ସିଏଏ, ଏନ୍ଆରସି, ଏନ୍ପିଆର ଓ ସାମ୍ପ୍ରଦାୟିକତା ବିରୁଦ୍ଧରେ ଛାତ୍ର କନ୍ଭେନସନ
ଭୁବନେଶ୍ୱର, : ବିଭାଜନକାରୀ ତଥା ଜନସ୍ୱାର୍ଥ ବିରୋଧୀ ନାଗରିକତା ସଂଶୋଧନ ଆଇନ୍ ୨୦୧୯, ଜାତୀୟ ନାଗରିକ ପଞ୍ଜିକା ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍ପିଆର) ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିବା, ସାମ୍ପ୍ରଦାୟିକତା ହିଂସା ବନ୍ଦ କରିବା, ଦିଲ୍ଳୀର ନରସଂହାର କରିଥିବା ସାମ୍ପ୍ରଦାୟିକ ଓ ଫାଶିବାଦୀ ଶକ୍ତିମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତଥା ଗଣତାନ୍ତ୍ରିକ ଅଧିକାର ଓ ଧର୍ମନିରପେକ୍ଷତାର ସୁରକ୍ଷା କରିବା ଦାବିରେ ଲୋହିଆ ଭବନରେ ଷ୍ଟୁଡ଼େଣ୍ଟସ୍ ଫର୍ ଡ଼େମୋକ୍ରାଟିକ ରାଇଟ୍ସ ଏଣ୍ଡ ସିକୁଲାରଜିମ୍ ଉଦ୍ୟୋଗରେ ଛାତ୍ର କନ୍ଭେନସନ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ ସିଏଏ, ଏନ୍ଆରସି ଏବଂ ଏନ୍ପିଆର ବିରୁଦ୍ଧରେ ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନ ହେଉଥିବା ବେଳେ ଧର୍ମର ଆଧାରରେ ସମାଜକୁ ଭାଗ ଭାଗ କରି ନିଜର ଭୋଟ ବ୍ୟାଙ୍କକୁ ସୁରକ୍ଷିତ କରିବା ପାଇଁ ବିଜେପି, ଆରଏସ୍ଏସ୍ ଘୃଣ୍ୟ ପଦକ୍ଷେପ ନେଇ ଚାଲିଛନ୍ତି । ପ୍ରତିବାଦ କରୁଥିବା ମହିଳା, ଛାତ୍ର ଓ ବୁଦ୍ଧିଜୀବୀମାନଙ୍କୁ ଆକ୍ରମଣ କରିବା ସହ ମିଥ୍ୟା ମୋକଦ୍ଦମାରେ ଫସାଇ ଦିଆଯାଉଛି । ଛାତ୍ର ଓ ଗଣ ଆନ୍ଦୋଳନ ଉପରେ ପୋଲିସ୍ର ବର୍ବରତା ଅତୀତର ସମସ୍ତ ସୀମା ଅତିକ୍ରମ କରିଛି । ଜାମିଆ, ଏଏମ୍ୟୁ, ଜେଏନ୍ୟୁ ଘଟଣା ଏହାର ଜ୍ୱଳନ୍ତ ଉଦାହରଣ । ଆନ୍ଦୋଳନକୁ ଦବାଇବା ପାଇଁ ବାହାରୁ ଗୁଣ୍ଡା ଡ଼ାକି ଦିଲ୍ଲୀ ଭଳି ଦଙ୍ଗା ସୃଷ୍ଟି କରି ଶହ ଶହ ନରହତ୍ୟା କରାଯାଉଛି । ପୋଲିସ୍ ଉପସ୍ଥିତିରେ ଦଙ୍ଗାକାରୀ ଆକ୍ରମଣ କରୁଥିବା ବେଳେ ପୋଲିସ୍ ନୀରବଦ୍ରଷ୍ଟା ସାଜିଛି । ଏଭଳି ଜଘନ୍ୟ ନାରକୀୟ ଘଟଣାକୁ ଦୃଢ ବିରୋଧ କରିବା ସହ ସିଏଏ, ଏନ୍ଆରସି ଓ ଏନ୍ପିଆର ପ୍ରତ୍ୟାହାର ପାଇଁ ଦୃଢ ଦାବି କରାଯାଇଛି । ଆଜିର ଏହି କନ୍ଭେନ୍ସନକୁ ଗଣେଶ ତ୍ରିପାଠୀ, ସୁବାସ ନାୟକ, ସୋମନାଥ ବେହେରା, ସିଦ୍ଧାର୍ଥ ରଥ ପରିଚାଳନା କରିଥିବା ବେଳେ ଏଆଇଡ଼ିଏସ୍ଓ ସର୍ବଭାରତୀୟ ଉପସଭାପତି ତଥା ଆସାମ ରାଜ୍ୟ ଉପସଭାପତି କମ୍ରେଡ଼ ପ୍ରଜ୍ଜଳ ଦେବ ମୁଖ୍ୟ ବକ୍ତା ଭାବେ ଆଲୋଚନା କରିଥିଲେ । କନ୍ଭେନସନର ମୁଖ୍ୟ ଚିଠା ପ୍ରସ୍ତାବ ସପ୍ତର୍ଷିନୀ ରାଉଳ ପାଠ କରିଥିବା ବେଳେ ଦିଲ୍ଲୀ ଗଣହତ୍ୟାକୁ ନିନ୍ଦା କରି ଭାଗ୍ୟରବି ଦାସ ଏକ ପ୍ରସ୍ତାବ ଆଗତ କରିଥିଲେ । ଉକ୍ତ କନ୍ଭେନସନରେ ବବି ବଳବନ୍ତ ରାୟ, ଜୟନ୍ତ ମହାନ୍ତି, ନିମାଇ ସାହୁ, ତରୁଣସେନ ନାୟକ, ଦମୟନ୍ତୀ ମୁଦୁଲି, ହରେକୃଷ୍ଣ ଦାସ, ରାଜେନ୍ଦ୍ର ରଣା, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ଼କ୍ଟର ବୀରେନ୍ଦ୍ର ନାୟକ, ସମଦୃଷ୍ଟିର ସମ୍ପାଦକ ଶ୍ରୀଯୁକ୍ତ ସୁଧୀର ପଟ୍ଟନାୟକ ଓ ଅନ୍ୟମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଗାମୀ ଦିନରେ ସିଏଏ, ଏନ୍ଆରସି ଓ ଏନ୍ପିଆର ବିରୁଦ୍ଧରେ ତଥା ଗଣତାନ୍ତ୍ରିକ ଅଧିôକାର ଓ ଧର୍ମନିରପେକ୍ଷତା ସୁରକ୍ଷା କରିବା ପାଇଁ ଆନ୍ଦୋଳନ ତୀବ୍ର କରିବାକୁ କନ୍ଭେନସନରେ ଘୋଷଣା କରାଯାଇଥିଲା ।