ରଥଯାତ୍ରା ନିଷ୍ପତ୍ତି ଅନିଶ୍ଚିତ

ଭୁବନେଶ୍ୱର: ଏବର୍ଷ ରଥଯାତ୍ରା ହେବ ତ ? ଏହାକୁ ନେଇ ଏବେ ଅନିଶ୍ଚିତତା ଲାଗି ରହିଛି । ଗୋଟିଏ ପଟେ ରଥଯାତ୍ରା ବନ୍ଦ ନକରିବାକୁ ଛତିଶା ନିଯୋଗ ପ୍ରସ୍ତାବ ଦେଇଛି । ଅପରପକ୍ଷରେ ଏନେଇ ଗଜପତି ମହାରାଜା କହିଛନ୍ତିଯେ, ଲକଡାଉନ ପାଇଁ ବାହାର ଯାତ୍ରା ସମ୍ଭବପର ନୁହେଁ । କେନ୍ଦ୍ର ସରକାର ଏଭଳି ଗାଇଡ଼ଲାଇନ କରିଛନ୍ତି । ତେଣୁ ମେ’ ୩ ପରେ ଲକଡାଉନ ହଟିବା ପରେ କେନ୍ଦ୍ର ସରକାର କି ନିଷ୍ପତି ନେବେ ତାହା ଉପରେ ହିଁ ସବୁକିଛି ନିର୍ଭର କରେ । ଅପରପକ୍ଷରେ ଆଜି ସଂଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କୁ ଗଜପତି ମହାରାଜ, ମୁଖ୍ୟ ପ୍ରଶାସକ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଭେଟିବେ । ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଆଧାରରେ ନିଷ୍ପତି ନିଆଯିବ ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ଲକଡାଉନ ଯୋଗୁଁ ପୁରୀରେ ବିଭିନ୍ନ ଯାନିଯାତ୍ରା ହୋଇପାରିନାହିଁ । ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ସାହି ଯାତ୍ରାକୁ ବନ୍ଦ କରିଦିଆଯାଇଥିବାବେଳେ କେବଳ ବିଧି ରକ୍ଷା ପାଇଁ ଶ୍ରୀରାମଲୀଳାର ପାରମ୍ପରିକ ନୀତି ନିରାଡ଼ମ୍ବରଭାବେ ସମ୍ପନ୍ନ ହୋଇଛି । ଆଉ କେଇଟା ଦିନ ପରେ ଚନ୍ଦନଯାତ୍ରା । ଅକ୍ଷୟ ତୃତୀୟାରୁ ରଥଯାତ୍ରାର ଅଦ୍ୟପର୍ବ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ରଥଯାତ୍ରା ପାଇଁ ପାରମ୍ପରିକ ପ୍ରସ୍ତୁତି ଚାଲିଥିଲେ ମଧ୍ୟ କରୋନା ସଂକ୍ରମଣ ସ୍ଥିତି ଦୃଷ୍ଟିରୁ ରଥଯାତ୍ରା ହେବ କି ନାହିଁ ଓ ଯଦି ହୁଏ ତେବେ ଭକ୍ତମାନଙ୍କୁ ସମାଗମ ପାଇଁ ଅନୁମତି ଦିଆଯିବ କି ନାହିଁ ସେଥିନେଇ ବିଭିନ୍ନ ମହଲରେ ନାନା ଆଶଙ୍କା ପ୍ରକାଶ ପାଇବା ସହ ଚର୍ଚ୍ଚା ହେଉଛି । କରୋନା ସ୍ଥିତି ନସୁଧୁରିଲେ କେବଳ ସେବାୟତ, ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ରଥଯାତ୍ରା ସମ୍ପନ୍ନ ହୋଇପାରେ ବୋଲି ମଧ୍ୟ କେତେକ ମହଲରେ ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ