ଅନ୍ତର୍ଜାତୀୟ କିଡ୍ନୀ ର୍ୟାକେଟ୍ ଅଭିଯୋଗରେ ପିଏସ୍ଆର୍ଆଇ ହସ୍ପିଟାଲ୍ ସିଇଓ ଗିରଫ
ନୂଆଦିଲ୍ଲୀ/କାନପୁର(ଏଜେନ୍ସି): ଅନ୍ତର୍ଜାତୀୟ କିଡ୍ନୀ ର୍ୟାକେଟ୍ରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉତ୍ତରପ୍ରଦେଶ ପୁଲିସ୍ ଦିଲ୍ଲୀର ପୁଷ୍ପାବତୀ ସିଂହାନିୟା ରିସର୍ଚ୍ଚ ଇନଷ୍ଟଚ୍ୟୁଟ୍ (ପିଏସ୍ଆର୍ଆଇ)ର ସିଇଓ ଡ. ଦୀପକ ଶୁକ୍ଲାଙ୍କୁ ଗିରଫ କରିଛି । ପୁଲିସ୍ ପ୍ରଥମେ ତାଙ୍କୁ ହେପାଜତ୍କୁ ନେବା ପରେ କାନପୁର ଆଣିଥିଲା । ତେବେ ଜେରା ସମୟରେ ଦୀପକ ଶୁକ୍ଲା ମାନବ ଅଙ୍ଗ ବିକ୍ରି ର୍ୟାକେଟ୍ରେ ସମ୍ପୃକ୍ତ ଥିବା ସ୍ୱୀକାର କରିଛନ୍ତି ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି । ଏହି ଅନ୍ତର୍ଜାତୀୟ କିଡ୍ନୀ ର୍ୟାକେଟ୍ର ପର୍ଦ୍ଦାଫାସ ଫେବୃଆରୀ ମାସରେ ହୋଇଥିଲା । ଏଥିରେ ଏପର୍ଯ୍ୟନ୍ତ ର୍ୟାକେଟର ମୁଖ୍ୟ ଅଭିଯୁକ୍ତ ଗୌରବ ମିଶ୍ରାଙ୍କ ସମେତ ୧ଠଜଣଙ୍କୁ ଗିରଫ କରାଯାଇସାରିଛ । କାନ୍ପୁର ଏସ୍ପି ରାଜେଶ ଯାଦବ କହିଛନ୍ତି, ପିଏସ୍ଆରଆଇରେ ବେଆଇନ ଭାବେ କିଡ଼୍ନୀ ପ୍ରତ୍ୟାରୋପଣ କରାଯାଉଥିବାର ପ୍ରମାଣ ମିଳିଥିଲା । ଦଲାଲଙ୍କ ଜରିଆରେ ଏହି ହସ୍ପିଟାଲକୁ ଗରିବ ଲୋକଙ୍କୁ ଅଣାଯାଉଥିଲା ଓ ନକଲି ପାଥୋଲୋଜି ରିପୋର୍ଟରେ କାଗଜପତ୍ର ପ୍ରସ୍ତୁତ କରାଯାଉଥିଲା । ଏହି କିଡ଼ନୀ ର୍ୟାକେଟ୍ର ନେଟୱାର୍କ ଶ୍ରୀଲଙ୍କା ଓ ତୁର୍କୀ ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡିଛି । ଜେରା ସମୟରେ ଦୀପକ ଶୁକ୍ଳା ଦିଲ୍ଲୀର ବଡ଼ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡ. ଟି ରାଜକୁମାର ଏବଂ ଗୌରବ ମିଶ୍ରାଙ୍କ ଭଳି କେତେକ ଡାକ୍ତର ଏହି ର୍ୟାକେଟ୍ରେ ସାମିଲ ଥିବା କହିଥିଲେ ।