ରାମଚଣ୍ଡୀ ମନ୍ଦିରଠାରୁ ଉଭୟ ପାଶ୍ୱର୍ରେ ନିର୍ମିତ ହେବ ସୁରକ୍ଷା ପାଚେରି
କୋଣାର୍କ (ଜୁଗାବ୍ଦ ନ୍ୟୁଜ୍): ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବକୁ ଦୃଷ୍ଟିରେ ରଖି କୋଣାର୍କ-ପୁରୀ ବେଳାମାର୍ଗକୁ ସୁରକ୍ଷିତ ରଖିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିଲାଗି ଜଳସଂପଦ ବିଭାଗର ଅଧିକାରୀମାନେ ଉକ୍ତ ସ୍ଥାନ ବୁଲି ଦେଖିଛନ୍ତି । ସୂଚନା ଅନୁସାରେ ବେଳାମାର୍ଗଠାରୁ ମାତ୍ର କେଇ ମିଟର ଦୂରତାରେ ଥିବା ବଙ୍ଗୋପସାଗର ଓ କୁଶଭଦ୍ରା ନତୀର ସଂଗମସ୍ଥଳୀ ମୁହାଣ ପୂର୍ଣ୍ଣିମା, ଆମାବାସ୍ୟା ବେଳେ ସମୁଦ୍ର ପାଣି ନଦୀରେ ପଶି ନଦୀ ଫୁଲିଥାଏ । ଯାହାଫଳରେ ଏବେ ବୁଲାଣିରୁ ସାହୁଖଣତା ପର୍ଯ୍ୟନ୍ତ ପ୍ରଥମ ବେଳାମାର୍ଗ ରାସ୍ତା ମଧ୍ୟ ସମୁଦ୍ରରେ ଲୀନ ହୋଇସାରିଛି । ଅନ୍ୟପକ୍ଷରେ ରାମଚଣ୍ଡୀ ମନ୍ଦିରକୁ ମଧ୍ୟ ଏହା ବିପଦ ସୃଷ୍ଟି କରୁଛି । ଏନେଇ ବାରମ୍ବାର ଅଭିଯୋଗ ହେବାପରେ ଏବେ ଜଳସଂପଦ ବିଭାଗ ପକ୍ଷରୁ ରାମଚଣ୍ଡୀ ମନ୍ଦିରଠାରୁ ଉଭୟ ପାଶ୍ୱର୍ରେ ପ୍ରାୟ ୫୦୦ ମିଟର ଯାଏ ସୁରକ୍ଷା ପାଚେରୀ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏନେଇ ଏକ ଟିକ୍ ସେଠାରେ ପହଞ୍ଚି ପ୍ରାଥମିକ ସର୍ଭେ କରିଛନ୍ତି । ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ସହାୟତାରେ ପ୍ରାୟ ସାଢ଼େ ଚାରି କୋଟି ଟଙ୍କା ବିନିମୟରେ ଏହି କାର୍ଯ୍ୟ କରାଯିବ ବୋଲି ଜଣାପଡ଼ିଛି । ଏନେଇ ବିଭାଗୀୟ ବରିଷ୍ଠ ଅଧିକାରୀ ଇଂ. ଶତ୍ରୁଘ୍ନ ଦାସଙ୍କ ନେତୃତ୍ୱରେ ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଦାଶ, ସୁପରିଟେଣ୍ଡେଣ୍ଟ ଇଂ ଚିନ୍ମୟୀ ରାଉତ, ନିର୍ବାହୀ ଯନ୍ତ୍ରୀ ଶଶୀଭୂଷଣ ମିଶ୍ର ଓ ଗୋପ ଜଳସଂପଦ ଅଧିକାରୀ ସଂଗ୍ରାମ କେଶରୀ ମହାନ୍ତି ପ୍ରମୁଖ ରାମଚଣ୍ଡୀରେ ପହଞ୍ଚି ଉକ୍ତ କାର୍ଯ୍ୟ ଲାଗି ପ୍ରାଥମିକ ସର୍ଭେ କରିଛନ୍ତି । ସମସ୍ତ ପ୍ରସ୍ତୁତି ସରିବାପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି ।


