ଆସାମରେ ଘୁଷୁରି ମଡ଼କ

ନୂଆଦିଲ୍ଲୀ:ସାରା ଦେଶ ଏବେ କରୋନା ମହାମାରୀକୁ କିଭଳି ପ୍ରତିହତ କରାଯିବ ସେଥିପାଇଁ ଯୋଜନା ଚାଲିଛି । କରୋନା ଭୂତାଣୁ ଚିହ୍ନଟ ଓ ଏଥିପାଇଁ ଚିକିତ୍ସା ଯୋଗାଇ ଦେବା ସରକାରଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । ତେବେ ଏକ ରହସ୍ୟମୟ ତଥା ଅଜଣା ଭୂତାଣୁ ଆସାମ ସରକାରଙ୍କ ନିଦ ହଜାଇ ଦେଇଛି । ଏହି ରହସ୍ୟମୟୀ ଭୂତାଣୁ ସଂକ୍ରମଣରେ ହଜାର ହଜାର ଘୁଷୁରିଙ୍କ ମୃତ୍ୟୁ ହୋଇଛି । ଆସାମର ୬ ଜିଲ୍ଲା ଏହି ରହସ୍ୟମୟୀ ଭୂତାଣୁ କବଳରେ ରହିଛି । ଶନିବାର ଘୁଷୁରି ମାଂସ କିଣିବାକୁ ରାଜ୍ୟ ସରକାର ନିଷେଧ ଘୋଷଣା କରିଛନ୍ତି । କୃଷି ମନ୍ତ୍ରୀ ଅତୁଲ ବୋରା କହିଛନ୍ତି ଯେ ଆସାମରେ ଘୁଷୁରୀ ଓ ମାଂସ କିଣିବା ନେଇ ନିଷିଦ୍ଧ କରାଯାଇଛି । ଘୁଷୁରିସବୁ ଅଜଣା ଭୂତାଣୁ ସଂକ୍ରମଣ ଦ୍ୱାରା ମରିବା ସୂଚନା ମିଳିବା ପରେ ପ୍ରଭାବିତ ଅଞ୍ଚଳକୁ ଏକ ଡାକ୍ତରୀ ଦଳ ପଠାଯାଇଛି ଓ ମୃତ ଘୁଷୁରୀଙ୍କ ନମୁନା ସଂଗ୍ରହ କରାଯାଇଛି । ନର୍ଥ ଇଷ୍ଟନ ରିଜିଓନାଲ ଡିଜିଜ ଡାଇଗ୍ନୋଷ୍ଟିକ ଲାବୋରୋଟରୀ ଓ ବାୟୋସେଫ୍ଟି ଲେବଲ-୩ ଲାବରୋଟୋରୀରେ ଘୁଷୁରୀଙ୍କ ନମୁନା ପରୀକ୍ଷଣ ହୋଇଛି । ଏଥିରେ ମିଳିଥିବା ରିପୋର୍ଟରେ ଘୁଷୁରିଙ୍କ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କୃଷିମନ୍ତ୍ରୀଙ୍କ କହିବା ଅନୁସାରେ ସମସ୍ତ ନମୁନା ଏବେ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହାଇ ସିକ୍ୟୁରିଟି ଆନିମଲ ଡିଜିଜ ଭୋପାଳରେ ପଠଯାଇଛି । ଭୋପାଳରୁ ରିପୋର୍ଟ ଆସିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ । ରୋଗ ଯେପରି ଅଧିକ ନ ବ୍ୟାପିବ ସେଥିପାଇଁ ୬ଟି ଜିଲ୍ଲାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି, ଯେଉଁଠାରେ ଘୁଷୁରି ମରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ