୧ହଜାର ଲିଟର ମହୁଲୀ ପୋଚ ନଷ୍ଟ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଲକ୍ଡାଉନ୍କୁ କଡାକଡି ପାଳନ କରିବା ପାଇଁ ମଦ ଚୋରା କାରବାରକୁ ଦୃଢ ଭାବେ ଦମନ ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ପୋଲିସ ଓ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ଅନୁଯାଇ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ଧରି ଲଗାତର ଭାବେ ଅବକାରୀ ଚଢାଉ ଜାରି ରହିଛି । ଏହି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଥାନା ଅନ୍ତର୍ଗତ ବୁରୁଝଲୀ ଓ ବୁରୁଗାଁ ଅଞ୍ଚଳରେ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢାଉ କରାଯାଇ ପ୍ରାୟ ୧ ହଜାର ଲିଟର ଦେଶୀ ମହୁଲୀ ମଦ ପୋଚ ଜବତ କରାଯାଇ ସେଗୁଡିକୁ ନଷ୍ଟ କରାଯାଇଥିବା ଜଣାପଡିଛି । ଏହି ମିଳିତ ଚଢାଉରେ ପୋଲିସ ଏବଂ ଅବକାରୀ ବିଭାଗ ଏହି ସବୁ ଅଞ୍ଚଳରେ ଅତର୍କିତ ଚଢାଉ କରି ୧ହଜାର ଲିଟର ଚୋରା ମଦ ମହୁଲୀ ପୋଚ ଜବତ କରିବାପରେ ସେଗୁଡିକୁ ଘଟଣା ସ୍ଥଳରେ ହିଁ ନଷ୍ଟ କରାଯାଇଥିବା ଜଣାପଡିଛି ।