଖବରଦାତାଙ୍କ ଆଗରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସ୍ଥାନୀୟ ଅଭିଭାବକ ଏସ୍.କେ ମହାପାତ୍ର, ମନୋଜ ପ୍ରଧାନ, ଚିତ ରଂଜନ ମହାନ୍ତି , ମାନସ ରଂଜନ ମହାପାତ୍ର, ପୁରୋଷୋତମ ପୋଦ୍ଦାର, ହ୍ରିତିକ୍ କୁମାର ବର୍ମା, ସୁବ୍ରତ ମହାଳିକ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ସ୍କୁଲଟି ଏସେଲ୍ ଖଣି କମ୍ପାନୀର ପରିଚାଳନା ଦାୟିତ୍ୱରେ ୨୦୧୩ ମସିହା ଏପ୍ରିଲ ମାସ ପହିଲାରୁ ଆରମ୍ଭ ହୋଇଥିଲା । ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ଇଂଲିଶ ମିଡିୟମ ସ୍କୁଲରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି । ଡିଏଭି ପବ୍ଲିକ ସ୍କୁଲ ଓ ଏସେଲ୍ ଖଣି କମ୍ପାନୀ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୀର୍ଘ ୭ ବର୍ଷ ହେବ ଏହି ସ୍କୁଲ୍ ଟି ଚାଲିଆସୁଅଛି । ଏହି ସ୍କୁଲ ଉପରେ ବ୍ଲକର ୬ ଟି ଗ୍ରାମ ପନଚାୟତ ଯଥା- ଜଲହରୀ, ଜୁରୁଡି, ଜଜାଙ୍ଗ, ବଡଦା, ପଳସା ଓ କାଳିମାଟିର ଛାତ୍ରୀଛାତ୍ର ନିର୍ଭର କରନ୍ତି । ସ୍ଥାନୀୟ ଆଦିବାସୀ ବହୁଳ ଅଂଚଳ ତଥା ସାଧାରଣ ଲୋକଙ୍କ ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟ ରଖାଯାଇ ଏହି ସ୍କୁଲଟି ଆରମ୍ଭ ହୋଇଥିଲା । ମାତ୍ର ଗତ ତା ୨୫/୦୯/୨୦୧୮ ରଖରେ ଏସେଲ୍ ଖଣି କର୍ତୁପକ୍ଷ ନିଜର ଲିଜ ଅବଧି ୨୦୨୦ ମାର୍ଚ୍ଚ ମାସରେ ଶେଷ ହୋଇଯାଉଥିବା ଦର୍ଶାଇ ଡିଏଭି ସ୍କୁଲ କର୍ତୁପକ୍ଷଙ୍କୁ ଏକ ନୋଟିସ କରିଥିଲେ । ଏହି ନୋଟିସରେ ୨୦୧୯ ମାର୍ଚ୍ଚ ମାସ ପରେ ନୂତନ ଛାତ୍ରୀଛାତ୍ର ନାମଲେଖା ବାରଣ କରିବାକୁ ଏବଂ ଲିଜ ଅବଧି ଶେଷ ହେବାକୁ ଯାଉଥିବାରୁ ଅଧ୍ୟୟନରତ ଛାତ୍ରୀଛାତ୍ରମାନଙ୍କ ପାଇଁ ଅନ୍ୟ ବ୍ୟବସ୍ଥା ଗ୍ରହଣ କରିବାକୁ ସ୍କୁଲ କର୍ତୁପକ୍ଷ ଙ୍କୁ ଏସେଲ କମ୍ପାନୀ ପକ୍ଷରୁ ଜଣାଯାଇଥିବା ସେମାନେ କହିଥିଲେ । ତେବେ ସ୍କୁଲ ବନ୍ଦ ହେବା ଆଶଙ୍କାରେ ଅଭିଭାବକ ମାନେ ଚିନ୍ତାରେ ପଡିଥିବା ସେମାନେ ପ୍ରକାଶ କରିଛନ୍ତି । ଏହି ସ୍କୁଲଟି ବନ୍ଦ ହେଲେ ଏଠାରେ ଅନ୍ୟ କୌଣସି ଇଂଲିଶ ମିଡିୟମ ସ୍କୁଲ ନାହିଁ । ଏଠାରୁ ଦୀର୍ଘ ୧୨ କି.ମି. ଦୂର ଯୋଡାଠାରେ ଥିବା ଇଂଲିଶ ମିଡିୟମ ସ୍କୁଲରେ ପାଠ ପଢାଇବା ଅଭିଭାବକଙ୍କ ପକ୍ଷେ କଷ୍ଟକର ବ୍ୟାପାର ଏଣୁ ଏହି ସ୍କୁଲଟି କିପରି ବନ୍ଦ ନହେବ ଏବଂ ଏହା କିପରି ନିୟମିତ ଚାଲିପାରିବ ଏନେଇ ସ୍କୁଲ୍ କର୍ତୁପକ୍ଷ ଧ୍ୟାନ ଦେବା ଉଚିତ ବୋଲି ସେମାନେ ପ୍ରକାଶ କରିଥିଲେ । ଗତ ତା ୨୨/୦୨/୨୦୨୦ ରିଖରେ ଏସେଲ ଖଣି କର୍ତୁପକ୍ଷ ଡିଏଭି ସ୍କୁଲ୍ କର୍ତୁପକ୍ଷଙ୍କୁ ଡକାଇ ଆସନ୍ତା ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ସ୍କୁଲ୍ ଗୃହ ଖାଲି କରିବା ପାଇଁ କହିଛନ୍ତି । ସ୍କୁଲ୍ କୁ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ ସଂଯୋଗ ମଧ୍ୟ ବିଛିର୍ଣ୍ଣ କରାଯିବା ପାଇଁ କମ୍ପାନୀ ପକ୍ଷରୁ କୁହାଯାଇଥିବା ଅଭିଭାବକମାନେ ପ୍ରକାଶ କରିଛନ୍ତି । ଏହା ସହିତ କମ୍ପାନୀ ପକ୍ଷରୁ ଦରମା ଦିଆଯାଉଥିବା ସ୍କୁଲର ପ୍ରାୟ ୧୨ ରୁ ୧୪ ଜଣ ଶିକ୍ଷୟତ୍ରୀଶିକ୍ଷକଙ୍କର ଦରମା ବନ୍ଦ କରାଯିବାର ନୋଟିସ ଜାରି କରାଯାଇଛି । ତେବେ ମାର୍ଚ୍ଚ –ଏପ୍ରିଲ ମାସରେ ସ୍କୁଲର ୩୫ ଜଣ ଛାତ୍ରୀଛାତ୍ରଙ୍କ ମାଟ୍ରିକ ପରୀକ୍ଷା ଥିବାରୁ ଏହି ସମୟ ମଧ୍ୟରେ ସ୍କୁଲ୍ ଖାଲି କରିବା ଅସମ୍ଭବ ହେବ । ଜୁରୁଡିଠାରୁ ଅନ୍ୟ ଇଂଲିଶ୍ ମିଡିୟମ ସ୍କୁଲ ଯୋଡା, ବଲାଣି ଓ ଜିନ୍ଦଲ ସ୍କୁଲର ଦୂରତା ଅଧିକ ଥିବାରୁ ସେଠାରେ ପିଲାମାନଙ୍କୁ ପାଠପଢାଇବା କଷ୍ଟକର ହେବ ବୋଲି ଅଭିଭାବକମାନେ କହିଛନ୍ତି । ଏ ସମ୍ପର୍କରେ ଜୁରୁଡି ଡିଏଭି ସ୍କୁଲର ପ୍ରିନ୍ସପାଲ ନିଳକଣ୍ଠ ରାଉତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କମ୍ପାନୀ ପକ୍ଷରୁ ଆସନ୍ତା ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ସ୍କୁଲ୍ ଘର ଛାଡିବା ପାଇଁ ମୌଖିକ ଭାବେ କୁହାଯିବା ସହିତ ଜଳ ଓ ବିଦ୍ୟୁତ କାଟ କରାଯିବ ବୋଲି କୁହାଯାଇଛି । ତେଣେ ନୂତନଭାବେ ନିଲାମ ପ୍ରକ୍ରିୟାରେ ଖଣି ପାଇଥିବା ଲିଜ୍ଧାରୀ ଏହି ସ୍କୁଲ୍ ଟିକୁ ଚଳାଇବେ ବୋଲି କୁହାଯାଉଥିବା ବେଳେ ଏପର୍ଯ୍ୟନ୍ତ ନୂତନ ଲିଜ୍ଧାରୀଙ୍କ ସହିତ ଡିଏଭି କର୍ତୁପକ୍ଷ ଯୋଗାଯୋଗ କରିପାରିନାହାନ୍ତି । ଏହି ସ୍କୁଲର ପରିଚାଳନା ସମ୍ପର୍କରେ ଡିଏଭି କର୍ତୁପକ୍ଷ କେନ୍ଦୁଝର ଜିଲାପାଳଙ୍କୁ ମଧ୍ୟ ଜଣାଇଛନ୍ତି । ପ୍ରଶାସନର ହସ୍ତକ୍ଷେପ ପରେ ସ୍କୁଲ୍ ବନ୍ଦ ହେବ କି ନାହିଁ , ତାହା ପରବର୍ତୀ ସମୟରେ ଜଣାପଡିବ ବୋଲି ରାଉତ ସ୍ପଷ୍ଟୀକରଣ ଦେଇଛନ୍ତି ।
ସ୍କୁଲର ଏହି ସମସ୍ୟା ସଂପର୍କରେ ଅଭିଭାବକ ମାନେ ଏକ ବୈଠକ କରି ବୁଧବାର ସ୍ଥାନୀୟ ଚମ୍ପୁଆ ବିଧାୟିକା ମନାକ୍ଷୀ ମହାନ୍ତଙ୍କୁ ଏକ ଦସ୍ତଖତ ସମ୍ବଳିତ ଚିଠି ପ୍ରଦାନ କରିଥିବା ବେଳେ ଆଗାମୀ ଦିନରେ କେନ୍ଦୁଝର ଜିଲାପାଳ, ବ୍ଲକ ଶିକ୍ଷା ଅଧିକାରୀ, ଜିଲା ଶିକ୍ଷା ଅଧିକାରୀ , ଯୋଡା ବିଡିଓ, ବଡବିଲ୍ ତହସିଲଦାର ଓ ଯୋଡା ଥାନା ଅଧିକାରୀ ଙ୍କୁ ଦସ୍ତଖତ ସମ୍ବଳିତ ଏକ ଲିଖିତ ଅଭିଯୋଗ ପତ୍ର ଦେବେ ବୋଲି ଅଭିଭାବକମାନେ ଖବରଦାତାଙ୍କ ଆଗରେ ପ୍ରକାଶ କରିଥିଲେ ।


