ଚାଷୀଙ୍କଠାରୁ ପୁଣିଧାନ କିଣିଲା ପ୍ରଶାସନ ପାରଳା ସ୍ୱାଭିମାନ ମଞ୍ଚ ତରଫରୁ ସାଧୁବାଦ
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଜିଲ୍ଲାରେ ପୁଣି ଥରେ ଜିଲ୍ଲା ପ୍ରଶାସନ ଚାଷୀଙ୍କ ଠାରୁ ଧାନ କିଣା ଆରମ୍ଭ କରିଛି । ଏ ନେଇ ପାରଳା ସ୍ୱାଭିମାନ ମଞ୍ଚର ଆବାହକ ଡ.ତିରୁପତି ପାଣିଗ୍ରାହୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି । ଏକ ପ୍ରେସ ନୋଟ ଜରିଆରେ ସେ ଜଣାଇଛନ୍ତି,ପୁର୍ବରୁ ଗଜପତି ଜିଲ୍ଲାର ଅନେକ ଚାଷୀ ସେମାନଙ୍କ ଧାନ ବିକ୍ରି କରିପାରି ନ ଥିଲେ । କେତେକ ଚାଷୀ ଟୋକେନ୍ ପାଇ ମଧ୍ୟ ସଠିକ୍ ସମୟରେ ଧାନ ଯୋଗାଇ ପାରିନଥିବା ବେଳେ ଆଉ କେତେକଙ୍କୁ ଟୋକେନ୍ ନ ମିଳିବାରୁ ସେମାନେ ଧାନ ଦେଇ ନ ପାରି ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏଭଳି ସ୍ଥିତିରେ ଧାନ କିଣିବା ପାଇଁ ଚାଷୀମାନେ ବାରମ୍ବାର ଦାବି କରିଆସୁଥିଲେ । ବର୍ତ୍ତମାନ କରୋନା ଭୁତାଣୁ ଯୋଗୁଁ ସାରା ଦେଶ ସମସ୍ୟା ମଧ୍ୟରେ ଗତି କରୁଛି । ଏଭଳି ସ୍ଥିତିରେ ସରକାର ଏହାର ମୁକାବିଲା ପାଇଁ ପ୍ରୟାସ କରୁଥିବା ବେଳେ ଚାଷୀମାନେ କିନ୍ତୁ କିଭଳି ଧାନ ବିକ୍ରି କରିବେ ସେ ନେଇ ଚିନ୍ତାରେ ଥିଲେ । ଏହାକୁ ନେଇ ଜିଲ୍ଲାପାଳ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଧାନ ସଂଗ୍ରହ ପାଇଁ ସରକାର ଅନୁମତି ଦେଇଥିଲେ । ତେବେ କରୋନା ମୁକାବିଲା ସମୟରେ ମଧ୍ୟ ସରକାର ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଧାନ ସଂଗ୍ରହ ପାଇଁ ଅନୁମତି ପ୍ରଦାନ କରିବା ପରେ ଗଜପତି ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ସହକାରୀ ଯୋଗାଣ ଅଧିକାରୀ ମନୋରଞ୍ଜନ ପାତ୍ର କହିଛନ୍ତି । ଏଭଳି ସ୍ଥିତିରେ ବି ସରକାର ଯେଭଳି ଚାଷୀଙ୍କ କଥା ବିଚାରକୁ ନେଇ ସେମାନଙ୍କ ସମସ୍ୟା ଦୁର କରିବା ଦିଗରେ ପଦକ୍ଷେପ ଗ୍ରହଣ କଲେ ନିଶ୍ଚିତ ସ୍ୱାଗତ ଯୋଗ୍ୟ ବୋଲି ପାରଳା ସ୍ୱାଭିମାନ ମଞ୍ଚର ଆବାହକ ଡ.ତିରୁପତି ପାଣିଗ୍ରାହୀ କହିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହଯୋଗ ଓ ଉଦ୍ୟମ ଅତୁଳନୀୟ । ଜିଲ୍ଲା ପ୍ରଶାସନ ଚାଷୀଙ୍କ ଠାରୁ ପୁଣି ଧାନ କିଣିବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ସେଥିପାଇଁ ଜିଲ୍ଲାପାଳଙ୍କୁ ଚାଷୀମାନଙ୍କ ତରଫରୁ ଧନ୍ୟବାଦ ଅର୍ପଣ କରିଛନ୍ତି ।


