ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ନିକଟତର, ବିଶ୍ବରେ ୨.୦୮ ଲକ୍ଷ ମୃତ
ୱାଶିଂଟନ୍: ବିଶ୍ବରେ ମଙ୍ଗଳବାର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ଲକ୍ଷ ୭୯ ହଜାର ୯୯୯ ଟପିଥିବା ବେଳେ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୧୨ ହଜାର ୨୬୫ରେ ପହଞ୍ଚିଯାଇଛି। ବିଶ୍ବର ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଆମେରିକାରେ ତିନି ଭାଗରୁ ଭାଗେ ଆକ୍ରାନ୍ତ ରହିଛି। ଆମେରିକାରେ ସୋମବାର ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି। ଅର୍ଥାତ୍ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଆମେରିକାରେ ୧୦ ଲକ୍ଷ ୧୦ ହଜାର ୫୦୭ ଜଣ ଆକ୍ରାନ୍ତ ହୋଇସାରିଥିବା ବେଳେ ଏଠାରେ ୫୬ ହଜାର ୮୦୩ ଜଣ ମୃତ୍ୟୁବରଣ କରିସାରିଛନ୍ତି। ସେହିପରି ୟୁରୋପୀୟ ଦେଶ ମଧ୍ୟରେ ସବୁଠାରୁ ଆଗରେ ଥିବା ସ୍ପେନରେ ବିଶ୍ବର ଦ୍ବିତୀୟ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି। ଏହି ଦେଶରେ ମଙ୍ଗଳବାର ସୁଦ୍ଧା ୨ ଲକ୍ଷ ୩୨ ହଜାର ୧୨୮ ଜଣ ଆକ୍ରାନ୍ତ ହୋଇସାରିଛନ୍ତି। ଏହା ବ୍ୟତୀତ ଦେଶରେ ୨୩ ହଜାର ୮୨୨ ଜଣ କୋରୋନା ଭୂତାଣୁ ସଂକ୍ରମଣରେ ପ୍ରାଣ ହରାଇଛନ୍ତି। ସେହିପରି କୋରୋନାଜନିତ ମୃତ୍ୟୁସଂଖ୍ୟାରେ ଦ୍ବିତୀୟ ସ୍ଥାନରେ ଥିବା ଇଟାଲୀରେ ମଙ୍ଗଳବାର ସୁଦ୍ଧା ୨୬ ହଜାର ୯୭୭ ଜଣ ମୃତ୍ୟୁବରଣ କରିସାରିଥିବା ବେଳେ ୧୯୯,୪୧୪ ଜଣ ଆକ୍ରାନ୍ତ ହୋଇସାରିଛନ୍ତି।


