ସାମାଜିକ ଦୂରତ୍ୱ,ଗାଇଡଲାଇନ ଉଲ୍ଲଙ୍ଘନ ପାଇଁ ଦୋକାନ ସିଲ
ବାଲେଶ୍ୱର (ଓ୍ବାଇଏନ୍ଏସ୍) : ସାମାଜିକ ଦୂରତ୍ୱ , କୋଭିଡ-୧୯ ଗାଇଡଲାଇନ ଉଲ୍ଲଙ୍ଘନ ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ୱର ପୌରାଂଚଳରେ ୫ଟି ଦୋକାନକୁ ସିଲ କରାଯାଇଛି । ଦୋକାନଗୁଡିକ ମଧ୍ୟରେ ନୂଆବଜାର ଅଂଚଳର ଗୋଟିଏ ପରିବା ଗୋଦାମ ରହିଥିବା ବେଳେ ଭାସ୍କରଗଞ୍ଜ ଅଂଚଳର ଗୋଟିଏ ଗ୍ରୋସରୀ ଦୋକାନ ଏବଂ ମୋତିଗଞ୍ଜ ବଜାରର ଗୋଟିଏ ଗ୍ରୋସରୀ ଦୋକାନ, ଗୋଟିଏ ଚାଉଳ ଦୋକାନ ଓ ଗୋଟିଏ ଭେରାଇଟି ଷ୍ଟୋର ରହିଛି । ସାମଜିକ ଦୂରତ୍ୱ ନିୟମକୁ ଏବେ କଡାକଡି କରାଯାଇଥିବା ବେଳେ ଏହି ସବୁ ଦୋକାନରେ ତାର ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଥିଲା । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉକ୍ତ ଦୋକାନଗୁଡିକୁ ସିଲ କରାଯାଇଛି । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କ ନିର୍ଦ୍ଦେଶ କ୍ରମେ ୨ଟି ଏନଫୋର୍ସମେଂଟ ସ୍କ୍ୱାଡ ଗଠନ କରାଯାଇ ଏହି ଚଢଉ କରାଯାଇଥିଲା । ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଣୟ କୁମାର ଜେନାଙ୍କ ନେତୃତ୍ୱରେ ବାଲେଶ୍ୱର ପୌରପାଳିକାର କର୍ମଚାରୀଙ୍କ ସମେତ ସହଦେବ ଖୁଂଟା ଥାନା ଓ ଟାଉନ ଥାନାର ପୋଲିସ ଟିମ ଏହି ଚଢଉରେ ସାମିଲ ହୋଇଥିଲେ । ଆଗକୁ କୋଭିଡ-୧୯ କଟକଣା ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି ।