ମାର୍ଚ୍ଚରେ ମିଳିଛି ୮.୧୪ଲକ୍ଷ ନିଯୁକ୍ତି: ଇପିଏଫ୍ଓ
ନୂଆଦିଲ୍ଲୀ, (ଏଜେନ୍ସି): କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍ଓ)ର ସଦ୍ୟ ଆକଳନ ଅନୁସାରେ ସଂଗଠିତ ତଥା ଔପଚାରିକ କ୍ଷେତ୍ରରେ ମାର୍ଚ୍ଚ ୨୦୧୯ରେ ଶୁଦ୍ଧ ଭାବେ ୮.୧୪ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି । ତେବେ ଫେବ୍ରୁଆରୀରେ ୭.୮୮ଲକ୍ଷ ନୂଆ ନିଯୁକ୍ତି ମିଳିଥିଲା । ଆର୍ଥିକ ବର୍ଷ ୨୦୧୮-୧୯ରେ ୬୭.୫୯ଲକ୍ଷ ରୋଜଗାର ଅବସର ସୃଷ୍ଟି ହୋଇଛି । ନିଯୁକ୍ତିର ଏହି ଆକଳନ କର୍ମଚାରୀଙ୍କ ଇପିଏଫ୍ଓରେ ଅଂଶଦାନ ବିଶ୍ଲେଷଣ ଉପରେ ଆଧାରିତ । ଇପିଏଫ୍ଓ ଏପ୍ରିଲ୍ ୨୦୧୮ରୁ ନିଯୁକ୍ତିର ଆକଳନ ଜାରି କରିଆସୁଛି । ଏହି ଆକଳନ ଅନୁସାରେ ସେପ୍ଟେମ୍ବର ୨୦୧୭ରୁ ମାର୍ଚ୍ଚ ୨୦୧୮ ମଧ୍ୟରେ ଇପିଏଫ୍ଓରେ ସମୁଦାୟ ୧୫.୫୨ଲକ୍ଷ ନୂଆ ସଦସ୍ୟ ସଂଶ୍ଳିଷ୍ଟ ହୋଇଛନ୍ତି । ଏଥିରେ ସେପ୍ଟେମ୍ବର ୨୦୧୭ରୁ ଆରମ୍ଭ ହୋଇଥିବା ଅବଧିର ଆକଳନ ସାମିଲ କରାଯାଇଛି । ମାର୍ଚ୍ଚ ୨୦୧୯ରେ ସର୍ବାଧିକ ନିଯୁକ୍ତି ୨୨ରୁ ୨୫ବର୍ଷୀୟ ଲୋକଙ୍କୁ ମିଳିଛି । ଏହି ବୟସର ଲୋକଙ୍କ ପାଇଁ ୨.୨୫ଲକ୍ଷ ନିଯୁକ୍ତି ଅବସରର ସୃଷ୍ଟି ହୋଇଛି । ଏହାପରେ ୧୮ରୁ ୨୧ବର୍ଷରେ ରୋଜଗାର ସୃଷ୍ଟି ହୋଇଛି । ଆର୍ଥିକ ବର୍ଷ ୨୦୧୮-୧୯ରେ ୮.୩୧ଲକ୍ଷ ଆକଳନ ସହିତ ନିଯୁକ୍ତିରେ ବୃଦ୍ଧିର ସବୁଠାରୁ ଉଚ୍ଚ ଆକଳନ ଜାନୁଆରୀ ୨୦୧୯ରେ ହୋଇଛି । ଗତ ମାସରେ ଜାରି ପ୍ରାରମ୍ଭିକ ଆକଳନରେ ଜାନୁଆରୀ ୧୯ର ଏହି ଆକଳନ ୮.୯୪ଲକ୍ଷ ଦର୍ଶାଯାଇଛି । ଏପ୍ରିଲ୍ ୨୦୧୯ରେ ଜାରି ନିଯୁକ୍ତି ଆକଳନରେ ମାର୍ଚ୍ଚ ୨୦୧୮ ଆକଳନରେ ବଡ଼ ସଂଶୋଧନ କରାଯାଇଛି । ଏଥିରେ ନିଯୁକ୍ତିର ଅବସରରେ ୫୫,୯୩୪ ହ୍ରାସ୍ ଦେଖିବାକୁ ମିଳିଛି ।


