ନମ୍ବର ବିହିନ ଗାଡିରେ ଚାଲିଛି ଧାନ ବୁହା ହୋମଗାର୍ଡ ଗାଡି ଅଟକାଇବାରୁ ମାଡ
ନାଉଗାଁ:ନାଉଗାଁ ବ୍ଳକ ଅନ୍ତର୍ଗତ ମହିଷାମୁଣ୍ଡା ନିକଟରେ ଏକ ନମ୍ବର ବିହିନ ଧାନ ବୋଝେଇ ଟ୍ରାକ୍ଟର ଗାଡି ଶୁକ୍ରବାର ଆସୁଥିବା ସମୟରେ ନାଉଗାଁ ଥାନାରେ କାର୍ଯ୍ୟରତ ହୋମଗାର୍ଡ ଗାଡିଟିକୁ ଅଟକାଇଥିଲେ । ଗାଡିରେ କଣ ଅଛି ପଚାରିବାରୁ ଗାଡି ଡ୍ରାଇଭରଙ୍କ ସହ ହୋମଗାର୍ଡଙ୍କର ବଚାସ ହୋଇଥିଲା । ପରେ ଟ୍ରାକ୍ଟର ଡ୍ରାଇଭର ହୋମଗାର୍ଡଙ୍କୁ ମାଡ ମାରି ଫେରାର ହୋଇଯାଇଥିଲେ । ଏ ବିଷୟରେ ହୋମଗାର୍ଡ ବିଷ୍ଣୁ ଚରଣ ମହାନ୍ତି ଥାନାକୁ ଖବର ଦେଇଥିଲେ । ଖବର ପାଇ ଥାନା ପକ୍ଷରୁ ଗାଡିଟିକୁ ଥାନାକୁ ଅଣା ଯାଇଥିଲା । ଟ୍ରାକ୍ଟର ଇଂଜିନ ଓ ଡାଲାର ନମ୍ବର ପ୍ଳେଟ ନଥିବା ବେଳେ ଗାଡିର ସଠିକ କାଗଜପତ୍ର ସମ୍ବନ୍ଧରେ ସନ୍ଦେହ ପ୍ରକାଶ ପାଇଛି । ଗାଡିଟି ୨ ଦିନ ହେବ ଥାନାରେ ରହିଥିବା ବେଳେ ଏପର୍ଯ୍ୟନ୍ତ ମାମଲା ରୁଜୁ କରାଯାଇ ନାହିଁ । ଯାହାକି ପୋଲିସର କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆଣିଛି । ଏ ବିଷୟରେ ଥାନାଧିକାରୀ ଗୋବର୍ଦ୍ଧନ ସାହୁଙ୍କୁ ପଚାରିବାରୁ ଗାଡି ନାଁରେ ମାମଲା ରୁଜୁ କରାଯିବ ବୋଲି କହିଥିଲେ ।