ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ଗୋଟିଏ ଦିନର ଦରମା ଦାନ କରିବାକୁ କର୍ମଚାରୀଙ୍କୁ ଜିଲ୍ଲାପାଳଙ୍କ ଆହ୍ୱାନ
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାରେ ସମ୍ପ୍ରତି ଦେଖାଦେଇଥିବା ବନ୍ୟା ଯୋଗୁଁ ହଜାର ହଜାର ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ବିପନ୍ନ ପରିବାରଙ୍କୁ ସହାୟତା ଯୋଗାଇଦେବା ଓ ସେମାନଙ୍କ ଜୀବନକୁ ସ୍ୱାଭାବିକ କରିବା ଲାଗି ଜିଲ୍ଲା ପ୍ରଶାସନ ନିରନ୍ତର ଉଦ୍ୟମ ଜାରି ରଖିଛି। ଏହି ଦୁର୍ଦ୍ଦିନରେ ବନ୍ୟା ବିପନ୍ନଙ୍କ ପାଖରେ ଠିଆ ହେବା ସହ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଗୋଟିଏ ଦିନର ଦରମା ସ୍ୱେଚ୍ଛାକୃତ ଭାବେ ଦାନ କରିବାକୁ ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନ୍ ଜିଲ୍ଲାର ସମସ୍ତ କର୍ମଚାରୀଙ୍କୁ ଆହ୍ୱାନ ଦେଇଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳ ଏକ ପତ୍ର ମାଧ୍ୟମରେ ଜିଲ୍ଲାରେ କାର୍ଯ୍ୟରତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ, ସରକାରୀ ଉଦ୍ୟୋଗ, ପଞ୍ଚାୟତିରାଜ ସଂସ୍ଥା, ପୌରସଂସ୍ଥା, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ଏହି ମହତ୍ କାର୍ଯ୍ୟରେ ସହଯୋଗ କରିବାକୁ ନିବେଦନ କରିଛନ୍ତି। ସଂଗୃହୀତ ଅର୍ଥ ବନ୍ୟା ବିପନ୍ନ ପରିବାରଙ୍କ ସହାୟତା ପାଇଁ ଗଠିତ ‘ଅର୍ଣ୍ଣବ ସହାୟତା ପାଣ୍ଠି, ଗଞ୍ଜାମ’ରେ ଜମା କରାଯିବ। କର୍ମଚାରୀମାନେ ନିଜ ନିଜ କାର୍ଯ୍ୟାଳୟର ମୁଖ୍ୟଙ୍କ ମାଧ୍ୟମରେ କିମ୍ବା ସିଧାସଳଖ ବ୍ୟାଙ୍କ ଜମା ଓ କ୍ୟୁଆର୍ ସଙ୍କେତ ସ୍କାନ୍ କରି ଅର୍ଥ ପ୍ରଦାନ କରିପାରିବେ। ଏଥିପାଇଁ ଛତ୍ରପୁରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କ ଶାଖାରେ ‘ARNAB RELIEF FUND GANJAM’ ନାମରେ ଥିବା ଜମାଖାତାର ବିବରଣୀ ହେଉଛି ଜମାଖାତା ନମ୍ବର ୮୪୩୫୩୬୨୬୮୪ ଏବଂ ଆଇଏଫ୍ଏସ୍ସି ସଙ୍କେତ IDIB000G604। ସେହିପରି ୟୁପିଆଇ ଜରିଆରେ 8435362684@indianbk ମାଧ୍ୟମରେ ମଧ୍ୟ ଅର୍ଥ ଦାନ କରିହେବ। ଅର୍ଥ ପ୍ରଦାନ ପରେ ତାହାର ପ୍ରମାଣ ସ୍ୱରୂପ ଜମା କାରବାରର ଚିତ୍ର ୯୪୩୮୫୨୯୫୬୭ ନମ୍ବରକୁ ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇବାକୁ କୁହାଯାଇଛି। ଏହି ପାଣ୍ଠିର ଅର୍ଥ ସଂଗ୍ରହ ଓ ବିନିଯୋଗରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା କରାଯିବା ସହ ଏହାର ବିବରଣୀ ଜନସାଧାରଣଙ୍କ ଯାଞ୍ଚ ପାଇଁ ଉପଲବ୍ଧ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।


