ତ୍ରୁଟିପୂର୍ଣ ପାଠ୍ୟପୁସ୍ତକ ଏବଂ ନୂତନ ଭାଷାନୀତି ସଂପୂର୍ଣ ପ୍ରତ୍ୟାହାର ଦାବିରେ ଏସ୍.ୟୁ.ସି.ଆଇ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର
ହାଟଡିହି (ଓ୍ବାଇଏନଏସ) ତ୍ରୁଟିପୂର୍ଣ ପାଠ୍ୟପୁସ୍ତକ ଏବଂ ନୂତନ ଭାଷାନୀତି ସଂପୂର୍ଣ ପ୍ରତ୍ୟାହାର ଦାବିରେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଜୁନ ୩୦ ସାରା ଓଡିଶାରେ ପ୍ରତିବାଦ ଦିବସ ପାଳନ କରିଛି। ରାଜ୍ୟ ସରକାର ଜନ ଆକ୍ରୋଶ ସମ୍ମୁଖରେ ମୁଣ୍ଡ ନୁଆଇଁ ଚଳିତ ଶିକ୍ଷା ବର୍ଷ ପାଇଁ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟିପୂର୍ଣ ପାଠ୍ୟପୁସ୍ତକର ତ୍ରୁଟି ଗୁଡିକୁ ସ୍ୱୀକାର କଲେ ମଧ୍ୟ ସେଗୁଡିକୁ ପ୍ରତ୍ୟାହାର କରି ବିକଳ୍ପ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ ଯୋଗାଇ ଦେବା ସଂପର୍କରେ କିଛି ଘୋଷଣା କରି ନାହାଁନ୍ତି । ତେଣୁ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖ ତ୍ରୁଟିପୂର୍ଣ୍ଣ ବହି ଗୁଡିକ ସଂପୂର୍ଣ୍ଣ ପ୍ରତ୍ୟାହାର କରି ଚଳିତ ବର୍ଷ ପୁରୁଣା ବହିରେ ପାଠ ପଢାଇବା ସହ ନୂତନ ତ୍ରୁଟିମୁକ୍ତ ଓ ବିଜ୍ଞାନସମ୍ମତ ପାଠ୍ୟପୁସ୍ତକ ପ୍ରସ୍ତୁତ ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ବିଷୟଭିଭିକ ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରିବାକୁ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ପକ୍ଷରୁ ଦୃଢ଼ ଦାବି କରାଯାଇଛି । ଆଜି ଏସ୍.ୟୁ.ସି.ଆଇ. (କମ୍ୟୁନିଷ୍ଟ) ପକ୍ଷରୁ ରବୀନ୍ଦ୍ର କୁମାର ଦାସ, ଅକ୍ଷୟ ଜେନା, ତପନ ସିଂ, ସୁବାସ ନାୟକ, ଅନାମ ମୁଖି, ଗଗନ ବିହାରୀ ଜେନାଙ୍କ ସମେତ ଅନେକ କର୍ମକର୍ତ୍ତା ବ୍ଲକ ସମୁଖରେ ପ୍ରତିବାଦ କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ଯେ ଏନ୍.ଇ.ପି-୨୦୨୦ ଆଧାରରେ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ନାଁରେ ରାଜ୍ୟ ସରକାର ଅତ୍ୟନ୍ତ ତରବରିଆ ଭାବେ ଏନ୍.ସି.ଇ.ଆର.ଟି ଦ୍ଵାରା ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଗୁଡିକୁ ଏ.ଆଇ ସାହାଯ୍ୟରେ ଓଡିଆରେ ଅନୁବାଦ କରି ପ୍ରକାଶ କରିଛନ୍ତି । ଏ ସମସ୍ତ ପୁସ୍ତକ ଗୁଡିକରେ କେବଳ ବନାନଗତ ବା ତଥ୍ୟଗତ ତ୍ରୁଟି ନୁହେଁ ବରଂ ମୌଳିକ ବିଷୟର ବିକୃତ୍ତି କରାଯାଇଛି । ଭାରତୀୟ ଜ୍ଞାନ ନାଁରେ ଅବୈଜ୍ଞାନିକ, ଅଯୌକ୍ତିକ ବିଷୟବସ୍ତୁ ଭର୍ତ୍ତି କରିବା ସହ କିଛି ପାଠ୍ୟକ୍ରମ ନୂତନ ଭାବରେ ଯୁକ୍ତ କରାଯାଇ ଅନାବଶ୍ୟକ ବୋଝ ଲଦି ଦେଇ ପ୍ରାଥମିକ ଶିକ୍ଷାକୁ ଧ୍ବଂସ କରିବା ପାଇଁ ଯୋଜନାବଦ୍ଧ ଅଭିସନ୍ଧିମୂଳକ ଷଡଯନ୍ତ୍ର କରାଯାଇଛି। ପୁନଶ୍ଚ ସଂପ୍ରତି କେନ୍ଦ୍ର ସରକାରଙ୍କ ନିଷ୍ପତି ଅନୁଯାୟୀ ରାଜ୍ୟ ସରକାର ଷଷ୍ଠ ଶ୍ରେଣୀରୁ ତ୍ରିଭାଷୀ ନୀତି ଲାଗୁ କରିବା ପାଇଁ ସମସ୍ତ ସ୍କୁଲ ଗୁଡିକୁ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ତାହା ଆହୁରି ଉଦ୍ବେଗଜନକ । ଏହି ଭାଷା ନୀତି ଅନୁଯାୟୀ ଓଡିଆ ଏବଂ ଇଂରାଜୀକୁ ସଂପୂର୍ଣ ଇଚ୍ଛାଧିନ କରାଯାଇଛି । ଓଡିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଥିବା ସରକାର ଏ ଦିଗରେ ମାତୃଭାଷା ଓଡିଆକୁ ନେଇ ଗୁରୁତର ସଂକଟ ସୃଷ୍ଟି କରିଛନ୍ତି ଓ ଅନ୍ୟଦିଗରେ ଇଂରାଜୀକୁ ସଂପୂର୍ଣ ଗୁରୁତ୍ବହୀନ କରିଛନ୍ତି । ଏହା ସମସ୍ତେ ଜାଣନ୍ତି ଯେ ଭାଷା ହେଉଛି ଚିନ୍ତାର ବାହାକ । ଏଣୁ ଭାଷା ଶିକ୍ଷାକୁ ଗୁରୁତ୍ବହୀନ କରିବା ଅର୍ଥ ଛାତ୍ରଛାତ୍ରମାନଙ୍କ ଚିନ୍ତା ପ୍ରକ୍ରିୟାକୁ ଏବଂ ଭବିଷ୍ୟତ ପାଠପଢାକୁ ସଂପୂର୍ଣ ଧ୍ବଂସ କରିବ। ତେଣୁ ବିକୃତ ତ୍ରୁଟିଯୁକ୍ତ ପାଠ୍ୟପୁସ୍ତକକୁ ସମ୍ପୂର୍ଣ ପ୍ରତ୍ୟାହାର କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ତୁରନ୍ତ ଜାରି କରି ଚଳିତ ବର୍ଷ ପୁରୁଣା ବହିରେ ପାଠପଢାଇବା, ଭାଷାଶିକ୍ଷା ନୀତିକୁ ପ୍ରତ୍ୟାହାର କରିବା, ଏନ୍.ଇ.ପି-୨୦୨୦କୁ ସମ୍ପୂର୍ଣ ବାତିଲ କରିବାକୁ ଦାବି କରିଛନ୍ତି।


