ପ୍ରାଣୀ ସମ୍ପଦ ହତାଦର, ରିଳିଫ୍ ସମୁଦ୍ରକୁ ଶଙ୍ଖେ
ଡେଲାଙ୍ଗ (ଜୁଗାବ୍ଦ ନ୍ୟୁଜ୍): ସାମୁଦ୍ରିକ ଝଡ ଫାନିବାତ୍ୟାରେ ଡେଲାଙ୍ଗ ପିପିଲି ବ୍ଲକର ୪୬ ପଞ୍ଚାୟତ ଛାର୍ଖାର୍ ହୋଇଯାଇଛି । ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ସରକାର ବାତ୍ୟା ବିପନ୍ନଙ୍କୁ ରିଲିଫ ସହାୟତା ଯୋଗାଇ ଦେଉଛନ୍ତି । ହେଲେ ସରକାର ଗୃହପାଳିତ ପଶୁମାନଙ୍କୁ ଭୁଲି ଯାଇଛନ୍ତି । ପୁଣି ଗୃହ ପାଳିତ ପଶୁଙ୍କ ହିନ୍ଦୁ ଧର୍ମରେ ଗୋମାତା ଭାବେ ଘରେ ଘରେ ପୂଜା କରାଯାଉଛି । ଗୃହପାଳିତ ପଶୁଙ୍କ ପାଇଁ ଯାହା ରିଲିଫ ଆସୁଛି ତାହା ସମୁଦ୍ରକୁ ଶଙ୍ଖେ । ଯଦି ଗୃହପାଳିତ ପଶୁ ନେତା ନିର୍ବାଚନରେ ଭାଗ ନେଇଥାନ୍ତେ ସେମାନଙ୍କୁ ସରକାର ସବୁ କିଛି ସୁବିଧା ଖୁବଶୀଘ୍ର ଯୋଗାଇ ଦେଇଥାନ୍ତେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଲୋକଙ୍କର ଟିକେ ଅସୁବିଧା ହେଲେ ବ୍ଲକ ଓ ତହସିଲ ଘେରାଉ କରିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ପଛାଉ ନାହାଁନ୍ତି । କିନ୍ତୁ ଗୃହପାଳିତ ପଶୁଙ୍କର ପାଟି ଫିଟୁନି ବୋଲି ଆଜି ସେମାନେ ଏହି ଦୁଃଖ ଯନ୍ତ୍ରଣାରେ ରହିବାକୁ ପଡୁଛି । ପ୍ରକୃତ ପକ୍ଷେ ଫାନିର ପ୍ରଭାବରେ ଗୃହପାଳିତ ପଶୁ ପକ୍ଷୀ ଓ ତାର ରହିବା ଘର ଅଧିକ କ୍ଷତିଗ୍ରସ୍ତ ହୋଇଛି । ହେଲେ ଏଥିପ୍ରତି କାହାର ନଜର ନାହିଁ । ଡେଲାଙ୍ଗ ପିପିଲିରେ ଯେଉଁମାନେ ଗୃହପାଳିତ ପଶୁ ରଖିଛନ୍ତି ଫାନିର ପ୍ରଭାବରେ ସେମାନଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଛି । ଗୁହାଳ ଘର ଭାଙ୍ଗି ଯାଇଥିବାରୁ ଗାଈଗୋରୁ ପଦାରେ ବୁଲୁଛନ୍ତି । ଖରାଦିନ ହୋଇଥିବାରୁ ଗଡିଆ ପୋଖରିରେ ପାଣି ଟିକେ ବି ପିଇବାକୁ ମିଳୁନି । ଯେଉଁଠି ବି ପାଣି ଗଡିଆ ପୋଖରୀରେ ଅଛି ସେ ପୁଣି ବାତ୍ୟା ପରେ କଳା ଦେଖା ଯାଉଛି । ଅନେକ ସ୍ଥାନରେ ଗାଇ ଗୋରୁଙ୍କୁ ନଡିଆ ବରଡା ଛାମୁଣ୍ଡିଆ ତଳେ ଲୋକମାନେ ରଖିଛନ୍ତି । ପ୍ରବଳ ଖରା ସତ୍ତେ୍ୱ ଖରା ବର୍ଷାରେ ବିପଦରେ ଗାଇ ଗୋରୁ ରହୁଛନ୍ତି । ଯଥାଶୀଘ୍ର ସରକାର ସେମାନଙ୍କ ଘର ତିଆରି କରିବା ସହ ଗୋ ଖାଦ୍ୟ ପ୍ରଚୁର ପରିମାଣ ଯୋଗାଇ ଦେଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଅଞ୍ଚଳରେ ଦାବି ଜୋର ଧରିଛି ।