ଗରିବ, ଅସହାୟ ମହିଳାଙ୍କୁ ବଞ୍ଚୀବାର ରାହା ଦେଖାଇବ ଅଭୟା ଫାଉଣ୍ଡେସନ
ଭୁବନେଶ୍ୱର : ରାଜ୍ୟର ଅସହାୟ ତଥା ଗରିବ ମହିଳାମାନଙ୍କୁ ବଞ୍ଚୀବାର ରାହା ଦେଖାଇବା ଉଦ୍ଦେଶ୍ୟରେ ଓଡ଼ିଶା ମାଟିରେ ପାଦ ଥାପିଛି ଅଭୟା ଫାଉଣ୍ଡେସନ । ବିଶେଷ କରି ଗରିବ ମହିଳା ଓ ଯୁବତୀମାନଙ୍କ ବିକାଶ ସହିତ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା କ୍ଷେତ୍ରରେ ଅନୁଷ୍ଠାନ କାର୍ଯ୍ୟ କରିବ । ଶନିବାର ୟୁନିଟ-୯ ମିରାକିଲ୍ ଫିଲ୍ଡ ଅଞ୍ଚଳରେ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠାନକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ଟ୍ରାଫିକ ଡିସିି କୁମାରୀ ଶାଗରିକା ନାଥ । ଉଦ୍ଘାଟନ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ମହିଳା କମିସନ ସଦସ୍ୟ ଶ୍ରୀମତୀ ସ୍ନେହାଞ୍ଜଳି ମହାନ୍ତି, ମହିଳା ଓ ଶିଶୁ କଲ୍ୟାଣ ବିକାଶ ବିଭାଗର ପରାମର୍ଶଦାତା ସୁଲତା ଦେଓ ଏବଂ ପୂର୍ବତନ ର୍ପୋରେଟର ଶେଖ ନିଜାମୁଦିନ ଅନ୍ୟତମ ଅତିଥିଭାବେ ଯୋଗଦାନ ଦେଇ ଅନୁଷ୍ଠାନର ଉନ୍ନତି କାମନା କରିବା ସହ ୫୦୦ ଗରିବ ମହିଳା ଓ ଯୁବତୀଙ୍କ ମଧ୍ୟରେ ସାନିଟାରୀ ନ୍ୟାପକିନ୍, ହ୍ୟାଣ୍ଡୱାସ ବଣ୍ଟନ କରିଥିଲେ । ଫାଉଣ୍ଡେସନର କୋ-ଫାଉଣ୍ଡର ଶ୍ରୀମତୀ ଲବ୍ଲିନ୍ ଧଳ ଏହାର କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରି ବା ସହ ଏହି ସଂସ୍ଥା ଆଗାମୀ ଦିନରେ ଗରିବ ମହିଳା ଓ ଯୁବତୀଙ୍କୁ ଟେଲରିଂ ଓ ବିୟୁଟି ପାର୍ଲର କୋର୍ସ ଆଦି ମାଗଣାରେ ଯୋଗାଇ ସେମାନଙ୍କୁ ସ୍ୱାବଲମ୍ବୀ କରିବାରେ ସହଯୋଗ କରିବ ବୋଲି କହିଥିଲେ । ଟ୍ରଷ୍ଟି ପ୍ରମୋଦିନୀ ହରିଚନ୍ଦନ ଶେଷରେ ଧନ୍ୟବାଦ ଅର୍ପଣ ପୂର୍ବକ ଫାଉଣ୍ଡେସନର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ଟ୍ରାଫିକ ଡିସିି ସାଗରିକା ନାଥ ନିଜର ଖୁସି ଜାହିର କରି ଅଭୟା ଫାଉଣ୍ଡେସନର ଏହିଭଳି ମହତ ପଦକ୍ଷେପକୁ ସ୍ୱାଗତ ଜଣାଇବା ସହ ଏହା ସାମାଜିକ ସ୍ତରରେ ମହିଳମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ଆଶା ବ୍ୟକ୍ତ କରିଥିଲେ ।