ଦ୍ୱିତୀୟ ପାଳିର ପ୍ରଥମ ୧ଠଠ ଦିନ , ବନ୍ଦ ହେବ ୪୬ ରାଷ୍ଟ୍ରାୟତ୍ତ ଉଦ୍ୟୋଗ!
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ୧ଠଠ ଦିନ ଦେଶର ଅର୍ଥନୈତିକ ସ୍ଥିତି ସଜାଡ଼ିବା ଦିଗରେ ଉଭୟ ଗୁରୁତ୍ୱପୂର୍ଣ୍ଣ ଏବଂ ମହତ୍ୱପୁର୍ଣ ସାବ୍ୟସ୍ତ ହୋଇପାରେ । ନୂତନ ଶିଳ୍ପ ବିକାଶ ପାଇଁ ଅର୍ଥନୈତିକ ସଂସ୍କାର ଦୃଷ୍ଟିରୁ ଶ୍ରମ ଆଇନରେ ପରିବର୍ତ୍ତନ, ଜମି ବ୍ୟାଙ୍କ ପ୍ରତିଷ୍ଠା ଏବଂ ଘରୋଇକରଣ ଭଳି ପଦକ୍ଷେପ ନିଆଯିବାର ସମ୍ଭାବନା ଥିବା ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି । ରାଜୀବ କୁମାର ପ୍ରତ୍ୟକ୍ଷ ଭାବେ ପ୍ରଧାନମନ୍ତ୍ରୀଙ୍କୁ ସମସ୍ତ ବିଷୟ ଅବଗତ କରାଇଥାନ୍ତି ।
ସମ୍ବାଦ ସରବରାହ ସଂସ୍ଥା ରଏଟର ସହ ସାକ୍ଷାତକାର ବେଳେ ରାଜୀବ କୁମାର ଆଶ୍ୱସ୍ତ କରି କହିଛନ୍ତି, ବିଦେଶୀ ନିବେଶକଙ୍କ ପାଇଁ ଖୁସି ଖବର କାରଣ ପରିବର୍ତ୍ତନ ସେମାନଙ୍କ ସପକ୍ଷରେ ଅଛି । ଆଗାମୀ ୧୦୦ ଦିନରେ ହେବାକୁ ଥିବା ପରିବର୍ତ୍ତନର ସୂତ୍ରଧର ସାଜିଥିବା ମୋଦି ଏବେ ଥିଙ୍କ୍ ଟ୍ୟାଙ୍କ ଅର୍ଥାତ୍ ନୀତି ଆୟୋଗର ମଧ୍ୟ ଅଧ୍ୟକ୍ଷ ରହିଛନ୍ତି । ମୋଦି ତାଙ୍କ ମନ୍ତ୍ରିମଣ୍ଡଳ ଘୋଷଣା ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ଅନେକ ଗଣମାଧ୍ୟମ ଅମିତ୍ ଶାହା ଅର୍ଥ ମନ୍ତ୍ରୀ ହେବା ନେଇ ଅଟ୍ଟକଳ କରିଥିବା ବେଳେ ରାଜୀବ କୁମାର ଏହା କହିଛନ୍ତି ।
୬୫ ବର୍ଷ ଧରି କାର୍ଯ୍ୟ କରୁଥିବା ଯୋଜନା କମିଶନଙ୍କୁ ବେଦଖଲ କରି ୪ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦି ନୀତି ଆୟୋଗ ଗଠନ କରିଥିଲେ ଯାହା ଏବେ ଦେଶରେ ଯୋଜନା ପ୍ରଣୟନ ଓ ନୂଆ ଚିନ୍ତାଧାରା ପ୍ରୟୋଗର ମୁଖ୍ୟ କେନ୍ଦ୍ର ପାଲଟିଛି । ସେ ଦୃଷ୍ଟିରୁ ଆସନ୍ତା ଜୁଲାଇ ମାସରେ ଲୋକସଭା ଅଧିବେଶନ କାଳରେ ସରକାର ଜଟିଳ ଶ୍ରମ ଆଇନରେ ପରିବର୍ତ୍ତନ ଆଣିବା ପାଇଁ ବିଲ୍ ଉପସ୍ଥାପନ କରିବେ ବୋଲି ରାଜୀବ କୁମାର କହିଛନ୍ତି । ଏଥିରେ ୪୪ଟି କେନ୍ଦ୍ରୀୟ ନିୟମକୁ ଏକତ୍ରୀକରଣ କରାଯାଇ ମଜୁରୀ, ବ୍ୟବସାୟିକ ସମ୍ବନ୍ଧ, ସାମାଜିକ ସୁରକ୍ଷା ଓ ଜନ କଲ୍ୟାଣ ଏବଂ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଶ୍ରମ ସ୍ଥିତି ଭଳି ୪ଟି କୋଡରେ ସୀମିତ ରଖାଯିବାକୁ ପ୍ରସ୍ତାବ ରହିଛି । ଏହା ଫଳରେ କମ୍ପାନୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଦେଖାଦେଉଥିବା ଜଟିଳ ବିବାଦ ସମାଧାନର ସୂତ୍ର ବାହାରିବା କିଛିଟା ସହଜ ହୋଇ ପାରିବ ବୋଲି ଆଶା କରାଯାଉଛି । କୁମାର କହିଛନ୍ତି, ଆଗାମୀ ଦିନରେ ସରକାର ୪୨ଟିରୁ ଅଧିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ବନ୍ଦ କରିବା କିମ୍ବା ଘରୋଇକରଣ କରିବା ଭଳି ନିଷ୍ପତ୍ତି ନେଇପାରନ୍ତି । ଏଆର ଇଣ୍ଡିଆ ମଧ୍ୟ ଏହା ଅଧୀନରେ ଆସିବାର ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ ବହୁତଗୁଡ଼ିଏ କମ୍ପାନୀକୁ ଗୋଟିଏ ପ୍ଲାଟ୍ଫର୍ମରେ ରଖିବା ଫଳରେ ସରକାରଙ୍କ ପାଇଁ ନିଷ୍ପତ୍ତି ନେବା ପ୍ରକ୍ରିୟା ସହଜ ହେବ ବୋଲି ବିଶ୍ୱାସ କରାଯାଉଛି ।


