ବାତ୍ୟାରେ କ୍ଷତିଗ୍ରସ୍ତ ଗୃହ ନିର୍ମାଣକୁ ପୋଲିସର ବିରୋଧ: ଅଦାଲତର ଆଶ୍ରୟ ନେଲେ ବିପନ୍ନ ପରିବାର
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଗୃହକୁ ନିର୍ମାଣ କରିବା ବେଳେ ପୋଲିସ ବିରୋଧ କରିବାରୁ ବିପନ୍ନ ପରିବାର ପକ୍ଷରୁ ମାନ୍ୟବର ଏସ.ଡି.ଜେ.ଏମ୍ କୋର୍ଟ, ଭଦ୍ରକରେ ଆଶ୍ରୟ ନିଆଯାଇଥିବାର ଜଣାଯାଇଛି । ପ୍ରକାଶ ଯେ, ବନ୍ତ ଥାନା ଅଧିନ ପଧାନପଡା ପଞ୍ଚାୟତ ପଦାକଣା ଗ୍ରାମର ପ୍ରଦୀପ୍ତ କୁମାର ଖଣ୍ଡେଇଙ୍କର ପଦାକଣା ମୌଜା ଖାତା ନଂ-୭୨, ପ୍ଲଟ ନଂ-୩୬୨ ଓ ୩୬୩ ଘରବାଡି ଉପରେ ନିଜର ଚାଳଛପର ଘର ରହିଛି । ଗତ ‘ଫନି’ବାତ୍ୟାରେ ଉକ୍ତ ଘରଟି ଭାଙ୍ଗି ଯାଇଥିବାରୁ ତାହାକୁ ସେ ମରାମତି କରୁଥିବା ବେଳେ ପୋଲିସ ପକ୍ଷରୁ ବନ୍ଦ କରାଯାଇଥିଲା । ପରେ ତାଙ୍କୁ ଥାନାକୁ ଡକା ଯାଇ ଉକ୍ତ ପ୍ଲଟରେ ଘର ନକରିବା ପାଇଁ କୁହାଯାଇଥିଲା । ଅପରପକ୍ଷେ ଉକ୍ତ ଗ୍ରାମର ଲଳିତା ସାହୁ ଓ ରଜନୀ ସାହୁ ଉକ୍ତ ମୌଜାର ଖାତା ନଂ-୧୨୯, ପ୍ଲଟ ନଂ-୩୬୪, ଏ୦-୦୧ଡି, ଘରବାଡି ଉପରେ ବିବାଦ ଥିବା ନେଇ ଭଦ୍ରକ ସିଭିଲଜଜ୍ ସିନିୟର ଡିଭିଜନଙ୍କ ଅଦାଲତରେ ସିଭିଲ କେସ ନଂ-୩୬୨/୨୦୧୮ ମୂଳେ ପ୍ରଦୀପ୍ତ ଖଣ୍ଡେଇ ଓ ଅନ୍ୟ ମାନଙ୍କ ନାମରେ ମୋକଦ୍ଦମା ଆଗତ କରିଥିଲେ । ମାନ୍ୟବର କୋର୍ଟ ଗତ ତା-୧୫-୧୨-୨୦୧୮ ରିଖରେ ଆଇ.ଏ.ନଂ-୪୦୦/୧୮ ମୂଳେ ଉକ୍ତ ଜମି ଉପରେ କୌଣସି ଘର ତିଆରି ନକରିବା ପାଇଁ ଆଦେଶ ଦେଇଥିଲେ । ଏପରିସ୍ଥଳେ ପ୍ରଦୀପ୍ତ ଖଣ୍ଡେଇ ଖାତା ନଂ-୭୨, ପ୍ଲଟ ନଂ-୩୬୨ ଓ ୩୬୩ ଘରବାଡି ଉପରେ ଥିବା ଚାଳ ଛପର ଘରକୁ ମରାମତି କରୁଥିବା ବେଳେ ପୋଲିସ କିଛି ନବୁଝି ବନ୍ଦ କରିବା ସହ ତାଙ୍କୁ ଗାଳିଗୁଲଜ କରିଥିବା ନେଇ ସେ ଅଦାଲତରେ ଆଶ୍ରୟ ନେଇଛନ୍ତି । ଏନେଇ ମାନ୍ୟବର ଏସ.ଡି.ଜେ.ଏମ୍, ଭଦ୍ରକଙ୍କ ଅଦାଲତରେ ଆଇ.ସି.ସି ନଂ-୪୯/୧୯ ମୂଳେ ମକଦ୍ଦମା ରୁଜ୍ଜୁ ହୋଇଛି ।