ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଦା ହୋଇଛି ପାଲ ଖୋଲା ଆକାଶ ତଳେ କୁମ୍ଭକାର ପରିବାର
ପୁରୀ(ଜୁଗାବ୍ଦ ନ୍ୟୁଜ୍): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାରେ ନିୟୋଜିତ କୁମ୍ଭକାର ସେବାୟତମାନେ ପ୍ରତ୍ୟେକ ଦିନ ଶ୍ରୀଜୀଉଙ୍କ ନିକଟରେ ଭୋଗ ଲାଗି ହେବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସାଇଜର କୁଡୁଆ ପ୍ରଦାନ କରିଥାନ୍ତି । ହେଲେ ଫାନି ପ୍ରଭାବରେ ସେମାନେ ଆଜି ନିସ୍ୱ ହେବା ସହ କୂଳବେଉଶା ବୁଡିଯାଇଛି । ନାଁ ଅଛି ସେମାନଙ୍କ ଘର ନାଁ ଶାଳ । ସେମାନେ ମାଟିରେ ବିଭିନ୍ନ ପ୍ରକାର କୁଡୁଆ ପ୍ରସ୍ତୁତ କରି ତାକୁ ବିକ୍ରୟ କରି ସେମାନଙ୍କର ପରିବାରର ଗୁଜରାଣ ମେଣ୍ଟାଇଥାନ୍ତି । ସଂପ୍ରତି ସେମାନେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି । ଏନେଇ ପୁରୀ ସହର ସମେତ ଜିଲ୍ଲାର ବିଭିନ୍ନ ବ୍ଲକ୍ର କୁମ୍ଭକାର ସେବାୟତମାନେ ସେମାନଙ୍କ ଦୁଃଖ ସମ୍ପର୍କରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ତାଙ୍କର ଦୁଃଖ କେହି ଶୁଣିବାକୁ ନାହାନ୍ତି । ହେଲେ ଶ୍ରୀମନ୍ଦିର କାର୍ଯ୍ୟାଳୟ ବାରଣ୍ଡାରେ ହଜାର ହଜାର ସଂଖ୍ୟାରେ ପାଲ ଜମା ହୋଇଥିଲାବେଳେ ବାତ୍ୟାର ୨୯ ଦିନ ପରେ ମଧ୍ୟ ଜିଲ୍ଲାର କୁମ୍ଭକାର ପରିବାରକୁ ବର୍ତ୍ତମାନ ପର୍ଯ୍ୟନ୍ତ ଜରିପାଲ ପ୍ରଦାନ କରାଯାଇନାହିଁ । ଫଳରେ ସେମାନେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି । ମାତ୍ର ପ୍ରଶାସନ ବାତ୍ୟା ପରଠାରୁ ଜିଲ୍ଲାରେ ବ୍ୟାପକ ଭାବରେ ବିପନ୍ନଙ୍କ ଅସୁବିଧାକୁ ଦୂର କରିବାରେ ଲାଗିଛନ୍ତି ବୋଲି ସୂଚନା ଦେଉଥିଲା ବେଳେ ବାସ୍ତବରେ ତାହା କେତେ ଫଳପ୍ରଦ ହେଉଛି ତାହା ଦେଖିବାକୁ କେହି ନାହାନ୍ତି । ଏନେଇ ସେମାନେ ଥରେ ନୁହେଁ ଦୁଇ ଦୁଇ ଥର ପୁରୀ ଆସି ଦୁଇ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଧା ତାହା ଫଳପ୍ରଦ ହୋଇନାହିଁ । ଫଳରେ ଯାହାକୁ ନେଇ ଏବେ ସହରରେ ଆଲୋଚ୍ୟର ବିଷୟ ହୋଇଛି । ଅନ୍ୟପକ୍ଷରେ ଆଗକୁ ରଥଯାତ୍ରା ଥିଲାବେଳେ ମହାପ୍ରଭୁଙ୍କ ସେବା କାର୍ଯ୍ୟରେ କୁଡୁଆର ଗୁରତ୍ୱ ରହିଛି । କିନ୍ତୁ କୁମ୍ଭକାର ସେବାୟତଙ୍କୁ ଅଣଦେଖା କରିବା ଶ୍ରୀମନ୍ଦିର ପ୍ରଶାସନକୁ ମହଙ୍ଗା ପଡିବ ବୋଲି ଜଣାପଡିଛି । ତେବେ ଦେଖିବାର ଅଛି କେବେ ବିପନ୍ନ କୁମ୍ଭକାର ପରିବାରକୁ ମିଳୁଛି ଜରିପାଲ ।


