ବାଣିଜ୍ୟିକ ବୈରତାର ଦୁଇ ଦୁର୍ଦ୍ଧାନ୍ତ ଦ୍ୱନ୍ଦଯୋଦ୍ଧା : ଆମେରିକା-ଚିନ୍

ପୃଥିବୀରେ ପୁଣି ଏକ ଭୟାବହ ଯୁଦ୍ଧର ସମ୍ଭାବନା ଦେଖାଦେଇଛି । ଯେଉଁ ଦୁଇଟି ମହାଯୁଦ୍ଧ ପୃଥିବୀରେ ସଂଗଠିତ ହୋଇଛି, ତା ମୂଳରେ ନାରୀ, ସମ୍ପତି, କ୍ଷମତା, ଦେଶ ଦଖଲ ହିଁ ମୂଳ କାରଣ । ଆଗେ ଅସ୍ତ୍ରରେ, ଏବେ କିନ୍ତୁ ଅସ୍ତ୍ର ସହ ଅର୍ଥ ଯୋଡିହୋଇଯାଇଛି । ସମ୍ପ୍ରତି ବିଶ୍ୱର ଦୁଇ ସୁପର ପାୱାର ଆମେରିକା-ଚିନ୍ ବାଣିଜ୍ୟିକ ଯୁଦ୍ଧରେ ଅବତୀର୍ଣ୍ଣ । ସେମାନଙ୍କର ଏହି ବାଣିଜ୍ୟିକ ବୈରତା ବିଶ୍ୱ ଅର୍ଥନୀତିକୁ ଧ୍ୱଂସମୁଖୀ କରିବାକୁ ଯାଉଛି । ୨୦୦୮-୦୯ ମାନ୍ଦାବସ୍ଥାରୁ ଏପର୍ଯ୍ୟନ୍ତ ବିଶ୍ୱ ଅର୍ଥନୀତି ମୁକୁଳିପାରିନି । ପ୍ରତି ୧୦ବର୍ଷରେ ଅର୍ଥନୈତିକ ମାନ୍ଦାବସ୍ଥା ଦେଖାଦେଇଥାଏ । ସମ୍ପ୍ରତି ଆମେରିକା ଓ ଚିନ୍ ଅର୍ଥନୀତିରେ ସଂକଟ ଦେଖାଦେଇଥିବାରୁ ଏହା ସମଗ୍ର ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବ ।
ବିଶ୍ୱର ୨୦ଟି ଧନଶାଳୀ ଦେଶ, ବିଶ୍ୱବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି, ଜାତିସଂଘ ପ୍ରତିନିଧିମାନଙ୍କର ମିଳିତ ଆଲୋଚନାରେ ବିଶ୍ୱର ଆର୍ଥିକ ସଂକଟକୁ ମୁକାବିଲା କରିବାର କୌଣସି ବାସ୍ତବ ସୁତ୍ର ବାହାରିପାରିନି ଏଯାବତ୍ । ସମାଜବାଦୀ ବଜାରର ପତନପରେ ସମ୍ପ୍ରତି ସମଗ୍ର ବିଶ୍ୱବଜାରକୁ ନିୟନ୍ତ୍ରଣ କରୁଛି ଆମେରିକା । କୁତ୍ସିତ କୁବେରତନ୍ତ୍ରର କଳାକାରବାରି କାର୍ପେଟ୍ଦାରଙ୍କୁ ମୁକାବିଲା କରୁଛି ଚିନ୍ । ଚିନ୍ ଏବଂ ଆମେରିକା ମଧ୍ୟରେ ଦେଖାଦେଇଥିବା ବାଣିଜ୍ୟିକ ଲଢେଇ ଏବେ ଜୋରଦାର ହେବାରେ ଲାଗିଛି । ଏହାଦ୍ୱାରା ଉଭୟ ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହେବ ।
ଆମେରିକା ଚିନ୍ ଉପରେ ଅଧିକ ଆମଦାନୀ ଶୁଳ୍ପ ଲଗାଇବାଦ୍ୱାରା ଆମେରିକୀୟ ଅର୍ଥନୀତି ପ୍ରଭାବିତ ହେବ । ଯାହାଫଳରେ ଲକ୍ଷଲକ୍ଷ ଲୋକେ ଛଟେଇ ହେବେ ଏବଂ ଉପଭୋକ୍ତାମାନେ ମଧ୍ୟ ପ୍ରଭାବିତ ହେବେ । ଆମେରିକାର ବ୍ୟବସାୟ, କୃଷକ ଏବଂ ସାଧାରଣ ଲୋକଙ୍କ ଉପରେ ଦୀର୍ଘ ମିଆଦ କ୍ଷେତ୍ରରେ ନକରାତ୍ମକ ପ୍ରଭାବ ପଡିବ । ଗତମାସରେ ଆମେରିକା ୨୦୦ ଅରବ ଡଲାରର ଚାଇନାସାମଗ୍ରୀର ଆମଦାନୀ ଉପରେ ଶୁଳ୍ପକୁ ୧୦% ରୁ ୨୫%କୁ ବୃଦ୍ଧିକରିଛି । ଟ୍ରମ୍ପ୍ ପ୍ରଶାସନ ଆହୁରି ମଧ୍ୟ ୩୦୦ ଅରବ ଡଲାରର ଅଧିକ ମୂଲ୍ୟର ସାମଗ୍ରୀ ଉପରେ ଶୁଳ୍ପ ବୃଦ୍ଧିର ଧମକ ମଧ୍ୟ ଦେଇଛି । ଆମେରିକୀୟ କମ୍ପାନୀମାନଙ୍କର କହିବା ଅନୁସାରେ ଚିନ୍ରୁ ଆସୁଥିବା ବସ୍ତୁ ଉପରେ ଯେଉଁ ଶୁଳ୍ପ ଲାଗୁ କରାଯାଉଛି, ତାକୁ ଚିନ୍କୁ ନୁହେଁ ବରଂ ଆମେରିକାବାସୀଙ୍କୁ ଦେବାକୁ ପଡୁଛି । ଦୁଇଦେଶ ମଧ୍ୟରେ ଏହି ବିବାଦ କାରଣରୁ ବଜାରରେ ମଧ୍ୟ ଏକ ଭିନ୍ନ ବାତାବରଣ ସୃଷ୍ଟି ହେଉଛି । ଆମେରିକୀୟ କମ୍ପାନୀମାନେ ଟ୍ରମ୍ପ୍ଙ୍କୁ ଚିଠି ଲେଖିଛନ୍ତି – ୩୦୦ ଅରବ ଡଲାରର ଚାଇନା ଉତ୍ପାଦ ଉପରେ ୨୫% ଶୁଳ୍ପ ଲଗାଗଲେ ୪ ସଦସ୍ୟ ବିଶିଷ୍ଟ ଏକ ପରିବାରର ହାରାହାରି ମାସିକ ଖର୍ଚ୍ଚ ୨୦୦୦ ଡଲାର ବୃଦ୍ଧିପାଇବ ।
ଆମେରିକା ରାଷ୍ଟ୍ରପତି ଡୋଲାନ୍ ଟ୍ରମ୍ପ୍ ଚିନ୍ ଅର୍ଥନୀତି ଓ ବାଣିଜ୍ୟ ସଂପର୍କରେ ଏକପ୍ରକାର ଅଜ୍ଞ । କିନ୍ତୁ ଚିନ୍ ପ୍ରଶାସନ ମଧ୍ୟ ଗତ ୨୦୦୮ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ନାନାକୌଶଳ ଅବଲମ୍ବନ କରିଥିଲେ । ତାହା ବି ସଂପୂର୍ଣ୍ଣ ସଫଳ ହୋଇପାରିନାହିଁ । ଚିନ୍ ନିଯୁକ୍ତି କ୍ଷେତ୍ରରେ ପ୍ରାୟ ୧୦୦ଟି ବଡବଡ ସହରରେ ୪୦-୫୦ ମହଲା ଆପାର୍ଟମେଂଟ୍ ବିଲଡିଂ ନିର୍ମାଣ କରିଥିଲା । ଏସବୁ ଆପାର୍ଟମେଂଟ୍ରେ ଅଳ୍ପକେତେକ କିମ୍ବା ଆଦୌ ବ୍ୟବହାର କରାଯାଇନାହିଁ । ତାହା ସତ୍ୱେ ବି ଆପାର୍ଟମେଂଟ୍ ନିର୍ମାଣ ଚାଲିଛି । ଏହି ଦାର୍କ ଟାୱାର ନିର୍ମାଣ କ୍ଷେତ୍ରରେ ସିନା କିଛି ନିଯୁକ୍ତି ପାଇବେ, ବାସ୍ତବରେ ବିନିଯୋଗର ଅର୍ଥ ପାଇପାରିବେନାହିଁ । ହୁଏତ ଭବିଷ୍ୟତରେ ଏହି ଟାୱାରଗୁଡିକ କାମରେ ଲାଗିପାରେ ।
ବାଣିଜ୍ୟ କ୍ଷେତ୍ରରେ ଚାଇନା ଆମେରିକାକୁ ଟକ୍କର ଦେଉଛି । ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ଚିନ୍ ଅର୍ଥନୀତିରୁ ଅନ୍ୟାନ୍ୟ ଦେଶ ଶିକ୍ଷାନେଉଛି । କିନ୍ତୁ ବାସ୍ତବରେ ଅନ୍ୟାନ୍ୟ ଦେଶର ଅର୍ଥନୀତି ମାନ୍ଦାବସ୍ଥାରୁ ଏପର୍ଯ୍ୟନ୍ତ ମୁକୁଳିପାରିନାହିଁ । ଏଭଳି ପରିସ୍ଥିତିରେ ଆମେରିକା-ଚିନ୍ ବାଣିଜ୍ୟିକ ଯୁଦ୍ଧ ଲାଗିଗଲେ ୨୦୦୮ରୁ ଆରମ୍ଭ ହୋଇଥିବା ଅର୍ଥନୈତିକ ମାନ୍ଦାବସ୍ଥା ଭଳି ଆହୁରି ଭୟଙ୍କର ବିପଦ ମାଡିଆସିବ ।
ଏବେ ଭାରତ ଆମେରିକୀୟ ସାମଗ୍ରୀ ଉପରେ ଅଧିକ ଶୁଳ୍ପ ଲଗାଇବବୋଲି କହିବୁଲୁଛି । ଆମେରିକା କହିବୁଲୁଛି ତାଙ୍କ ଦେଶର ଗାଡି ଉପରେ ୫୦%ର ଶୁଳ୍ପ ଲଗାଇଲେ ବରଦାସ୍ତ କରାଯିବନି । ଭାରତ ଯାହା ଜବାବି ଶୁଳ୍ପ ଲଗାଇବ ଆମେରିକା ତାହା ଦ୍ୱିଗୁଣା ଶୁଳ୍ପ ଲଗାଇବାରେ ପ୍ରସ୍ତୁତ ଅଛି । ଏଭଳି ପରିସ୍ଥିତିରେ ଭାରତ ଆମେରିକା ଧମକ ପାଖରେ ମୁଣ୍ଡ ନଇଁବ କି ନାହିଁ, ତାହା ଆଗକୁ ଜଣାପଡିବ ।
ବର୍ତମାନ ବିଶ୍ୱବଜାରକୁ ନିୟନ୍ତ୍ରଣ କରୁଛି ଆମେରିକା । ଆମେରିକା ହେଉଛି କୁତ୍ସିତ କୁବେରତନ୍ତ୍ରର ସେଇ କଳାକାରବାରୀ କାର୍ପେଟଦାର, ଯିଏ ଅର୍ଥ ଦ୍ୱାରା ଅନର୍ଥ ଦିଆଏ ସାରା ପୃଥିବୀରେ । ଅର୍ଥ ବିନିମୟରେ ଏହି ସଂସ୍କୃତିହୀନ ୟାଂକି ସଭ୍ୟତା ଅନ୍ୟଠୁ କିଣିନିଏ ବୁଦ୍ଧି, ବୈଶୟିକ ଜ୍ଞାନକୌଶଳ ଓ ବିରଳ ପ୍ରତିଭା । ଧରାକୁ ସରା ମଣୁଥିବା ଏଇ ମାରାତ୍ମକ ମହାଦେଶର ମୁନାଫାଖୋର ସୌଦାଗରମାନେ ବହୁ ୟୁରୋପୀୟ ଏସିୟ ରାଷ୍ଟ୍ରଙ୍କୁ ନିଜ ଯୁକ୍ତି ଓ ଚୁକ୍ତିରେ ବାନ୍ଧିସାରିଲେଣି । ସେମାନେ ବିଭିନ୍ନ ଦେଶରେ ବାଣିଜ୍ୟ ବ୍ୟବସାୟର ଚକ୍ରବ୍ୟୁହ ବିସ୍ତାରକରି ପ୍ରଥମେ ଦୁର୍ନୀତିଗ୍ରସ୍ତ କରିପକାନ୍ତି ଶାସନବ୍ୟବସ୍ଥାକୁ । ଆମେରିକାର ସାମରିକ ଓ ରାଜନୈତିକ ଯୁଦ୍ଧ ସରିଆସୁଛି – ଆରମ୍ଭ ହୋଇଯାଇଛି ଏକ ଅଦ୍ଭୁତପୁର୍ବ ଅର୍ଥନୈତିକ ଯୁଦ୍ଧ । ଏ ଅର୍ଥନୈତିକ ଯୁଦ୍ଧ ହେଉଛି ଏକ ଅଦୃଶ୍ୟ ତୃତୀୟ ବିଶ୍ୱଯୁଦ୍ଧର ଆଭାସ ମାତ୍ର!
ବିଶ୍ୱ ମାନଚିତ୍ରରେ ବଜାରଧର୍ମୀ ପାଶ୍ଚାତ୍ୟ ସଭ୍ୟତା ଉପରେ ଗଢିଉଠିଥିବା ୟୁରୋପ ଅପେକ୍ଷା କୃଷିଭିତିକ ପାଶ୍ଚ୍ୟାତ୍ୟ ସଭ୍ୟତା ଆଧାରିତ ଏସିଆ ମହାଦେଶକୁ ହିଁ ଅଧିକ କ୍ଷୟକ୍ଷତିର ଆକ୍ରାନ୍ତ କରିବାର ଚକ୍ରାନ୍ତ କରିଦେଇଛି ଆମେରିକା । ଏସିଆ ପାଲଟିବାକୁ ଯାଉଛି ଗୋଟାଏ ‘ଟ୍ରାଜିକ୍ ଟାର୍ଗେଟ୍’ – ନିଜ ଅଜ୍ଞାତସାରରେ । ମାରଣାସ୍ତ୍ରରେ ମୁନାଫାର ମିନାର ଆକାଶଛୁଆଁ । ଏପରିକି ଏହି ମୁନାଫାର ମାତ୍ର ୫% ଉତ୍କୋଚରେ ବହୁ ଏସିଅ ରାଷ୍ଟ୍ରର ଶାସନ ଓ ପ୍ରଶାସନ ଆମେରିକାର ସଖୀକଣ୍ଢେଇ ସାଜିବାକୁ ସଜବାଜ । ଅଧିକାଂଶ ରାଷ୍ଟ୍ରର ଶାସନ ଓ ପ୍ରଶାସନର ସୁତ୍ରଧରମାନଙ୍କୁ କଳାଟଙ୍କାର କାରବାରରେ ହରଦମ୍ ପିସାବଦୋରସ୍ତ କରିବାରେ କୃତକାର୍ଯ୍ୟ ହୋଇସାରିଛି ସଫେଦ ସୌଦାଗର । ଏସିଆ ଉପରେ ଏ ଈଗଲ୍ ଆଖିର ଈର୍ସୁକକ ଚଢଉ କାହିଁକି? ଭାରତ-ଚିନ୍-ଜାପାନ୍ ଯଦି କେବେ ନା କେବେ ପୁନଃଜାଗରଣର ମନ୍ତ୍ରଶକ୍ତିଦ୍ୱାରା ଏକତ୍ରରେ ଉଦ୍ବୁଦ୍ଧ ହୋଇଯିବେ, ତା’ହେଲେ ଏସିଆ ହୋଇଉଠିବ ଏକ ଅଦ୍ଭୂଦ୍ ଅପରାଜେୟ ମହାଶକ୍ତି । ଯାହା ସ୍ୱର୍ଗ, ମର୍ତ୍ୟ, ପାତାଳିକାମୀ ମାର୍କିନ ସାମରିକ ସୌଦାଗର ଅପଶକ୍ତିବାଣୀ ଅଦୂର ଭବିଷ୍ୟତରେ ଗୋଟାଏ ଶକ୍ତ ଅକାଳ ଧମକ ।
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩ ମାୟାଧର ନାୟକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ