ସ୍ୱାସ୍ଥ୍ୟ ଭଲ ନୁହେଁ ଆଙ୍ଗୁଳି ଫୁଟାଇବା
ଅଧିକାଂଶ ଲୋକ ଫୁରୁସତ୍ ପାଇଲେ ଆଙ୍ଗୁଳି ଫୁଟାଇବାକୁ ଭଲ ପାଆନ୍ତି । ଆଉ କିଛି ଲୋକ ଆଙ୍ଗୁଳି ଫୁଟାଇବାକୁ ଏକ ନିତିଦିନିଆ ଅଭ୍ୟାସ ଭାବେ କରିଥା’ନ୍ତି । ହେଲେ ଆପଣ ଜାଣନ୍ତି କି, ଏହା ଆମ ଶରୀର କେତେ କ୍ଷତି କରିଥାଏ? ଯଦି ଆପଣ ଏହା ଜାଣିବେ, ତେବେ ଆଉ କେବେ ବି ଆଙ୍ଗୁଳି ଫୁଟାଇବେ ନାହିଁ । ଆଙ୍ଗୁଳି ଫୁଟାଇବାକୁ ଯେତିକି ମଜା ଲାଗେ, ଶରୀରର ତା’ଠାରୁ ଅଧିକ କ୍ଷତି କରିଥାଏ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆଙ୍ଗୁଳି ଫୁଟାଇବା ଦ୍ୱାରା ଗଣ୍ଠିରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୁଏ । ଏହା ଅନେକ ରୋଗକୁ ନିମନ୍ତ୍ରଣ ମଧ୍ୟ କରିଥାଏ । ରିସର୍ଚରୁ ଜଣାପଡ଼ିଛି, ଆଙ୍ଗୁଳି ଫୁଟାଇବା ବେଳେ ଏହା ଉପରେ ପଡ଼ୁଥିବା ଚାପ ଦ୍ୱାରା ଗଣ୍ଠି ଭିତରେ ଟାଣି ହୋଇଯାଏ । ଏହା ଦ୍ୱାରା ହାଡ଼ରେ ଯୋଡ଼ି ହୋଇଥିବା ଲିଗାମେଣ୍ଟରେ ଫାଟ ସୃଷ୍ଟି ହେବାର ଆଶଙ୍କା ଥାଏ । ବାରମ୍ୱାର ଆଙ୍ଗୁଳି ଫୁଟାଇବା ଦ୍ୱାରା ଆମ ଆଙ୍ଗୁଳିର ହାଡ଼ ଦୁର୍ବଳ ହୋଇଯାଏ, ଫଳରେ ସାମାନ୍ୟ ଆଘାତ ଲାଗିଲେ ବି ଏହା ଭାଙ୍ଗିଯିବାର ଆଶଙ୍କା ରହିଥାଏ ।
ଗଣ୍ଠିରେ ଚାପ କମ୍ ହେଲେ କାର୍ବନ୍ ଡାଇଅକ୍ସାଇଡ୍ ଖାଲି ସ୍ଥାନ ପୂରଣ କରେ ଓ ଏକ ଫୋଟକା ସୃଷ୍ଟି ହୁଏ । ତେଣୁ ଆଙ୍ଗୁଳି ଫୁଟାଇଲେ ଶବ୍ଦ ହୁଏ । ହେଲେ ଏହି ଫୋଟକା ଥରେ ଫୁଟିଗଲେ ଆଉ ଫୁଟେ ନାହିଁ । ତେଣୁ ଦ୍ୱିତୀୟ ଥର ଆଙ୍ଗୁଳି ଫୁଟାଇବା ଦ୍ୱାରା ଆଉ ଶବ୍ଦ ହୁଏ ନାହିଁ । କିନ୍ତୁ ବାରମ୍ୱାର ଏପରି କରିବା ଦ୍ୱାରା ଗଣ୍ଠିରେ ଚାପ ପଡ଼େ । ଫଳରେ ଆଙ୍ଗୁଳିରେ ଦରଜ ମଧ୍ୟ ହୁଏ । ଆଉ ସବୁବେଳେ ଫୁଟାଇବା ଦ୍ୱାରା ଆଙ୍ଗୁଳି ଦରଜ ହେବା ସହ ଭବିଷ୍ୟତରେ ଆପଣଙ୍କୁ ହାଡ଼ରେ ବିଭିନ୍ନ ସମସ୍ୟା ଭାଗିବାକୁ ପଡ଼ିପାରେ । ତେଣୁ ଯଥାଶୀଘ୍ର ସମ୍ଭବ ଆଙ୍ଗୁଳି ଫୁଟାଇବା ଅଭ୍ୟାସକୁ ବଦଳାନ୍ତୁ ଏବଂ ସୁସ୍ଥ ରୁହନ୍ତୁ ।


