ପ୍ରତିଦିନ ବୃଦ୍ଧିପାଉଛି ଗଣେଶଙ୍କ ମୂର୍ତ୍ତିର ଉଚ୍ଚତା
ଛତିଶଗଡ଼ର ଦାନ୍ତେୱାଡ଼ା ଅଞ୍ଚଳର ଢାଲକଲ ପାହାଡ଼ରେ ରହିଛି ଏକ ରହସ୍ୟମୟ ଗଣେଶ ମୂର୍ତ୍ତି । ପ୍ରାୟ ୧୧୦୦ ବର୍ଷ ପୁରୁଣା ଏହି ମୂର୍ତ୍ତିଟିର ଉଚ୍ଚତା ପ୍ରତିଦିନ ବୃଦ୍ଧି ପାଇଥାଏ । ସମୁଦ୍ର ପତ୍ତନଠାରୁ ୧୩ ହଜାର ଫୁଟ୍ ଉଚ୍ଚରେ ଏହା ଅବସ୍ଥିତ । ମୂର୍ତ୍ତିର ଉଚ୍ଚତା ବୃଦ୍ଧିକୁ ନେଇ ଅନେକ ଗବେଷଣା ଚାଲିଥିଲେ ବି ପ୍ରକୃତ ରହସ୍ୟର ଆଜି ଯାଏଁ ଉନ୍ମୋଚନ ହୋଇପାରୁନାହିଁ । ଏଭଳି ଅଲୌକିକ ତଥା ରହସ୍ୟମୟ ମୂର୍ତ୍ତିକୁ ଦେଖିବା ଲାଗି ଅନେକଙ୍କ ମଧ୍ୟରେ କୌତୁହଳ ପ୍ରକାଶ ପାଇଛି । କିନ୍ତୁ ମନ୍ଦିର ପର୍ଯ୍ୟନ୍ତ ପହଞ୍ôଚବାକୁ ହେଲେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ପ୍ରଥମତଃ ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ମନରେ ଭୟ ତ ରହିଥାଏ, ତା’ ସାଙ୍ଗକୁ ଜଙ୍ଗଲିଆ ରାସ୍ତା ଖୁବ୍ ବିପଦପୂର୍ଣ୍ଣ । ଏଠାରେ ମହାବିନାୟକଙ୍କ କଳା ମୁଗୁନି ପଥରରେ ନିର୍ମିତ ମୂର୍ତ୍ତିର ଅବସ୍ଥିତିକୁ ନେଇ ଅନେକ ଜନଶ୍ରୁତି ରହିଛି । କୁହାଯାଏ, ଏହା ହେଉଛି ଗଜାନନ ଏବଂ ପର୍ଶୁରାମଙ୍କ ସେହି ଅଦେଖା ଯୁଦ୍ଧଭୂମି ଯେଉଁଠାରେ ଭଗବାନ ଗଣେଶଙ୍କ ଭଙ୍ଗା ଦାନ୍ତର କିଛି ଅଂଶ ଆଜି ବି ମହଜୁଦ୍ ରହିଛି । ତେଣୁ ତାଙ୍କୁ ଏକଦନ୍ତ ବୋଲି ମଧ୍ୟ କୁହାଯାଏ । ପ୍ରତିଦିନ ମୂର୍ତ୍ତିର ଉଚ୍ଚତା ବୃଦ୍ଧିପାଉଥିବାରୁ ଆଭୂଷଣ ମଧ୍ୟ ଆପଣାଛାଏଁ ଛୋଟ ହେବାରେ ଲାଗିଛି । ଏହା କାହିଁକି ଓ କିପରି ହେଉଛି ତାହା ରହସ୍ୟମୟ ।


