୮୨୭ ଟ୍ରେନ୍ ବାତିଲ କରାଯାଇଥିବା ବେଳେ ୫୭୧ ଟି ଟ୍ରେନକୁ ସମ୍ପୂର୍ଣ୍ଣ ଭାବେ ବାତିଲ୍
ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ପକ୍ଷରୁ ମଙ୍ଗଳବାର ଦେଶରେ ଚାଲୁଥିବା ୮ଶହରୁ ଅଧିକ ଟ୍ରେନକୁ ଆଂଶିକ ଏବଂ ସମ୍ପୂର୍ଣ୍ଣ ବାତିଲ କରାଯାଇଥିବା ବେଳେ ଟ୍ରେନଗୁଡିକ ମଧ୍ୟରେ ବହୁମାତ୍ରାରେ ଯାତ୍ରୀବାହୀ ଟ୍ରେନ୍ ଏବଂ ସ୍ୱତନ୍ତ୍ର ଟ୍ରେନ୍ ରହିଛି। ସେହିପରି ଦିଲ୍ଲୀରୁ ବିହାର, ବଙ୍ଗଳା ଏବଂ ଉତ୍ତରପ୍ରଦେଶକୁ ଯାତ୍ରା କରୁଥିବା ବହୁ ରେଳ ମଧ୍ୟ ବାତିଲ କରାଯାଇଛି। ଫଳରେ ସାଧାରଣ ଜନତା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବାତିଲ ହୋଇଥିବା ଯାତ୍ରୀବାହୀ ଟ୍ରେନ ମଧ୍ୟରେ ସର୍ବାଧିକ ପଶ୍ଚିମବଙ୍ଗ ଏବଂ ଦକ୍ଷିଣ ଭାରତକୁ ସଂଯୋଗ କରୁଥିବା ରେଳ ରହିଛି। ଜାତୀୟ ଟ୍ରେନ୍ ଅନୁସନ୍ଧାନ ବ୍ୟବସ୍ଥା ଅନୁଯାୟୀ ଭାରତୀୟ ରେଳ ମଙ୍ଗଳବାର ୮୨୭ ଟ୍ରେନ୍ ବାତିଲ କରାଯାଇଥିବା ଜଣାପଡିଛି । ୫୭୧ ଟି ଟ୍ରେନକୁ ସମ୍ପୂର୍ଣ୍ଣ ଭାବେ ବାତିଲ୍ କରାଯାଇଥିବା ବେଳେ ୨୫୬ଟି ଟ୍ରେନକୁ ଆଂଶିକ ଭାବେ ବାତିଲ୍ କରାଯାଇଥିବା ସୂଚନା ମିଳିଛି । ଆଂଶିକ ବାତିଲ ହୋଇଥିବା ଟ୍ରେନ୍ ଗୁଡିକ ପ୍ରସ୍ଥାନ ସ୍ଥାନରୁ ଛାଡିବା ପରେ ମଝିରେ କୌଣସି ଷ୍ଟେସନରେ ରହିବ ନାହିଁ ବୋଲି ଜଣାପଡିଛି । ସେହି ପରି ବହୁ ଟ୍ରେନ୍ ଗନ୍ତବ୍ୟ ସ୍ଥଳ ପୂର୍ବରୁ ଅଟକିଯିବ। ଏହି ପରିସ୍ଥିତିରେ ଆପଣ ଯଦି ମଙ୍ଗଳବାର ଯାତ୍ରା କରୁଛନ୍ତି ତାହା ହେଲେ ପ୍ରଥମେ ରେଳବାଇ ଦ୍ୱାରା ଦିଆଯାଇଥିବା ବାତିଲ ତାଲିକା ଯାଞ୍ଚ କରିନେବା ଆବଶ୍ୟକ । ବାତିଲ ହୋଇଥିବା ଟ୍ରେନ୍ ଗୁଡିକ ମଧ୍ୟରେ ଅଧିକାଂଶ ଯାତ୍ରୀବାହୀ ଏବଂ ମେଲ୍ ଟ୍ରେନ୍ ରହିଥିବା ବେଳେ ଏକ୍ସପ୍ରେସ, ସୁପରଫାଷ୍ଟ, ହମସଫର, ସମ୍ପର୍କ କ୍ରାନ୍ତି ଏବଂ ଡବଲ୍ ଡେକର୍ ଭଳି କିଛି ଟ୍ରେନ୍ ମଧ୍ୟ ରହିଛି। କିଛି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି ଏବଂ କିଛି ଟ୍ରେନର ରାସ୍ତା ବଦଳାଯାଇ ଥିବା ଵିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


