ବିବାହ ସମୟରେ ଗଇଁଠାଳର ମହତ୍ତ୍ୱ

ସାଧାରଣତଃ ପରମ୍ପରା ଅନୁଯାୟୀ ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୀତିନୀତି ଅନୁଯାୟୀ ବାହାଘର ଭଳି ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରାଯାଇଥାଏ । କିନ୍ତୁ ନିୟମ ବା ପରମ୍ପରା ଯାହା ହେଉନା କାହିଁକି ଗଇଁଠାଳ ସବୁଠି ଆବଶ୍ୟକ ପଡ଼ିଥାଏ । ଏହା ବିନା ବିବାହ ଅସମ୍ପୂର୍ଣ୍ଣ ବୋଲି କୁହାଯାଏ । ଯେ ପର୍ଯ୍ୟନ୍ତ ବରକନ୍ୟାଙ୍କ ଉପରେ ଗଇଁଠାଳ ନ ପଡ଼ିଛି ସେ ପର୍ଯ୍ୟନ୍ତ ବାହାଘର ଅଧା ରହିଯାଇଥାଏ । ଏମିତିକି ଏହି ଗଇଁଠାଳ ଓଡ଼ିଆ ଘରେ ଅଷ୍ଟ ମଙ୍ଗୁଳା ପର୍ଯ୍ୟନ୍ତ କାମରେ ଲାଗିଥାଏ । ଏହି ଗଇଁଠାଳରେ ଯେଉଁ ଗଣ୍ଠିଟି ପଡ଼ିଥାଏ ସେଥିରେ ଟଙ୍କା, ଅରୁଆ ଚାଉଳ, ଫୁଲ, ଦୂବ, ହଳଦୀ ଆଦି ବନ୍ଧା ହୋଇଥାଏ । ବୟୋଜ୍ୟେଷ୍ଠମାନଙ୍କ କହିବା କଥା ହେଲା ଏହା ଦ୍ୱାରା ଘରର ଧନ, ମାନ ସମ୍ମାନ ସବୁଥିରେ ଉଭୟଙ୍କର ସମାନ ଅଧିକାର ରହିଛି । ବିଶେଷ କରି ବାହାଘର ପରେ ଉଭୟ ସ୍ତ୍ରୀ ଓ ସ୍ୱାମୀ ସମାନ ଭାବରେ ଅର୍ଥ ଖର୍ଚ୍ଚ କରିବା ଉଚିତ୍ । ଦୁଇ ଜଣଙ୍କ ସହମତିରେ ସବୁ କାର୍ଯ୍ୟ ସମ୍ପାଦନ କରିବା ଭଲ । ଏଥିରେ ଥିବା ଫୁଲର ଅର୍ଥ ଉଭୟ ପରସ୍ପରକୁ ଦେଖି ସର୍ବଦା ଖୁସି ରହିବେ । ହଳଦୀର ଅର୍ଥ ଦୁଇ ଜଣଙ୍କ ଭିତରେ ରୋଗବ୍ୟାଧି ଦେଖାଦେଲେ ଉଭୟ ପରସ୍ପରର ସେବା କରିବେ । ଦୂବର ଅର୍ଥ କେବେ ବି କେହି ନିରାଶ ବୋଧ କରିବେ ନାହିଁ । ଚାଉଳର ଅର୍ଥ ସମସ୍ତଙ୍କ ପ୍ରତି ସେବା ମନୋବୃତ୍ତି ରଖିବା ଓ ଘରେ କେବେ ଅନ୍ନର ଅଭାବ ନ ରହିବା । ଏଥିପାଇଁ ବାହାଘର ସମୟରେ ଗଇଁଠାଳର ମହତ୍ୱ ଅଧିକ ବୋଲି ବୟୋବୃଦ୍ଧମାନେ କହିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ