ଲକଡାଉନରେ ଅବକାରୀ ବିଭାଗର ଜନୈକ ଅଧିକାରୀ ମାଲାମାଲ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କୋଭିଡ -୧୯ ଯୋଗୁଁ ପ୍ରାୟ ଏକମାସରୁ ଉର୍ଦ୍ଧ୍ୱ ହେବ ସାରା ରାଜ୍ୟ ସମେତ କେନ୍ଦ୍ରାପଡା ଜିଲ୍ଲା ଲକଡାଉନ ଥିବା ସମୟରେ ଜନୈକ ଅବକାରୀ ବିଭାଗର ଅଧିକାରୀ ଜଣକ କିନ୍ତୁ ମାଲାମାଲ ହେବାରେ ଲାଗିଛନ୍ତି । ଏହି ନିକଟ ଅତୀତରେ ସହରର ଜନୈକ ବିଦେଶୀ ମଦ ଦୋକାନ ସିଲ ଥାଇ ସେହି ଦୋକାନରୁ ବ୍ୟାପକ ଚୋରାରେ ମଦ ବିକ୍ରୀ ହେଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ପ୍ରଶାସନ ପକ୍ଷରୁ ସଂପୃକ୍ତ ମଦ ଦୋକାନକୁ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଂଚ କରିବାକୁ ଅବକାରୀ ବିଭାଗକୁ ନିର୍ଦେଶ ପ୍ରଦାନ କରାଯାଇଥିଲା । ସେହି ନିର୍ଦେଶ ଅନୁଯାଇ ସେହି ମଦ ଦୋକାନର ପଟ୍ଟାଦର ଜଣକ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଦ ଦୋକାନର ସିଲ ଭାଙ୍ଗି ଭିତରକୁ ପଶିଥିଲେ । ସେତେବେଳେ ଅବକାରୀ ବିଭାଗର କୈାଣସି ଅଧିକାରୀ ସେଠାରେ ଉପସ୍ଥିତ ନଥିଲେ । ମ୍ୟାଜିଷ୍ଟ୍ରେଟ ଜଣକ ଅବକାରୀ ବିଭାଗର ଅଧିକାରୀଙ୍କୁ ଅପେକ୍ଷା କରିବାକୁ କହିବାରେ ପଟ୍ଟାଦାର ଜଣଙ୍କ କହିଥିଲେ ଦେଖନ୍ତୁ ସାର ରେଜିଷ୍ଟରଟି ମୋ ପାଖକୁ ପଠାଇ କହିଛନ୍ତି ତମେ ଦୋକାନ ଖୋଲି ହିସାବ ମିଳାଅ ବୋଲି । ସଂପୃକ୍ତ ଅବକାରୀ ବିଭାଗର ଅଧିକାରୀ ଜଣଙ୍କ ପ୍ରାୟ ଅଧ ଘଂଟା ପରେ ସେଠାରେ ପହଁଚି ଦୋକାନ ଭିତରକୁ ଏକା ଯାଇ କିଛି ସମୟ ପରେ ବାହାରକୁ ଆସି ମ୍ୟାଜିଷ୍ଟ୍ରେଟ ଜଣଙ୍କୁ କେବଳ ଭିତରକୁ ଡାକିନେଇଥିଲେ । କିଛି ସମୟ ବ୍ୟବଧାନରେ ଭିତରେ ହିସାବ କିତାବ ସାରି ସେମାନେ ବାହାରକୁ ଚାଲିଆସି ଥିଲେ । ସବୁ ଠିକ ଥିବାର କହିଦେଇ ସେଠାରୁ ଚାଲିଯାଇଥିଲେ ସମସ୍ତେ । ସେହି ମଦ ଦୋକାନଟିରୁ ଚୋରାରେ ମଦ ବିକ୍ରୀ ହେଉଥିବା ଘଟଣାର ସତ୍ୟତା ଥିଲେବି ସଂପୃକ୍ତ ଅବକାରୀ ବିଭାଗର ଅଧିକାରୀ ଜଣକ କିଭଳି ଦୋକାନ ଯାଂଚ ହେବା ପୂର୍ବରୁ ଷ୍ଟକ ରେଜିଷ୍ଟର ପଟ୍ଟାଦାରଙ୍କୁ ଦେଇଦେଲେ ଓ ଅବକାରୀ ବିଭାଗର କୈାଣସି ଅଧିକାରୀ ସେଠାରେ ଅନୁପସ୍ଥିତ ଥିବା ବେଳେ ପଟ୍ଟାଦାର ଜଣକ ଦୋକାନ ସିଲ ଭାଙ୍ଗି ଭିତରକୁ ଗଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେତେକ ଗଣମାଧ୍ୟମର ପ୍ରତିନିଧି ଏସମ୍ପର୍କରେ ସଂପୃକ୍ତ ଅବକାରୀ ବିଭାଗର ଅଧିକାରୀଙ୍କୁ ସନ୍ଧ୍ୟାରେ ପଚାରିବାରେ ସେ କହିଥିଲେ ଯେ ଏପର୍ଯ୍ୟନ୍ତ ଷ୍ଟକ ଗଣା ଚାଲିଛି କିନ୍ତୁ ସବୁ ଠିକ ଅଛି । ସଂପୃକ୍ତ ଅଧିକାରୀ ଜଣକ କୋଭିଡ -୧୯ ଲକଡାଉନ ସମୟରେ ଏଭଳି କାରାନାମା କରି ମାଲାମାଲ ହେଉଥିବାର ଅନେକ ଅଭିଯୋଗ ରହିଛି । ଏଭଳି ଅଧିକାରୀଙ୍କ ଯୋଗୁଁ ଜିଲ୍ଲାରେ ଚୋରାମଦ ବେପାର ବଢି ବଢି ଚାଲିଥିବା ଅଭିଯୋଗ ହେଉଛି । ଘଟଣାର ସବିଶେଷ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି ।


