କାଲିଠୁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ବଙ୍ଗୋପସାଗରୀୟ ପବନ ଓ ମେଘୁଆ ପାଗ ସହ ରାଜ୍ୟର କେତେକ ସ୍ଥାନରେ ଗତ ଦୁଇ ଦିନ କାଳ ବୈଶାଖୀ ବର୍ଷା ହୋଇଯାଇଛି । ଫଳରେ ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇଛି । ଆକଳନ କରାଯାଉଛି ୧୦ ତାରିଖ ପରେ ପାଗରେ ପରିବର୍ତ୍ତନ ହେବ ଏବଂ ପୁଣି ତାପମାତ୍ରା ବଢ଼ିବ । ବିଶେଷ କରି ୧୨ ରୁ ୧୪ ତାରିଖ ଭିତରେ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ । ପୁଣି ୧୪ ଓ ୧୫ ରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ସମୟରେ ତାପମାତ୍ରାରେ ହ୍ରାସ ଘଟିବ । ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ଭୁବନେଶ୍ୱର ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ତାପମାତ୍ରା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ । ୧୪ ତାରିଖ ବେଳକୁ ତାପମାତ୍ରା ପ୍ରାୟ ୨ ଡିଗ୍ରୀ କମି ୧୮ ତାରିଖ ପର୍ଯ୍ୟନ୍ତ ତାହା ଅପରିବର୍ତ୍ତିତ ରହିବ । ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ବର୍ତ୍ତମାନର ତାପମାତ୍ରା ଅପରିବର୍ତ୍ତିତ ରହିବ । ଏହି ସବୁ ଅଞ୍ଚଳରେ ୧୨ ଓ ୧୩ ତାରିଖ ଭିତରେ ତାପମାତ୍ରା ପ୍ରାୟ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ । ତେବେ ୧୪ ଓ ୧୫ ତାରିଖରେ ସ୍ଥାନେ ସ୍ଥାନେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷା ଯୋଗୁଁ ଗରମ କମିବ । ତେବେ ୧୯ ତାରିଖ ପରେ ରାଜ୍ୟରେ ପାଗର ବିଶେଷ ପରିବର୍ତ୍ତନ ଯୋଗୁ ଗରମ କମ ରହିବ ଓ ତାପମାତ୍ରା ଚଳିତ ସପ୍ତାହ ଅପେକ୍ଷା କମ ରହିବ । ଏହି ସମୟରେ ଗତ ଦିନ ଗୁଡ଼ିକ ଅପେକ୍ଷା ବିଭିନ୍ନ ସ୍ଥାନରେ ତାପମାତ୍ରା ୨ ଡିଗ୍ରୀ କମିବ ବୋଲି ଶ୍ରୀ ପଶୁ ପାଳକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ