ପାର୍ସଲ ଟ୍ରେନ ଚଳାଚଳରୁ ରେଳବାଇର ରାଜସ୍ୱ ବୃଦ୍ଧି
ନୂଆଦିଲ୍ଲୀ : କୋଭିଡ-୧୯ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ ପରିପ୍ରେକ୍ଷୀରେ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଡାକ୍ତରୀ ସାମଗ୍ରୀ, ଚିକିତ୍ସା ଉପକରଣ ଓ ଖାଦ୍ୟ ସାମଗ୍ରୀ ଇତ୍ୟାଦି ଛୋଟ ଛୋଟ ପାର୍ସଲ ଆକାରରେ ପରିବହନ କରିବା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତୀୟ ରେଳବାଇ, ଇ-ବାଣିଜ୍ୟ ସଂସ୍ଥା ଏବଂ ରାଜ୍ୟ ସରକାରଙ୍କ ସମେତ ଅନ୍ୟ ଉପଭୋକ୍ତାମାନଙ୍କର ସାମଗ୍ରୀ ଦ୍ରୁତ ଗତିରେ ପହଞ୍ଚାଇବା ପାଇଁ ପାର୍ସଲ ଭ୍ୟାନ ସେବା ଉପଲବ୍ଧ କରାଇଛି । ଅତ୍ୟାବଶ୍ୟକ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ରେଲବାଇ ସ୍ଥିର କରାଯାଇଥିବା ରୁଟର ସମୟ-ସରଣୀ ଅନୁସାରେ ପାର୍ସଲ ଟ୍ରେନ ଚଳାଇବାକୁ ନିଷ୍ପତି ନେଇଛି। ମଣ୍ଡଳ ରେଳବାଇ ଏହି ସ୍ୱତନ୍ତ୍ର ପାର୍ସଲ ଟ୍ରେନର ନିୟମିତ ଚଳାଚଳ ପାଇଁ ରୁଟ୍ ଗୁଡିକ ଚିହ୍ନଟ ଓ ସୂଚିତ କରୁଛି । ବର୍ତ୍ତମାନ ଏହି ଟ୍ରେନ ଗୁଡିକ ୬୫ଟି ରୁଟରେ ଚଳାଚଳ କରୁଛି । ସେହି ସୂଚୀରେ ସାମିଲ କରିବା ପାଇଁ ଏହି ରୁଟଗୁଡିକ ଚିହ୍ନଟ କରାଯାଇଛି : ୧) ଦେଶର ପ୍ରମୁଖ ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ମଧ୍ୟରେ ନିୟମତ ଯୋଗାଯୋଗ, ୨) ରାଜ୍ୟ ରାଜଧାନୀଗୁଡିକରୁ/ ଗୁରୁତ୍ୱପୂର୍ଣ୍ଣ ସହରରୁ ରାଜ୍ୟର ସମସ୍ତ ଅଞ୍ଚଳକୁ ଯୋଗାଯୋଗ, ୩) ଦେଶର ଉତ୍ତର-ପୂର୍ବାଞ୍ଚଳ ଭାଗକୁ ଯୋଗାଯୋଗ ସୁନିଶ୍ଚିତ କରିବା, ୪) ଅଧିକ ଚାହିଦା ଥିବା ଅଞ୍ଚଳକୁ ବଳକା ଅଞ୍ଚଳ (ଗୁଜରାଟ, ଆନ୍ଧ୍ରପ୍ରଦେଶ)ରୁ ଦୁଗ୍ଧଜାତ ଦ୍ରବ୍ୟ ଯୋଗାଣ, ୫) ଉତ୍ପାଦିତ ହେଉଥିବା ଅଞ୍ଚଳରୁ ଦେଶର ଅନ୍ୟଭାଗକୁ ଅତ୍ୟାବଶ୍ୟକ ସାମଗ୍ରୀ କୃଷି ପାଇଁ ଆବଶ୍ୟକ ସାମଗ୍ରୀ, ଔଷଧ, ଡାକ୍ତରୀ ଉପକରଣ ଇତ୍ୟାଦି)ର ଯୋଗାଣ। ୧୪.୦୪.୨୦୨୦ର ୧୮:୦୦ଘଣ୍ଟା ପର୍ଯ୍ୟନ୍ତ ୭୭ଟି ଟ୍ରେନ ଚଳାଚଳ କରିଛି, ଏଥିମଧ୍ୟରୁ ୭୫ଟି ଟ୍ରେନ ହେଉଛି ସମୟ ସରଣୀ ଆଧାରରେ ଚଳାଚଳ କରିଥିବା ସ୍ୱତନ୍ତ୍ର ପାର୍ସଲ ଟ୍ରେନ । ମୋଟ ୧୮୩୫ଟନର ସାମଗ୍ରୀ ବୋଝେଇ ହୋଇଛି, ଯାହା ରେଳବାଇ ପାଇଁ ଗୋଟିଏ ଦିନରେ ୬୩ଲକ୍ଷ ଟଙ୍କା ଆୟ କରିଛି । ୧୪.୦୪.୨୦୨୦ର ୧୮:୦୦ ଘଣ୍ଟା ସୁଦ୍ଧା ମୋଟ୍ ୫୨୨ଟି ଟ୍ରେନ ଚଳାଚଳ କରିଛି । ଯେଉଁଥିରୁ 458ଟି ସମୟ-ସରଣୀ ଆଧାରିତ ଟ୍ରେନ । ଯେଉଁଥିରେ ୨୦,୪୭୪ ଟନର ସାମଗ୍ରୀ ବୋଝେଇ ହୋଇଛି ଏବଂ ପ୍ରାୟ ୭.୫୪ କୋଟି ଟଙ୍କାର ଆୟ ହୋଇଛି ।