୫ତାରିଖସୁଦ୍ଧା ୧୦୫୦ଜଣ ପ୍ରବାସୀ ଓଡିଆ କେନ୍ଦ୍ରାପଡାରେ ପହଁଚିଛନ୍ତି
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ଭାରତର ବିଭିନ୍ନ ରାଜ୍ୟରୁ ୧୦୫୦ ଜଣ ପ୍ରବାସୀ ଓଡିଆ ବସ ଯୋଗେ କେନ୍ଦ୍ରାପଡାରେ ପହଁଚିଥିବା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଗତ ୩ତାରିଖରେ କେରଳ ରାଜ୍ୟରୁ ରେଳ ଯୋଗେ ଖୋର୍ଦ୍ଦା ରୋଡ ରେଳ ଷ୍ଟେସନ ଏବଂ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ରେଳ ଷ୍ଟେସନରେ ପହଁଚିଥିବା କେନ୍ଦ୍ରାପଡା ଜିଲ୍ଲାର ୩୫୦ ଜଣ ପ୍ରବାସୀ ଓଡିଆଙ୍କୁ ଜିଲ୍ଲା ପ୍ରଶାସନ ୭ଟି ବସରେ କେନ୍ଦ୍ରାପଡା ଜିଲ୍ଲାକୁ ଆଣି କେନ୍ଦ୍ରାପଡା କଲେଜରେ ପ୍ରସ୍ତୁତ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରଖିଥିଲା । ପରେ ସେମାନଙ୍କୁ ଚାରିଚକିଆ ଯାନରେ ସେମାନଙ୍କ ବ୍ଲକର ବିଭିନ୍ନ ପଂଚାୟତରେ ହୋଇଥିବା ଅସ୍ଥାଇ କୋଭିଡ -୧୯ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଥିଲା । ସେହିପରି ଗୁଜୁରାଟ ରାଜ୍ୟର ସୁରତରୁ ୫ଟି ବସରେ ଏବଂ କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୋରରୁ ପ୍ରାୟ ୪ଟି ବସରେ ମଧ୍ୟ ପ୍ରବାସୀ ଶ୍ରମିକମାନଙ୍କୁ ବସ ଯୋଗେ ଜିଲ୍ଲାକୁ ଅଣାଯାଇ ପ୍ରଥମେ କେନ୍ଦ୍ରାପଡା କଲେଜସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ପରେ ସେମାନଙ୍କ ବ୍ଲକ ଅର୍ନ୍ତଗତ ପଂଚାୟତର ସଙ୍ଗରୋଧ କେନ୍ଦ୍ର ଗୁଡିକୁ ପଠାଇ ଦିଆଯାଇଛି । ଗତ ସୋମବାର ଠାରୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଜିଲ୍ଲାକୁ ଆସିଥିବା ୫୭୧ଜଣ ପ୍ରବାସୀ ଓଡିଆଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୫୫ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ଏକଶହଜଣ, ମହାକାଳପଡା ବ୍ଲକର ୧୪୮ଜଣ, ମାର୍ଶାଘାଇ ବ୍ଲକର ୬୫, ରାଜନଗର ବ୍ଲକର ୧୦୮, ରାଜକନିକା ବ୍ଲକର ୩୪, ଆଳି ବ୍ଲକର ୧୪, ଡେରାବିଶି ବ୍ଲକର ୩୨ ଓ ଗରଦପୁର ବ୍ଲକର ୧୫ ଜଣ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡିଆମାନଙ୍କୁ ଏଠାରେ ରିସିଭ କରିବା ପାଇଁ ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଅପରେସନ ଅଧିକାରୀ ଭାବେ ଦାୟୀତ୍ୱ ନିର୍ବାହ କରୁଛନ୍ତି । ସହକାରୀ ଜିଲ୍ଲାପାଳ ବିକ୍ରମ କେଶରୀ ପରିଡା ଏଥିରେ ଉପଜିଲ୍ଲାପାଳଙ୍କୁ ସହାୟତା ପ୍ରଦାନ କରୁଛନ୍ତି ।


