ବାଲିଆ ଶିଶୁବିଦ୍ୟା ମନ୍ଦିରରେ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅଧିନ ଭାଗବତପୁର ପଞ୍ଚାୟତର ବାଲିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭାରତ ଶିକ୍ଷା ବିକାଶ ସଂସ୍ଥାନ, ଓଡିଶା ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାନ ସହିତ ସହବନ୍ଧିତ କେନ୍ଦ୍ରାପଡା ଜିଲ୍ଲାର ୭ଟି ବିଦ୍ୟାଳୟର ୬୫ଜଣ ପ୍ରତିଯୋଗୀ ବିଭିନ୍ନ ପ୍ରକଳ୍ପ ସହିତ ଏହି ମେଳାରେ ଯୋଗଦେଇଥିଲେ। ସଂସ୍ଥାନ ପକ୍ଷରୁ ପ୍ରଦୀପ କୁମାର ନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ମେଳାକୁ ଉଦଘାଟନ କରିଥିଲେ। ବିଦ୍ୟାମନ୍ଦିରର ସଭାପତି ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ଶ୍ରୀ ନାୟକ ପରିଚାଳନା କରିଥିଲେ। ବିଜ୍ଞାନମେଳାରେ ବିଚାରପତି ଭାବେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ଅଧ୍ୟାପକ ବିନ୍ଦୁସାଗର ସାହୁ, ଆଇତିପୁର ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରାଉତ ଓ ବାଲିଆ ମହିଳା ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ଅଧ୍ୟାପିକା ନିହାରିକା ତ୍ରିପାଠୀ ପ୍ରମୁଖ ଯୋଗଦେଇ କୁନି କୁନି ବୈଜ୍ଞାନିକମାନଙ୍କ ସୃଜନଶୀଳତାକୁ ମୂଲ୍ୟାୟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବାଙ୍କି ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ମୁରଲୀଧର ରଥ, ବିଦ୍ୟାମନ୍ଦିର ସମ୍ପାଦକ ରାଜଗୋପାଳ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ବିଭୂତିରଞ୍ଜନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଗୁରୁଜୀ ଓ ଗୁରୁମାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ଅତିଥିମାନେ ପ୍ରମାଣପତ୍ର ପ୍ରଦାନ କରିଥିଲେ। ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।


