‘କୈଥୀ’ର ହିନ୍ଦୀ ରିମେକ୍ରେ ଅଜୟ
ନିକଟରେ ରିଲିଜ୍ ହୋଇଥିବା ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିଅର’ ବକ୍ସ ଅଫିସ୍ରେ କମାଲ କରିଥିଲା। ଏବେ ବି ଫିଲ୍ମର କଲେକ୍ସନ ଜାରି ରହିଛି। ଏହା ଅଜୟଙ୍କ ସବୁଠାରୁ ବଡ଼ ହିଟ୍ ସିନେମା ପାଲଟିଛି। ଅଜୟ ଏବେ ‘ତାନାଜୀ’ ସିନେମାର ସଫଳତାକୁ ଉପଭୋଗ କରୁଥିବାବେଳେ ତାଙ୍କର ଆଗାମୀ ଫିଲ୍ମକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଅଜୟ ଏବେ ତାମିଲ୍ର ଏକ ସୁପରହିଟ୍ ସିନେମା ‘କୈଥୀ’ର ହିନ୍ଦୀ ରିମେକ୍ରେ ନଜର ଆସିବାକୁ ଯାଉଛନ୍ତି।
ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ହେଲାଣି ଅନୁମାନ କରାଯାଉଥିଲା ଅଜୟ ସାଉଥ୍ର ସୁପରହିଟ୍ ଫିଲ୍ମ ‘କୈଥୀ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିପାରନ୍ତି। ଏବେ ଅଜୟ ନିଜେ ଏ ସମ୍ପର୍କରେ ଘୋଷଣା କରି ସମସ୍ତ ଅନୁମାନ ଉପରେ ବିରାମ ଲଗାଇଛନ୍ତି। ଅଜୟ ଟ୍ବିଟ୍ କରି ଲେଖିଛନ୍ତି ଯେ ସେ ତାମିଲ ଫିଲ୍ମ ‘କୈଥୀ’ର ହିନ୍ଦୀ ରିମେକ୍ କରିବାକୁ ଯାଉଛନ୍ତି। ଏହା ୧୨ ଫେବ୍ରୁଆରୀ ୨୦୨୧ରେ ରିଲିଜ୍ ହେବ। ଏଥିରୁ ସ୍ପଷ୍ଟ ହେଉଛି ଯେ ୨୦୨୦ରେ ‘ତାନାଜୀ’ ଫିଲ୍ମ ମାଧ୍ୟମରେ ଅଜୟ ଯେଉଁ ଭଳି ଭାବେ ଇଣ୍ଡଷ୍ଟ୍ରୀରେ ଧମାକା କରିଥିଲେ, ଆସନ୍ତା ନୂଆ ବର୍ଷରେ ମଧ୍ୟ ଏହାକୁ ଜାରି ରଖିବାକୁ ଚାହୁଛନ୍ତି। ସୂଚନାଯୋଗ୍ୟ ଯେ ‘କୈଥୀ’ ସୁପରହିଟ୍ ହୋଇଥିଲା। ଲୋକେ ଏହାକୁ ବହୁତ ଭଲ ପାଇବା ଦେଇଥିଲେ। ତେଣୁ ଅଜୟ ଏହି ଫିଲ୍ମର ଅଂଶବିଶେଷ ହେବାକୁ ଯାଉଥିବାରୁ ବହୁତ ଖୁସି ଅଛନ୍ତି।
ସୂଚନାଯୋଗ୍ୟ ଯେ ଏହା ଛଡ଼ା ଅମିତ ଶର୍ମାଙ୍କ ଫିଲ୍ମ ‘ମୈଦାନ’ରେ ଅଜୟ ନଜର ଆସିବାକୁ ଯାଉଛନ୍ତି। ଏହି ସିନେମାର ପୋଷ୍ଟର ରିଲିଜ୍ ହୋଇସାରିଛି, ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି। ‘ବାହୁବଲୀ’ ଫେମ୍ ଏସ୍ଏସ୍ ରାଜାମୌଲୀଙ୍କ ଫିଲ୍ମ ‘ଆର୍ଆର୍ଆର୍’ରେ ମଧ୍ୟ ଅଜୟ ଅଭିନୟ କରିବେ। ଏହାବ୍ୟତୀତ ତାଙ୍କ ପାଖରେ ‘ଭୂଜ’ ଓ ‘ଚାଣକ୍ୟ’ ଭଳି ବଡ଼ ପ୍ରୋଜେକ୍ଟ ମଧ୍ୟ ରହିଛି।


