୭ରେ କେରଳ ଛୁଇଁପାରେ ମୌସୁମୀରଜ ପରେ ଓଡ଼ିଶା ଆସିବ

ଭୁବନେଶ୍ୱର, (ବ୍ୟୁରୋ): ଦେଶର ଚାଷୀକୂଳ ନିର୍ଭର କରୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ କେବେ ପହଞ୍ଚିବ ସେ ନେଇ ଅନିଶ୍ଚିତତା ଦେଖାଦେଇଛି । ଭାରତୀୟ ପାଣିପାଗ ବିଭାଗ ମୌସୁମୀ ଆସନ୍ତା ୬ ତାରିଖରେ କେରଳ ଛୁଇଁବାର ସମ୍ଭାବନା ଥିବା କହୁଥିବା ବେଳେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ୭ ତାରଖରେ ମୌସୁମୀ କେରଳ ଛୁଇଁବ ବୋଲି କହିଛି । ଏଥିରେ ଗୋଟିଏ ବା ଦୁଇଦିନ ଆଗ ପଛ ହୋଇପାରେ ବୋଲି ସଂସ୍ଥା ଅନୁମାନ କରିଛି । ପୂର୍ବରୁ ସ୍କାଏମେଟ୍ ଜୁନ୍ ୪ରେ ମୌସୁମୀ କେରଳ ଛୁଇଁବ ବୋଲି କହିଥିଲା । କିନ୍ତୁ ମେ ୧୮ରେ ଆଣ୍ଡାମାନ ଛୁଇଁଥିବା ମୌସୁମୀ ପ୍ରତିକୂଳ ପରିସ୍ଥିତି ଯୋଗୁ ଆଗକୁ ବଢି ପାରିନଥିଲା । କିନ୍ତୁ ଏବେ ମୌସୁମୀ ସକ୍ରିୟ ହେବା ପାଇଁ ଅନୁକୂଳ ପାଗ ସୃଷ୍ଟି ହୋଇଛି ଏବଂ ଏହା ଆସନ୍ତା ୭ ତାରିଖ ସୁଦ୍ଧା କେରଳରେ ନିଜର ଉପସ୍ଥିତି ଜାହିର କରିବ ବୋଲି ସ୍କାଏମେଟ୍ର ବରିଷ୍ଠ ପାଣିପାଗ ବିଶେଷଜ୍ଞ ଜିପି ଶର୍ମା କହିଛନ୍ତି । ତାଙ୍କ ମତରେ ଆମେ ଆକଳନ କରିଥିଲୁ ଯେ ମୌସୁମୀ ମେ ୨୦ରେ ଆଣ୍ଡାମାନ ପହଞ୍ଚିବ । କିନ୍ତୁ ଏହା ଦୁଇ ଦିନ ଆଗରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚି ଯାଇଥିଲା । କିନ୍ତୁ ଏହାପରେ ମୌସୁମୀ ଧିମା ହୋଇ ଯାଇଥିଲା । ମେ ୨୭ ପରେ ମୌସୁମୀ ପୁଣି ସକ୍ରିୟ ହୋଇଛି ଏବଂ ଏହା ଆଣ୍ଡାମାନର ଅଧିକାଂଶ ଅଞ୍ଚଳରେ ପ୍ରବେଶ କରିଛି । ୩୦ ତାରିଖ ସୁଦ୍ଧା ଏହା ବଙ୍ଗୋପସାଗର ଓ ପୋର୍ଟ ବ୍ଲେୟାର ଅଞ୍ଚଳ ଛୁଇଁଛି । ତେଣୁ ଜୁନ୍ ୭ ସୁଦ୍ଧା ଏହା କେରଳରେ ପ୍ରବେଶ କରିବ ବୋଲି ଆମେ ଆଶା କରୁଛୁ । ଅନ୍ୟପକ୍ଷରେ କେରଳ ଛୁଇଁବାର ୧୦ରୁ ୧୨ ଦିନ ପରେ ମୌସୁମୀ ଓଡିଶା ପ୍ରବେଶ କରିଥାଏ । ଯଦି କେରଳରେ ଏହା ୭ରେ ପ୍ରବେଶ କରିବ, ତାହାଲେ ରଜ ପରେ ଯାଇ ଓଡିଶା ମୌସୁମୀ ପହିଲି ସ୍ପର୍ଶ ପାଇବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ କହିଛି ଯେ ମେ ୧୮ ତାରିଖରେ ମୌ÷ସୁମୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଛୁଇଁଥିଲା । ତେବେ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଏହା ଆଗକୁ ବଢି ପାରିନଥିଲା । ତେବେ ଆସନ୍ତା ୨ରୁ ୩ ଦିନ ହେଲା ମୌସୁମୀ ପୁଣି ସକ୍ରିୟ ହେବାରେ ଲାଗିଛି । ଏବେ ମୌସୁମୀ ଆଣ୍ଡାମାନରେ ରହିଛି । ମୌସୁମୀ ଆସିବାରେ ବିଳମ୍ବ ହେଉଥିଲେ ମଧ୍ୟ ଏଥର ସ୍ୱାଭାବିକ ବୃଷ୍ଟିପାତ ହେବ ବୋଲି ପୂର୍ବନୁମାନ କରାଯାଉଛି । ଜୁନ୍ ରୁ ସେପ୍ଟେମ୍ବର ଯାଏ ସମଗ୍ର ଦେଶରେ ସ୍ୱାଭାବିକ ବର୍ଷା ହେବାର ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ