ରାସନ କାର୍ଡରୁ ବଞ୍ଚିତ ବିପନ୍ନଙ୍କୁ ମିଳୁନି ରିଲିଫ୍ ସାମଗ୍ରୀ

ଚାରିଛକ (ଜୁଗାବ୍ଦ ନ୍ୟୁଜ୍‍): ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫାନି ପ୍ରଭାବରେ ନିମାପଡା ଅଞ୍ଚଳରେ ବ୍ୟାପକ ଧନ ଜୀବନ କ୍ଷତି ଘଟିଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ୨ହଜାର ଟଙ୍କା ଲେଖାଏଁ ଅର୍ଥ, ପଲିଥିନ୍ ଓ ୫୦ କେଜି ଚାଉଳ ଯୋଗାଇ ଦିଆଯାଉଛି । କିନ୍ତୁ ଏହି ବ୍ଲକରେ ଅନେକ ଯୋଗ୍ୟ ହିତାଧିକାରୀ ରାସନ କାର୍ଡ ପାଇନଥିବା ବେଳେ ଯେଉଁମାନଙ୍କୁ ବିଭିନ୍ନ କାରଣ ପାଇଁ କାର୍ଡ ଫେରାଇବାକୁ ପଡିଥିଲା ଓ ପୁନର୍ବାର ସେମାନଙ୍କୁ କାର୍ଡ ଦିଆଯିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅଦ୍ୟାବଧି ସେମାନେ ପଡି କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି । ଫଳରେ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ବହୁ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ହାତେଇ ଥିବାବେଳେ ପ୍ରକୃତ ହିତାଧିକାରୀ ପଡିକାର୍ଡ ପାଇବାରୁ ବଞ୍ଚିତ ହୋଇଥିବା ନେଇ ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନଥିବା ବେଳେ ଚଞ୍ଚକତା କରି ରାସନ କାର୍ଡ ହାତେଇଥିବା ହିତାଧିକାରୀଙ୍କ ବିରୁଦ୍ଧରେ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି । ଯେଉଁ ମାନଙ୍କର ପଡିକାର୍ଡ ନାହିଁ ସେମାନେ ରିଲିଫ ସାମଗ୍ରୀ ଓ ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । “ଫାନି ସାମୁଦ୍ରିକ ଝଡ଼’ କ’ଣ କେବଳ ରାସନ କାର୍ଡଧାରୀମାନଙ୍କର କ୍ଷତି ଘଟାଇଛି? ନା ସାମୂହିକ କ୍ଷତି ଘଟାଇଛି ତାହା ସାଧାରଣରେ ପ୍ରଶ୍ନ କରାଯାଇଛି । ଏହି ବ୍ଲକରେ ମାଆ ପୁଅ ଠାରୁ ଅଲଗା ତ ବାପାଠାରୁ ପୁଆ ଅଲଗା କରି ଗୋଟିଏ ପରିବାର ୫ ରୁ ୬ଟି ଲେଖାଏଁ କାର୍ଡ ହାତେଇଥିବା ଅଭିଯୋଗ ହୋଇଛି । ଏପରିକି ପେନ୍ସନ ପାଉଥିବା, ଅଙ୍ଗନୱାଡିରେ ଚାକିରି କରୁଥିବା, ଦୁଇ ମହଲା କୋଠାଘର ଥିବା ଏବଂ ସର୍ବୋପରି ୮୦ବର୍ଷରୁ ଉଦ୍ଧ୍ୱର୍ ବୁଢୀମାନେ ମଧ୍ୟ ପୁଅଠାରୁ ଅଲଗା ରହି କାର୍ଡ ହାତେଇଥିବା ଜଣାପଡିଛି । କିନ୍ତୁ ଭୋଟର ତାଲିକାରେ ସେମାନେ ଗୋଟିଏ ପରିବାରରେ ବାସ କରୁଥିବା ଜଣାପଡିଛି । ରାସନ କାର୍ଡ ପାଇଥିବା ହିତାଧିକାରୀ ମାନଙ୍କର ସ୍ଥିତି ଅନୁଧ୍ୟାନ ନକରାଯାଇ କାର୍ଡ ଦିଆଯାଇଥିବାରୁ ଫାନି ବାତ୍ୟାର କ୍ଷତିପୂରଣ ରାଶି ହାତେଇ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା କ୍ଷତି କରୁଥିବା ଅଭିଯୋଗ ହୋଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ରହସ୍ୟ ଲୋକ ଲୋଚନକୁ ଆସିବ ବୋଲି ସାଧାରଣରେ ଅଭିଯୋଗ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ