ପରିବାରକୁ ମଜଭୁତ କରିବାର ସୂତ୍ର
ପରିବାରର ମହତ୍ତ୍ବ ଆମେ ସମସ୍ତେ ବୁଝୁଛୁ, କିନ୍ତୁ ଯେଉଁଭଳି ଭାବେ ସଂଯୁକ୍ତ ପରିବାର ଛୋଟ ହେବାରେ ଲାଗିଛି, ସେହି ଦୃଷ୍ଟିରୁ ଆଗାମୀ ପିଢ଼ି ଓ ପିଲାଙ୍କୁ ପରିବାରର ମହତ୍ତ୍ବ ବୁଝାଇବା ଉଚିତ। ତେଣୁ ପରିବାରର ମଜ୍ବୁତୀ ପାଇଁ ଏହି ଛୋଟ ଛୋଟ କଥା ପ୍ରତି ଗୁରୁତ୍ବ ଦେବା ଉଚିତ।
ନିଜ ଆଗରୁ ଅନ୍ୟକୁ ରଖନ୍ତୁ : ପରିବାର ଏକଜୁଟ ହୋଇ ରହିବାର ପ୍ରଥମ ଶିଡ଼ି ହେଉଛି ଆମେ ସ୍ବାର୍ଥପର ନ ହୋଇ ଅନ୍ୟ ସମ୍ପର୍କରେ ଚିନ୍ତା କରିବା ଉଚିତ। ଅର୍ଥାତ୍ ନିଜ ସମ୍ପର୍କରେ ଭାବିବା ପୂର୍ବରୁ ପରିବାରର ଅନ୍ୟ ସଦସ୍ୟଙ୍କ ସମ୍ପର୍କରେ ଚିନ୍ତା କରିବା ଉଚିତ। ପରିବାରରେ ପତ୍ନୀ ଓ ମା’ ସବୁବେଳେ ଏପରି କରିଥାନ୍ତି। ଅନ୍ୟମାନଙ୍କୁ ଖାଇବାକୁ ଦେବା ପରେ ଶେଷରେ ନିଜେ ଖାଇଥାନ୍ତି। ତେଣୁ ସେମାନଙ୍କଠାରୁ ଶିଖି ଏହି ଭାବନାକୁ ନିଜ ବ୍ୟବହାରରେ ପ୍ରଦର୍ଶନ କରିବା ଉଚିତ।
ପ୍ରେମର ସହ କଥା ହୁଅନ୍ତୁ : ଯଦି ପରିବାରର କୌଣସି ସଦସ୍ୟ କିଛି ଭୁଲ୍ କାମ କରିଛନ୍ତି କିମ୍ବା ଜାଣତ ବା ଅଜାଣତରେ ସେମାନଙ୍କ ଦ୍ବାରା କିଛି ଭୁଲ୍ ହୋଇଯାଏ, ତେବେ ସେମାନଙ୍କ ଉପରେ ରାଗି ଚିତ୍କାର କରିବା ବଦଳରେ ପ୍ରେମର ସହ କଥା ହୁଅନ୍ତୁ। ଏପରିସ୍ଥଳେ ପରିବାର ସଦସ୍ୟଙ୍କ ମଧ୍ୟରେ ବୁଝାମଣା ଠିକ୍ ରହିବ।
ଶିଷ୍ଟାଚାର ପ୍ରତି ଧ୍ୟାନ ରଖନ୍ତୁ : ବୟସ୍କ ଓ ପିଲାଙ୍କୁ ସମ୍ମାନ କରିବା, ସେମାନଙ୍କୁ ପ୍ରେମ କରିବା ଆଦି ଉତ୍ତମ ଶିଷ୍ଟାଚାରର ଲକ୍ଷଣ। ଏହାବ୍ୟତୀତ ବଡ଼ଙ୍କୁ ସମ୍ମାନର ସହ କଥା ହେବା, ପରିବାରର କାହାରି ଆବଶ୍ୟକ ପଡ଼ିଲେ ସେମାନଙ୍କୁ ସାହାଯ୍ୟ କରିବା, ଏସବୁ ମଧ୍ୟ ଉତ୍ତମ ଶିଷ୍ଟାଚାରର ଅଂଶବିଶେଷ ଅଟେ। କାହାରିକୁ ପସନ୍ଦ ଓ ନାପସନ୍ଦ କରିବାର କାରଣ ମଧ୍ୟ ସେମାନଙ୍କ ବ୍ୟବହାର ଓ ଶିଷ୍ଟାଚାର ଅଟେ।
କ୍ଷମା କରିବା ଶିଖନ୍ତୁ : ଯଦି ଆପଣ ଚାପମୁକ୍ତ ଜୀବନ ବଞ୍ଚିବାକୁ ଚାହୁଛନ୍ତି, ତେବେ କ୍ଷମା କରିବା ଶିଖନ୍ତୁ। ଭୁଲି ଯିବା ନୀତି ଆପଣାନ୍ତୁ। ପରିବାରର କୌଣସି ସଦସ୍ୟ ଯଦି ବାହାରେ ଆପଣଙ୍କ ନାଁରେ କିଛି ଚୁଗୁଲି କରନ୍ତି, ତେବେ ଆପଣଙ୍କୁ ଲଜ୍ଜା ଅନୁଭବ ହେବା ସ୍ବଭାବିକ କଥା। କିନ୍ତୁ ସାମ୍ନାବାଲା ବ୍ୟକ୍ତି କ୍ଷମା ମାଗିବା ପରେ ତାଙ୍କୁ କ୍ଷମା କରି ଦିଅନ୍ତୁ। ଏହା ଆପଣଙ୍କ ପାରିବାରିକ ସମ୍ପର୍କକୁ ସୁଦୃଢ଼ କରିବ।
କାମରେ ସାହାଯ୍ୟ କରନ୍ତୁ : ଘରର ସବୁ କାମର ବୋଝ ଜଣେ ବ୍ୟକ୍ତିଙ୍କ ଉପରେ ପକାନ୍ତୁ ନାହିଁ। ଆପଣ ମଧ୍ୟ ଘର କାମରେ ସାହାଯ୍ୟ କରନ୍ତୁ। କାରଣ ଆପଣଙ୍କ ପରିବାର ବଡ଼ ହୋଇଥିଲେ ସମସ୍ତଙ୍କ ସହ ମିଶି କାମ କରିବା ମଧ୍ୟ ଆପଣଙ୍କ ଦାୟିତ୍ବ।
ପ୍ରତ୍ୟେକ କଥାରେ ଦଖଲ ଦିଅନ୍ତୁନି : ସମୟ ଦ୍ରୁତ୍ ବେଗରେ ବଦଳିବାରେ ଲାଗିଛି। ଜୀବନର ବ୍ୟସ୍ତତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ ପିଲାମାନେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପରିବାରର ସମସ୍ତ ସଦସ୍ୟଙ୍କ ସହ ଆଲୋଚନା କରିପାରି ନ ଥାନ୍ତି। ତେଣୁ ନିଜକୁ ଅଣଦେଖା ଅନୁଭବ କରନ୍ତୁ ନାହିଁ। ପରିବାର ଲୋକଙ୍କ ସମସ୍ୟାକୁ ବୁଝିବାକୁ ଚେଷ୍ଟା କରନ୍ତୁ।


