ଆରଏମସି ପରିଚାଳିତ ହାଟ ସମୁହର ଚାଷୀ-ବେପାରୀ ସଂଗଠନ ପକ୍ଷରୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ପରିଚାଳିତ ହାଟ ସମୁହର ଚାଷୀ – ଓ କ୍ଷୁଦ୍ର ବ୍ୟବସାୟୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହିି ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ ସାରା ବିଶ୍ୱ ବର୍ତ୍ତମାନ କରୋନା ଭୂତାଣୁର କବଳରେ କବଳିତ ହୋଇଥିବାରୁ ସବୁଠି ଲକଡାଉନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ସେହିପରି ଦେଶର ପ୍ରଧାନମନ୍ତ୍ରୀ ଓ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କରୋନାର ମୁକାବିଲା ପାଇଁ ବିଭିନ୍ୱ ପଦକ୍ଷେପ ନେଇଛନ୍ତି ଯାହାକୁ ଏହି ସଂଗଠନର ଚାଷୀ ଓ କ୍ଷୁଦ୍ର ବେପାରୀମାନେ ଶତ ପ୍ରତିଶତ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛନ୍ତି । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ସାରା ରାଜ୍ୟ ସମେତ କେନ୍ଦ୍ରାପଡା ଜିଲ୍ଲାର ଆରଏମସି ପରିଚାଳିତ ହାଟ ଗୁଡିକ ସପ୍ତାହରେ ୨ଦିନ ବେପାରକରି ପରିବାର ପ୍ରତିପୋଷଣ କରୁଥିବା ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀମାନେ ଆଜକୁ ପ୍ରାୟ ଏକମାସ ହେବ ଲକଡାଉନ ଯୋଗୁଁ ସେମାନଙ୍କ ପରିବାର ଚଳାଇବା ବହୁ କଷ୍ଟକର ହୋଇପଡିଛି । ତେଣୁ ସେମାନଙ୍କୁ ଚିହ୍ନଟ କରାଯାଇ ସରକାରୀ ସହାୟତା ପ୍ରଦାନ କରାଯିବାକୁ ସଂଗଠନର ସଭାପତି ତଥା ଆଇନଜୀବି ରମଣୀରଞ୍ଜନ ରାଉତରାୟ, ସମ୍ପାଦକ ଭକ୍ତିଭୂଷଣ ମଲ୍ଲିକ, ଉପସଭାପତି ଗୁରୁଚରଣ ସ୍ୱାଇଁ, ବସନ୍ତ ସ୍ୱାଇଁ ଓ ଗୈାତ୍ତମ ନାୟକ, କାଳନ୍ଦି ଜେନା ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାର ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ପରିଚାଳିତ ହାଟ ସମୁହର ୨୮୦ ଜଣ ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀ ଏବେ ଜୀବିକା ହରାଇ ବେସାହାରା ହୋଇପଡିଥିବା ବେଳେ ସେମାନଙ୍କ ପରିବାର ଚଳାଇବା ଦୁର୍ବିସହ ହୋଇପଡିଛି । ସେମାନଙ୍କ ସମସ୍ୟାର ସମାଧାନ କରାନଗଲେ ବାଧ୍ୟ ହୋଇ ସେମାନେ ଲକଡାଉନ ପରେ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।