କୃଷ୍ଣସାଗର ଜଳପ୍ରକଳ୍ପକୁ ପୂନଃଉଦ୍ଧାର ପାଇଁ କୃଷକ ସମାବେଶ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଚାଷୀଙ୍କୁ ଜଳସେଚନର ସୁବିଧା ପାଇଁ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଠାରେ ପାରଳା ରାଜ ପରିବାର ତରଫରୁ ନିର୍ମିତ ବହୁ ପୁରାତନ କୃଷ୍ଣସାଗର ଜଳ ପ୍ରକଳ୍ପ ଗତ ୧୫ ବର୍ଷ ଧରି ଶୁଷ୍କ ଓ ସୁପ୍ତ ଅବସ୍ଥାରେ ପଡି ରହିଛି । ଚାଷୀଙ୍କ ବହୁବାର ଦାବି,ଆନ୍ଦୋଳନ ପରେ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ସୁପ୍ତ କୃଷ୍ଣସାଗର ବଞ୍ଚାଅ ଓ କାର୍ଯ୍ୟକ୍ଷମ ପାଇଁ ଆଜି ପାରଳା ସ୍ୱାବିମାନ ମଞ୍ଚ ତଥା ହାଇଟେକର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ କୃଷକ ସମାବେଶ ଆୟୋଜିତ ହୋଇଯାଇଛି । ଏହି କୃଷ୍ଣସାଗର ଜଳ ପ୍ରକଳ୍ପ ଦ୍ୱାରା ଗଜପତି ଜିଲ୍ଲାର ଗୋଷାଣି ବ୍ଲକର ୧୧ ଗୋଟି ପଞ୍ଚାୟତର ଖରିଫ ଋତୁରେ ୫ହଜାର ଓ ରବିରେ ୧ହଜାର ଏକର ଚାଷ ଜମିକୁ ଜଳସେଚନ ସୁବିଧା ଦେବା ପାଇଁ ପାରଳା ଗଜପତି ମହାରାଜା କୃଷ୍ଣ ଚନ୍ଦ୍ର ଦେବଙ୍କ ଦ୍ୱାରା ନିର୍ମିାଣ କରାଯାଇଥିଲା । ବର୍ତ୍ତମାନ ଏହି ପ୍ରକଳ୍ପଟି ଗଜପତି କ୍ଷୁଦ୍ରଜଳସେଚନ ବିଭାଗ ଅଧିନରେ ରହିଛି । ବିବାଗୀୟ କର୍ମକର୍ତ୍ତାଙ୍କ ଅପାରଗତା ଓ ନିଷ୍କ୍ରିୟତା ଯୋଗୁଁ ଗତ ୧୫ ବର୍ଷ ଧରିଏହି ପ୍ରକଳ୍ପଟି ଶୁଷ୍କ ଓ ସୁପ୍ତ ହୋଇ ପଡି ରହିଛି । ପ୍ରକଳ୍ପ ବଞ୍ଚାଅ ଓ କାର୍ଯ୍ୟକ୍ଷମ ପାଇଁ ଆଜି ଡ.ପାଣିଗ୍ରାହୀଙ୍କ ନେତୃତ୍ୱରେ ଗୋଷାଣି ବ୍ଲକର ଭୁଷୁକୁଡି, ସାରିଆପଲ୍ଲି, ଦୋନୁରୁ, ଛତ୍ରପୁର, ଅତବା, ଗୋଲାଗାଁ, ଗୁରାଣ୍ଡି, ବଡ କତ୍ତୁରୁ, ତାଟିପେଟି, ମହାଦେଇପୁର, ନିଲାପୁର, ଜଙ୍ଗଲପାଡୁ, କତଲକଇଠା, ସରଦାପୁର, ଘୋରଣି ଆଦି ଗ୍ରାମର ଶହଶହ ଚାଷୀ କୃଷ୍ଣସାଗର ନିକଟରେ ପହଞ୍ଚି ଆନ୍ଦୋଳନ ଆରମ୍ଭ କରିଛନ୍ତି । ଆଜିର ଏହି କୃଷକ ସମାବେଶରେ ଗଜପତି ଜିଲ୍ଲାର ବରିଷ୍ଠ କୃଷକ ନେତା ଗଜପତି ରାଓ ସଭାପତିତ୍ୱ କରିଥିଲେ । ପାରଳା ସ୍ୱାଭିମାନ ମଞ୍ଚର ସଭାପତି ତଥା ହାଇଟେକ୍ ଅଧ୍ୟକ୍ଷ ଡଃ. ତିରିପତି ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶତାୟୁର କୃଷ୍ଣସାଗରକୁ ପୂନଃଉଦ୍ଧାର ପାଇଁ ଚାଷୀ, କୃଷକ ଏବଂ ସବୁସ୍ତରର ଲୋକେ ଏକତ୍ରିତ ଭାବେ ଆନ୍ଦୋଳନ କରିବାକୁ ପଡିବ ବୋଲି ଆହ୍ୱାନ ଦେଇଥିଲେ । ଏହି ଅଂଚଳର ଚାଷୀମାନଙ୍କ ଅଭିଯୋଗ ଅନୁଯାଇ ଡଃ. ପାଣିଗ୍ରାହୀ କହିଥିଲେ, ସୁପ୍ତ ଓ ଶୁଷ୍କ ଅବସ୍ଥାରେ ଗତ ୧୫ବର୍ଷ ଧରି କୃଷ୍ଣସାଗର ଜଳସେଚନ ପ୍ରକଳ୍ପ ଅଚଳ ହୋଇ ପଡିରହିଛି । ତଥାପି ପ୍ରତ୍ୟେକ ବର୍ଷ ଚାଷୀମାନଙ୍କ ଠାରୁ ଏହି ପ୍ରକଳ୍ପ ଦ୍ୱାରା ଜଳସେଚନ କରାଯାଉଥିବା ଦର୍ଶାଯାଇ ଚାଷୀ ଓ କୃଷକମାନଙ୍କ ଠାରୁ ସରକାରଙ୍କ ଦ୍ୱାରା ଟିକସ୍ ଆଦାୟ କରାଯାଉଛି । ବିନା ଜଳସେଚନରେ ଏଭଳି ଟିକସ୍ ଆଦାୟ କରିବା ଅସମ୍ବିଧାନକ ଅଟେ । ସରକାର ତଥା କ୍ଷୁଦ୍ର ଜଳସେଚନ ବିଭାଗ ଏଥିପ୍ରତି ତୁରନ୍ତ ସଜାଗ ହୋଇ କୃଷ୍ଣସାଗର ପ୍ରକଳ୍ପକୁ ପୁନଃଉଦ୍ଧାର କରନ୍ତୁ ବୋଲି ସେ ଦାବୀ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାରଳାର ପୁର୍ବତନ ବିଧାୟକ ବିଜୟ କୁମାର ଜେନା, ମହନ୍ତ ରାଧାଚରଣ ଦାସ, ମହନ୍ତ ରାମାନନ୍ଦ ଦାସ, କୃଷକ ନେତା ଜାମିନୀ ରାଓ, ଜେ.ନାଗେଶ୍ୱର ରାଓ, ବି.ରାଲା ରାଜୁ, ଏମ. କ୍ରିଷ୍ଣା ରାଓ ପ୍ରମୁଖଙ୍କ ସମେତ ସେହି ଅଂଚଳର ଶହ ଶହ ଚାଷୀ ଓ କୃଷକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ