ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ଆଲୋଚନା ଚକ୍ର ଏନ୍.ପି.ଆର୍ ପ୍ରଶ୍ନର ଉତ୍ତର ନ ଦେବା ପାଇଁ ଆହ୍ୱାନ
କେନ୍ଦ୍ରାପଡା : ନାଗରିକତା ସଂଶୋଧନ ଆଇନ୍, ଜାତୀୟ ଜନସଂଖ୍ୟା ପଞ୍ଜିକା ଓ ଜାତୀୟ ନାଗରିକ ପଞ୍ଜିକା ସଂପର୍କିତ ଏକ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର “ଆମେ ଭାରତବାସୀ” କେନ୍ଦ୍ରାପଡା ଜିଲ୍ଲା ପକ୍ଷରୁ ପୈାରସଂସ୍ଥା ଟାଉନ୍ ହଲ୍ ପରିସରରେ ଶନିବାର ଆୟୋଜିତ ହୋଇଯାଇଛି । ଆଲୋଚନା ଚକ୍ରରେ ବିଶିଷ୍ଟ ସ୍ତମ୍ଭକାର ରବି ଦାସ, ଅର୍ଥନୀତିଜ୍ଞ ପଂଚାନନ କାନୁନ୍ଗୋ, ମାର୍କ୍ସବାଦୀ ତତ୍ତ୍ୱବିତ୍ ଜନାର୍ଦ୍ଦନ ପତି, ଶ୍ରମିକନେତା ରାମକୃଷ୍ଣ ପଣ୍ଡା ଓ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପ୍ରମୁଖ ଆଲୋଚକମାନେ ଯୋଗଦେଇ ଭୋଟ୍ ଧ୍ରୁବୀକରଣ ପାଇଁ ଦେଶରେ ଅରାଜକତା ସୃଷ୍ଟି କରି ଦେଶକୁ ବିଭାଜନ କରିବା ଲକ୍ଷ୍ୟରେ ଧର୍ମୀୟ ଆଧାରରେ ପ୍ରସ୍ତୁତ ଉପରୋକ୍ତ ଆଇନ୍ ଗୁଡିକୁ ପ୍ରତ୍ୟାହାର କରିନେବାପାଇଁ ସରକାରଙ୍କୁ ଆହ୍ୱାନ ଦେଇଥିଲେ । ସମ୍ବିଧାନର ମୈାଳିକ ଉଦ୍ଦେଶ୍ୟର ପରିପନ୍ଥୀ ମାନବତା ବିରୋଧୀ ଉକ୍ତ ଆଇନ୍ ଆନ୍ତର୍ଜାତୀୟ ସ୍ତରରେ ଭାରତର ସମ୍ମାନ କ୍ଷୁର୍ଣ୍ଣ କରିବା ସହ ଶତୃରାଷ୍ଟ୍ରମାନଙ୍କ ଉଦ୍ଦେଶ୍ୟ ପୂରଣ କରିବାରେ ସହାୟକ ହେଉଥିବାବେଳେ ଜନଗଣଙ୍କ ମିଳିତ ଆନ୍ଦୋଳନ ହିଁ ଏ ପଦକ୍ଷେପରୁ ସରକାରଙ୍କୁ ପଛକୁ ହଟାଇବାକୁ ବାଧ୍ୟ କରିବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ପରିପେକ୍ଷୀରେ ଅନ୍ୟ ରାଜ୍ୟ ସରକାରଙ୍କ ପରି ଓଡିଶା ସରକାର ମଧ୍ୟ ବିଧାନସଭାରେ ଏହି ଆଇନ୍ ଗୁଡିକ ବିରୋଧରେ ସଂକଳ୍ପନାମା ପାରିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟଥା ଏନ୍.ପି.ଆର୍ ସଂପର୍କିତ କୈାଣସି ପ୍ରଶ୍ନର ଉତ୍ତର ନ ଦେବାପାଇଁ ଜନଚେତନା ଗଢି ତୋଳିବାକୁ ଆହ୍ୱାନ କରିଥିଲେ । ଆଲୋଚନାଚକ୍ରର ନିଷ୍କର୍ଷ ଆଧାରରେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରେରଣ କରାଯାଇଥିଲା । ଅଧ୍ୟାପକ ଅଜୟ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଆବାହକ ତ୍ରୟ ଯଥାକ୍ରମେ ଆଦିକନ୍ଦ ରାଉଳ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିବାବେଳେ ଗୟାଧର ଧଳ ପରିଚୟ ପ୍ରଦାନ ଓ ମୁକ୍ତାର ଖାଁ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଶିକ୍ଷାବିତ୍ ଭଜକୃଷ୍ଣ ରାଉତ, ଡଃ. ବାସୁଦେବ ଦାସ, ଉମେଶ ଚନ୍ଦ୍ର ସିଂ, ମହମ୍ମଦ ଆକବର ଅଲ୍ଲୀ, ପ୍ରଭାତ ଅଧିକାରୀ,ସିପିଆଇ ଜିଲ୍ଲା ସାଧାରଣ ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ, ବାବାଜି ଧଳ, ପ୍ରଫୁଲ୍ଲ ଦାସ, ଅବନ୍ତି ବେହେରା, ବାବାଜି ପରିଡା, ଜଗତ୍ ଜୀବନ ଦାସ, କାଳୀ ପ୍ରସାଦ ନାୟକ, ମହମ୍ମଦ ଅକମଲ୍ ଖାନ୍, ସଂଜୟ ରାଉତ, ଶିବ ପ୍ରସାଦ ବିଶ୍ୱାଳ, ଭାଗିରଥି ଜେନା, ମାଧବ ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । କମଳାକାନ୍ତ ବେହେରା, ରଣଧୀର ଜେନା, ବିଧୁଭୂଷଣ ମହାପାତ୍ର, ଅମରେନ୍ଦ୍ର ଦାସ, ଜସ୍ମିନ୍ ଖାନ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାରମ୍ଭରେ ସମ୍ବିଧାନର ମୁଖବନ୍ଧ ପାଠ କରାଯିବା ସହ ଏହାର ସୁରକ୍ଷା ପାଇଁ ଉପସ୍ଥିତ ବୃଦ୍ଧିଜୀବୀମାନେ ଶପଥ ପାଠ କରିଥିଲେ ।