ନଗରପାଳ ଆସନରୁ ହଟି ବିଧାୟକ ଆସନରେ ବସିଲେ ନିଲୁ
ଭାଗ୍ୟ କେତେବେଳେ କାହାକୁ ନେଇ କେଉଁଠାରେ ପହଞ୍ଚାଇଥାଏ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଜି ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକରେ । ପୁରୀ ପୌରପାଳିକାର ପୂର୍ବତନ ନଗରପାଳ ଜୟନ୍ତ ଷଡ଼ଙ୍ଗୀ ଦୀର୍ଘ ୫ ବର୍ଷ ଧରି ରଥଯାତ୍ରା ବୈଠକରେ ନଗରପାଳଙ୍କ ଆସନରେ ବସିଥିଲେ । ହେଲେ ବୁଧବାର ସେ ଏହି ବୈଠକରେ ନଗରପାଳ ଆସନରୁ ହଟି ବିଧାୟକ ଆସନରେ ଅଳଙ୍କୃତ ହେଲେ । ନଗରପାଳ ସମୟରେ ସହରର ସ୍ଥିତି ସମ୍ପର୍କରେ ତାଙ୍କର ଅଭିଜ୍ଞତା ରହିଛି । ତେଣୁ ଆଗାମୀ ରଥଯାତ୍ରା ସମୟରେ କେଉଁଠାରେ କ’ଣ ଅସୁବିଧା ହୁଏ ତାହା ତାଙ୍କୁ ଭଲ ଭାବେ ଜଣା । ତେଣୁ ଚଳିତବର୍ଷ ରଥଯାତ୍ରା ଯେପରି ଶୃଙ୍ଖଳିତ ଓ ଅତ୍ୟନ୍ତ ସୁନ୍ଦର ଭାବେ ହେବ ତାହା ଉପରେ ବିଶେଷ ଦୃଷ୍ଟି ଦେବେ ବୋଲି କହିଥିଲେ । ଫଳରେ ତାଙ୍କ ଆସନ ପରିବର୍ତ୍ତନ ଦେଖି ବୈଠକରେ ଉପସ୍ଥିତ ଥିବା ଭଦ୍ରବ୍ୟକ୍ତି ଟୁପୁରୁ ଟାପର ହେଉଥିଲେ ଭାଗ୍ୟ କାହାକୁ ନେଇଁ କେଉଁଠାରେ ଆସନ ଦେଇଥାଏ ।


