୩ଦିନ ବିତିଲା ଗଜପତି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଚୋରି ଶିଶୁର ପତ୍ତା ମିଳିଲା ନାହିଁ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନାରୁ ଗତ ୨୧ ତାରିଖ ଦିନ ଅର୍ଥାତ ୩ଦିନ ତଳେ ଏକ ଚାରିଦିନର ଶିଶୁକୁ କୌଣସି ଦୁବୃତ୍ତ ମହିଳା ଚୋରି କରି ନେଇଥିବା ଘଟଣା ସମଗ୍ର ଜିଲ୍ଲାରେ ଉଦବେଗ ପ୍ରକାଶ ପାଇବା ସହ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ଚୋରି ଘଟଣାକୁ ଆଜି ୩ଦିନ ପୁରିଛି । ତଥାପି ଘଟଣାର କୌଣସି ପତ୍ତା ମିଳିନାହିଁ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ,ଗତ ୨୦ତାରିଖ ମଧ୍ୟାହ୍ନରେ ଗଜପତି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଘଟିଥିଲା । ଏହି ଡାକ୍ତରଖାନାରେ ୪ଦିନର ଜନ୍ମତ ଏକ ଶିଶୁ ସନ୍ତାନକୁ ଜଣେ ଅଜ୍ଞାତ ମହିଳା ଚୋରି କରି କେଉଁ ଆଡେ ଅର୍ନ୍ତଦ୍ଧାନ ହୋଇଥିଲା । ଘଟଣାରୁ ପ୍ରକାଶ ଗତ ବୁଧବାର ୧୮ତାରିଖ ଦିନ ଗଜପତି ଜିଲ୍ଲାର ନୁଆଗଡ ବ୍ଲକର ମାଣିକପୁର ଗ୍ରାମର କୁରି ପାଇକ ନାମକ ଜଣେ ମହିଳା ପ୍ରସବ ବେଦନାରେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମହକୁମା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେହିଦିନ ହିଁ ମହିଳାଙ୍କର ଅସ୍ତ୍ରପୋଚାର କରାଯାଇଥିଲା । ଏଥିରେ ମହିଳା ଜଣକ ଏକ ଶିଶୁ ସନ୍ତାନକୁ ଜନ୍ମ ଦେଇଥିଲେ । ମାଆ ଓ ଶିଶୁଟି ଜିଲ୍ଲା ମହକୁମା ଡାକ୍ତରଖାନାର ପ୍ରସୁତି ବିଭାଗର ୱାର୍ଡରେ ଚିକିତ୍ସାଧିନ ଥିଲେ । ଗତ ୨୧ତାରିଖ ମଧ୍ୟାହ୍ନରେ କେହି ଜଣେ ଅଜ୍ଞାତ ମହିଳା ତାଙ୍କ ନିକଟକୁ ଆସି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇ ଡାକ୍ତର ଶିଶୁକୁ ଧରି ଶୀଘ୍ର ଆସିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ବୋଲି କହିଥିଲେ । ଏହି ସମୟରେ ଶିଶୁ ସନ୍ତାନର ମାଆ କୁରି ପାଇକ ମଧ୍ୟାହ୍ନ ଭୋଜନ ଖାଉଥିବା ଦେଖି ସମ୍ପୃକ୍ତ ମହିଳା ଜଣକ ମୁଁ ଶିଶୁଟିକୁ ଧରି ଡାକ୍ତରଙ୍କ ପାଖକୁ ଯାଉଛି ତମେ ଖାଇସାରିବା ପରେ ସେଠାକୁ ଆସ ବୋଲି କହି ଶିଶୁଟିକୁ ଧରି ଚାଲିଯାଇଥିଲେ । ଅଳ୍ପ କିଛି ସମୟ ପରେ ଶିଶୁଟିର ମାଆ ଓ ଶାଶୁ ଓ ଅନ୍ୟଜଣେ ସମ୍ପର୍କୀୟ ମହିଳା ଦୌଡି ଡାକ୍ତରଙ୍କ ନିକଟକୁ ଯାଇଥିଲେ । ସେଠାରେ ତାଙ୍କର ଶିଶୁ ସନ୍ତାନ ନ ଥିବା ଦେଖି ବ୍ୟାକୁଳରେ ଡାକ୍ତରଙ୍କୁ ପଚାରିଥିଲେ । ଡାକ୍ତର କହିଥିଲେ ଯେ,ଶିଶୁଟିକୁ ମୁଁ କାହାକୁ ଆଣିବା ପାଇଁ କହି ନାହିଁ । ପରେ ଶିଶୁଟିର ମାଆ ଓ ଅନ୍ୟମାନେ ଏବଂ ଡାକ୍ତରଖାନାର କର୍ମଚାରୀମାନେ ଡାକ୍ତରଖାନା ମଧ୍ୟରେ ମିଳିତ ଭାବେ ଖୋଜାଖୋଜି କରିଥିଲେ । ତେବେ ଶିଶୁଟିର କୌଣସି ପତ୍ତା ମିଳିନଥିଲା । ପରେ ଡାକ୍ତରଖାନାରେ ଥିବା ସମସ୍ତ ସିସିଟିଭି ଫୁଟେଜକୁ ମଧ୍ୟ ଟିକିନିଖି ଭାବେ ଅନୁଧ୍ୟାନ କରାଯାଇଥିଲା । ଫୁଟେଜରେ ଜଣେ ଅଜ୍ଞାତ ମହିଳା ଶିଶୁ ଟିକୁ ନେଉଥିବା କିଛି ମାତ୍ରାରେ ଦେଖାଯାଇଥିଲା । ଏହି ଘଟଣା ନେଇ ଚୋରି ଯାଇଥିବା ଶିଶୁର ପିତା ମଦନ ବାଣୁଆ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ । ପାରଳାଖେମୁଣ୍ଡି ପୋଲିସ ଏ ନେଇ କେସ ନଂ ୬୬/୨୦ରେ ମକଦ୍ଦମା ରୁଜୁ କରିଛନ୍ତି । ଗଜପତି ଏସପି ସାରା ଶର୍ମା ଏଥ ôନେଇ ଆଜି କହିଛନ୍ତି, ଡାକ୍ତରଖାନା ପରିସର ଏବଂ ସିସଟିଭିରୁ ସମସ୍ତ ତଥ୍ୟ ନେଇ ତଦନ୍ତ ଜାରି ରହିଛି । କରୋନାରୁ ସୁରକ୍ଷା ପାଇଁ ଗତ କିଛି ଦିନ ହେଲା ପୋଲିସ ସଜାଗ ରହି ସମଗ୍ର ଜିଲ୍ଲାରେ ଦିବାରାତ୍ର ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରୁଛି । ଏଥିନେଇ ପୋଲିସ ବ୍ୟାପକ ଭାବେ ପ୍ରତ୍ୟେକ ଅଞ୍ଚଳରେ ଉପସ୍ଥିତ ରହିବାକୁ ପଡୁଛି । ତଥାପି ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ କିଛି ତଥ୍ୟକୁ ନେଇ ଶିଶୁ ଚୋରି ଘଟଣାର ବ୍ୟାପକ ତଦନ୍ତ ଜାରି ରହିଛି । ଅତି ତୁରନ୍ତ ଶିଶୁଟିକୁ ଉଦ୍ଧାର କରାଯିବା ସହ ଏହାର ଦୋଷୀଙ୍କୁ ଗିରଫ କରାଯିବ ।