ସଭାପତି ପଦ ଏବେ ଛାଡୁନାହାନ୍ତି ଶାହା
ନୂଆଦିଲ୍ଲୀ(ଏଜେନ୍ସି): ଗତ ୫ ବର୍ଷ ଧରି ଦଳର ସାଂଗଠନିକ ବ୍ୟାପାର ବୁଝିଆସୁଥିବା ଅମିତ ଶାହା ମୋଦି-୨ ମନ୍ତ୍ରିମଣ୍ଡଳରେ ସ୍ୱରାଷ୍ଟ୍ର ମନ୍ତ୍ରୀଭାବେ ଶପଥ ନେବା ପରେ ରାଜନୈତିକ ମହଲ ବିଶ୍ୱାସ କରୁଥିଲା ଯେ ତାଙ୍କୁ ଏଥର ରାଷ୍ଟ୍ରୀୟ ସଭାପତି ପଦ ଛାଡିବାକୁ ପଡିବ । କାରଣ ବିଜେପିର ଏପର୍ଯ୍ୟନ୍ତ ଚାଲିଆସିଛି ଏକ ବ୍ୟକ୍ତି ଏକ ପଦ ନିୟମ । ଅର୍ଥାତ୍ ଦଳର କୌଣସି ଜଣେ ନେତା ସରକାରୀ ପଦ ପଦବିରେ କିମ୍ବା ଦଳୀୟ ପଦପଦବିରେ ରହିପାରିବେ । ସୁତରାଂ ଅମିତ ଶାହା ମନ୍ତ୍ରୀ ହେବା ପରେ ସେ ରାଷ୍ଟ୍ରୀୟ ସଭାପତି ପଦରୁ ଅବ୍ୟାହତ ନେବେ ବୋଲି ଚିନ୍ତା କରାଯାଉଥିଲା । ମାତ୍ର ଏବେ ଦଳୀୟ ମହଲରୁ ସୂଚନା ମିଳୁଛି ଯେ ଶାହା ନିକଟ ଭବିଷ୍ୟତରେ ରାଷ୍ଟ୍ରୀୟ ସଭାପତି ପଦରୁ ଅବ୍ୟାହତି ନେଉ ନାହାନ୍ତି । ସେ ଏବେ ଉଭୟ ମନ୍ତ୍ରୀ ଓ ସଭାପତି ଦାୟିତ୍ୱରେ ରହି କାର୍ଯ୍ୟ କରିବେ । ଅମିତ ଶାହା ମନ୍ତ୍ରୀ ହେବା ପରେ ମୋଦି-୨ ମନ୍ତ୍ରିମଣ୍ଡଳରୁ ଦୂରେଇ ରଖାଯାଇଥିବା ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ବିଜେପି ରାଷ୍ଟ୍ରୀୟ ସଭାପତି ପଦରେ ବସାଇବ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । କିନ୍ତୁ ସେଭଳି ସମ୍ଭାବନା ଏବେ ନାହିଁ । ବସ୍ତୁତଃ ସ୍ୱାସ୍ଥ୍ୟମନ୍ତ୍ରୀ ହିସାବରେ ଜେପି ନଡ୍ଡାଙ୍କ କାର୍ଯ୍ୟରେ ମୋଦି ସନ୍ତୁଷ୍ଟ ନଥିବାରୁ ତାଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନାହିଁ । ଯଦିଓ ମୋଦି ଏବେ ରାଷ୍ଟ୍ରୀୟ ସଭାପତି ପଦ କାହାକୁ ଦେଲେ ଭଲ ହେବ, ସେନେଇ ଚିନ୍ତା କରୁଛନ୍ତି, ଆପାତତଃ ସେ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବାର ଆଶା କ୍ଷୀଣ । ପ୍ରକାଶ ଯେ ପାଞ୍ଚ ବର୍ଷ ପୂର୍ବରୁ ରାଷ୍ଟ୍ରୀୟ ସଭାପତି ଥିଲେ ରାଜନାଥ ସିଂହ । କିନ୍ତୁ ସେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାର ଦୁଇ ମାସ ମଧ୍ୟରେ ସଭାପତି ପଦ ଛାଡିଥିଲେ । ଅମିତ ଶାହାଙ୍କୁ ରାଷ୍ଟ୍ରୀୟ ସଭାପତି କରାଯାଇଥିଲା । ଏଥର ଯଦି ଅନୁରୂପ ଢଙ୍ଗରେ ସଭାପତି ପରିବର୍ତ୍ତନ କଥା ଚିନ୍ତା କରାଯାଇ ଥାଆନ୍ତା ତେବେ ଇତିମଧ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଯାଇ ସାରିଥାନ୍ତା । କିନ୍ତୁ ଏବେ ଓଲଟା କଥା ଦେଖିବାକୁ ମିଳୁଛି । କିଭଳି ଉପାୟରେ ଅମିତ ଶାହାଙ୍କୁ ଦୁଇଟି ପଦରେ ରଖାଯାଇପାରିବ, ସେହି ବାଟ ଖୋଜାଯାଉଛି । ଏମିତି ହୋଇପାରେ ଯେ ଅମିତ ଶାହାଙ୍କୁ ସଭାପତି ପଦରେ ଅବ୍ୟାହତ ରଖାଯାଇ ଅନ୍ୟ କାହାକୁ କାର୍ଯ୍ୟକାରୀ ସଭାପତି କରାଯାଇପାରେ । ବିଜେପିର ଜଣେ ନେତାଙ୍କ କହିବା ଅନୁଯାୟୀ, ଏଥର ମୋଦି-ଶାହା ଯୋଡି ନିର୍ବାଚନରେ ଯେଉଁଭଳି ବିପୁଳ ସଂଖ୍ୟାଗରିଷ୍ଠତା ନେଇ ସରକାରକୁ ଆସିଛନ୍ତି, ସେଥିପାଇଁ ତାଙ୍କ ମୁହଁ ଉପରେ କିଛି କହିବାର କିମ୍ବା କୌଣସି ପରାମର୍ଶ ଦେବାର ସାହାସ କାହାର ନାହିଁ । ନିକଟ ଭବିଷ୍ୟତରେ ଯଦି ସଂଘ ପରିବାର କିମ୍ବା ଦଳ ଭିତରୁ କୌଣସି ଚାପ ସୃଷ୍ଟି ହୁଏ ତେବେ ପରିସ୍ଥିତି ଦେଖି ମୋଦି ପଦକ୍ଷେପ ନେଇପାରନ୍ତି । କେନ୍ଦ୍ରରେ ମୋଦି ବିପୁଳ ସଂଖ୍ୟାଗରିଷ୍ଠତା ସହ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଦଳର ପ୍ରବୀଣ ନେତାମାନେ କ୍ରମେ ଗୁରୁତ୍ୱ ହରାଉଛନ୍ତି । ସୁଷମା ସ୍ୱରାଜଙ୍କ ଭଳି ଦଳର ଜଣେ ବରିଷ୍ଠ ନେତ୍ରୀଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରାଗଲା ନାହିଁ । ଅରୁଣ ଜେଟ୍ଲୀ ଅବଶ୍ୟ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମୋଦି-୨ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ମୋଦି ଏହି ଦୁଇ ଜଣଙ୍କୁ ସରକାରଠାରୁ ଦୂରେଇ ରଖି ଏକପ୍ରକାର ଆଡ୍ଭାନୀ ଯୁଗର ଅବସାନ ଘଟାଇଦେଲେ । ଏହାପୂର୍ବରୁ ଦଳର ବରିଷ୍ଠ ନେତା ଆଡ୍ଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଏଥର ନିର୍ବାଚନ ଲଢିବାର ସୁଯୋଗ ଦିଆଯାଇନଥିଲା । ସେହିଭଳି ମୋଦି ଏଥର ତାଙ୍କ ମନ୍ତ୍ରିମଣ୍ଡଳରେ ବରିଷ୍ଠ ନେତା ରାଜନାଥ ସିଂହଙ୍କୁ ସାମିଲ କରିଥିଲେ ମଧ୍ୟ ସରକାରରେ ଅମିତ ଶାହାଙ୍କ ଆବିର୍ଭାବ କାରଣରୁ ସେ (ରାଜନାଥ) ବସ୍ତୁତଃ ଗୁରୁତ୍ୱ ହରାଇଛନ୍ତି । ଯଦିଓ ତାଙ୍କଠାରୁ ପୂର୍ବ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କାଢି ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଦିଆଯାଇଛି, କିନ୍ତୁ ଅମିତ ଶାହା ଏବେ ମନ୍ତ୍ରିମଣ୍ଡଳରେ ସ୍ୱରାଷ୍ଟ୍ରମନ୍ତ୍ରୀ ହୋଇ ଶାହା ପରାକ୍ରମୀ । ଅଘୋଷିତ ନମ୍ବର-୨ । ଏପରିକି ବୁଧବାର ମୋଦି ଯଉଁ ୮ କ୍ୟାବିନେଟ୍ କମିଟିର ପୁନର୍ଗଠନ କରିଛନ୍ତି ସେଥିରେ ରାଜନୈତିକ ବ୍ୟାପାର କମିଟିରେ ରାଜନାଥଙ୍କୁ ସଦସ୍ୟ ରଖାଯାଇନଥିଲା । ଏନେଇ ରାଜନୈତିକ ମହଲରେ ଗୁଞ୍ଜରଣ ସୃଷ୍ଟି ହେବା ପରେ ମୋଦି ଗୁରୁବାର ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରି ରାଜନାଥଙ୍କୁ ରାଜନୈତିକ ବ୍ୟାପାର କ୍ୟାବିନେଟ୍ କମିଟିକୁ ଆଣିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଲାଣି ଯେ ଏଥର ରାଜ୍ୟସଭାରେ ଦଳର ନେତା କିଏ ହେବ । ଜେଟ୍ଲୀ ଶାରିରୀକଭାବେ ଅସୁସ୍ଥ । ଅଥଚ ରାଜ୍ୟସଭାରେ ତାଙ୍କର ମିଆଦ ୨୦୨୪ ଏପ୍ରିଲ ପର୍ଯ୍ୟନ୍ତ ରହିଛି । ଫଳରେ ତାଙ୍କୁ ରାଜସଭା ନେତା ପଦରେ ରଖି ମୋଦି ଏହି ଉଚ୍ଚ ସଦନରେ ବିରୋଧୀଙ୍କ ମୁକାବିଲା ପାଇଁ ଆଉ କାହାକୁ ଦାୟିତ୍ୱ ଦେଇପାରନ୍ତି ।