ସିରିଆରେ ବ୍ୟାପକ ହିଂସା: ୩୩ ତୁର୍କୀ ସୈନିକ ନିହତ
ଅଙ୍କାରା: ସିରିଆର ଇଡଲିବ୍ ପ୍ରଦେଶରେ ଆକାଶ ମାର୍ଗରୁ ହୋଇଥିବା ଆକ୍ରମଣରେ ୩୩ ଜଣ ତୁର୍କୀ ସୈନିକ ନିହତ ହୋଇଛନ୍ତି। ଏହି ଆକ୍ରମଣ ଦାମାସ୍କସ୍ ପକ୍ଷରୁ କରାଯାଇଥିବା ଅନୁମାନ କରାଯାଉଛି। ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲ୍ଟେନ୍ବର୍ଗ ଏପରି ଅବିରତ ଆକ୍ରମଣକୁ ନିନ୍ଦା କରିବା ସହ ଏଥିପାଇଁ ସିରିଆର ଅସଦ୍ ସରକାର ଓ ରୁଷିଆକୁ ଦାୟୀ କରିଛନ୍ତି। ଆକାଶମାର୍ଗରୁ ହୋଇଥିବା ଏହି ଆକ୍ରମଣରେ ୧୨ରୁ ଊର୍ଦ୍ଧ୍ବ ସୈନିକ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ତୁର୍କୀରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି ବୋଲି ସିରିଆ ସୀମାବର୍ତ୍ତୀ ଅଞ୍ଚଳର ତୁର୍କୀ ସହର ହାତେ ଗଭର୍ଣ୍ଣର୍ ରହମି ଡୋଗାନ୍ କହିଛନ୍ତି। ଗତ କିଛି ସପ୍ତାହ ହେଲା ବିଦ୍ରୋହୀମାନଙ୍କୁ ସମର୍ଥନ କରୁଥିବା ଅଙ୍କାରା ଓ ମସ୍କୋର ସହଯୋଗୀ ଦାମାସ୍କସ୍ ମଧ୍ୟରେ ହିଂସାକାଣ୍ଡ ଘଟଣା ଜାରି ରହିଥିବାରୁ ଏହାର ପ୍ରଭାବରେ ଇଡଲିବ୍ ପ୍ରଦେଶର ଉତ୍ତର-ପଶ୍ଚିମାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଚାଲିଛି।
ଏହି ଘଟଣାରେ ନାଟୋ ମହାସଚିବ ତୁର୍କୀର ବୈଦେଶିକ ମନ୍ତ୍ରୀ ମେଭ୍ଲୁଟ୍ କାଭୁସୋଗ୍ଲୁଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ନାଟୋ ମହାସଚିବ ସିରିଆ ସରକାର ଓ ଏହାକୁ ଇଡଲିବ୍ରେ ସମର୍ଥନ କରୁଥିବା ରୁଷିଆକୁ ସମାଲୋଚନା କରିଛନ୍ତି। ଇଡଲିବ୍ସ୍ଥିତ ତୁର୍କୀର ପର୍ଯ୍ୟବେକ୍ଷଣ ପୋଷ୍ଟ୍ରୁ ସୈନିକଙ୍କୁ ପ୍ରତ୍ୟାହାର କରିନେବା ସକାଶେ ତୁର୍କୀ ପକ୍ଷରୁ ସିରିଆକୁ ଅନୁରୋଧ କରାଯାଇଆସୁଥିବା ବେଳେ ସିରିଆରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି ପାଇଁ ମସ୍କୋ ଅଙ୍କାରାକୁ ଦାୟୀ କରିଛି। ଗତ ୨୦୧୮ରେ ଇଡଲିବ୍କୁ ଶାନ୍ତି ଫେରାଇ ଆଣିବା ଲକ୍ଷ୍ୟ ନେଇ ରୁଷିଆ ସହ ତୁର୍କୀ ଚୁକ୍ତି ସ୍ବାକ୍ଷର କରିଥିଲା। ଏହି ଚୁକ୍ତି ଅନୁସାରେ ତୁର୍କୀ ଇଡଲିବ୍ରେ ୧୨ଟି ପର୍ଯ୍ୟବେକ୍ଷଣ ପୋଷ୍ଟ୍ ପ୍ରତିଷ୍ଠା କରିଥିଲା। କିନ୍ତୁ ଏଥି ମଧ୍ୟରୁ ଅଧିକାଂଶକୁ ସିରିଆ ରାଷ୍ଟ୍ରପତି ବଶର୍ ଅଲ୍-ଅସଦ୍ଙ୍କ ନିର୍ଦେଶରେ ସେନାବାହିନୀ ପକ୍ଷରୁ ନଷ୍ଟବିନଷ୍ଟ କରିଦିଆଯାଇଛି। ତେବେ ୩୩ ଜଣ ତୁର୍କୀ ସୈନିକ ମୃତ୍ୟୁବରଣ କରିବା ପରେ ତୁର୍କୀ ରାଷ୍ଟ୍ରପତି ରେସିପ୍ ତୟିପ୍ ଏର୍ଡୋଗାନ୍ ଅଙ୍କାରାରେ ତୁରନ୍ତ ଏକ ଜରୁରୀକାଳୀନ ବୈଠକ ଆହୂତ କରିଛନ୍ତି।


