ଲକ ଡାଉନର ପ୍ରଭାବ:ଉପାନ୍ତ ଅଞ୍ଚଳର ଅଲୋଡ଼ା ଚିତ୍ର : ଘର ଚୂଲିରେ ଆଗ ମଦ, ପରେ ଭାତ :,ବିକ୍ରି ହେଉଛି କିପରି?
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା କଟକଣା ପାଇଁ ବିଦେଶୀମଦ ଦୋକାନ ବନ୍ଦ। ଏଥିପାଇଁ ଅଭ୍ୟାସଗତ ମଦ୍ୟପଙ୍କୁ ହନ୍ତସନ୍ତ ହେବାକୁ ପଡୁଛି। କିଏ ଦୁଇଗୁଣା ଦାମ ଦେଇ କିଣୁଛି ତ ଆଉ କିଏ ୩୦ରୁ ୪୦ କିଲୋମିଟର ଦୂରକୁ ଯାଇ ଚୋରା ମଦ କିଣୁଛି। ହେଲେ ବିଦେଶୀ ମଦ ଦୋକାନ ତ ବନ୍ଦ ଅଛି, ଆସୁଛି କୁଆଡ଼ୁ ବିକ୍ରି ହେଉଛି କିପରି? ବର୍ତ୍ତମାନ ତାହା ସମସ୍ତ ଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି l ହେଲେ ଏ ସବୁ କ୍ଷେତ୍ରରେ ସାମାଜିକ ଦୂରତା ରହୁନଥିବା ଦେଖିବାକୁ ମିଳୁଛି l ଅନ୍ୟ ପକ୍ଷରେ ଉପାନ୍ତ ଅଞ୍ଚଳରେ କିନ୍ତୁ ଏହାର ଚିତ୍ର ଟିକେ ଅଲଗା। ଏଠି ଘର ଚୂଲିରେ ଆଗ ମଦ ରନ୍ଧା ଏବଂ ପରେ ଅନ୍ୟ ଯାହା। ଯେଉଁଘରର ମୁଖିଆ ମଦ୍ୟପ, ସେମାନଙ୍କ ରୋଷେଇ ଘରେ ମଦ ରନ୍ଧା ସରିଲା ପରେ ଭାତ ତରକାରୀ ପାଇଁ ଯୋଜନା ହେଉଛି। କନ୍ଧମାଳ ଜିଲ୍ଲାର ପ୍ରାୟ ସମସ୍ତ ବଣପାହାଡ଼ ଘେରା ଉପାନ୍ତ ଅଞ୍ଚଳରେ ଦେଶୀ ମହୁଲି ମଦ୍ୟପଙ୍କ ସଂଖ୍ୟା ଅଧିକ। ଏଥିପାଇଁ ଘରେ ଘରେ ଭରପୂର କଞ୍ଚାମାଲ ଗଚ୍ଛିତ ରହିବା ସହ ମଦ ରନ୍ଧା ସରଞ୍ଜାମ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ଏଠାରେ ଅଧିକାଂଶ ପରିବାର ପ୍ରଚୁର ପରିମାଣର ମହୁଲ ଫୁଲ, ବାଖର (ରାନୋ ଗଛର ଚେର ଓ ଅରୁଆ ଚାଉଳ ଗୁଣ୍ଡ ମିଶ୍ରିତ ବାଟି ଆକୃତି ସ୍ବତନ୍ତ୍ର କଠିନ ଗୋଲକ), ଚାଉଳ, ଗୁଡ଼, ୟୁରିଆ ସାର ଇତ୍ୟାଦି ପର୍ଯ୍ୟାପ୍ତ ପରିମାଣର ଯୋଗାଡ଼ କରି ରଖିଛନ୍ତି। ଏହି ଉପାୟରେ ମଦ୍ୟପ ଶ୍ରେଣୀଭୁକ୍ତ ବ୍ୟକ୍ତି ଓ ମାଫିଆମାନେ ବିକଳ୍ପ ବ୍ୟବସ୍ଥାରେ ନିଜ ନିଜ ଇଛାକୁ ଚରିତାର୍ଥ କରିପାରୁଥିବା ଦେଖିବାକୁ ମିଳିଛି। ଏପରିକି ଜନତା କର୍ଫ୍ୟୁ, ଲକ୍ଡାଉନ୍, ସଟ୍ଡାଉନ୍ ଭଳି କଟକଣା ସେମାନଙ୍କ ରଣନୀତି ଆଗେ ହାର୍ ମାନିଛି। ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଅଭ୍ୟାସଗତ ମଦ୍ୟପଟିଏ ନିଶା ପାଇଁ ଆଉ ଦୂରରେ ଥିବା ଭାଟି କିମ୍ବା ଚୋରା ମଦ ଦୋକାନ ପର୍ଯ୍ୟନ୍ତ ଯାଉନି। ମଦ ପ୍ରସ୍ତୁତି କ୍ଷେତ୍ରରେ ସେ ସ୍ବାବଲମ୍ବୀ ହୋଇପାରିଛି। ନିଜ ଘରେ ନିୟମିତ ମଦ ରାନ୍ଧି ସେ ଆବଶ୍ୟକତା ମେଣ୍ଟାଇ ପାରୁଛି। ଏହି ଇଲାକାରେ ତିନିଟି ଉପାୟରେ ତିନି ପ୍ରକାର ଦେଶୀ ମଦ(ମହୁଲି, ଚାଉଳି ଓ ରନ୍ଧା ମଦ) ଅନାୟାସରେ ପ୍ରସ୍ତୁତ ହୋଇପାରୁଛି। ଅନ୍ୟପକ୍ଷରେ ଉପାନ୍ତ ଇଲାକାର ଭୌଗୋଳିକ ପରିବେଶ,ଅଗଭୀର ଚିରସ୍ରୋତା ବିଭିନ୍ନ ନାଳ ଅବବାହିକାରେ ଲମ୍ବିଥିବା ମହୁଲ ବଣ ସ୍ଥାନୀୟ ମଦ୍ୟପ ଓ ଚୋରା ଦେଶୀ ମଦ ବେପାରୀଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହୋଇଆସିଛି। ବାଲିଗୁଡା ତଥା ଆଖପାଖ ପଞ୍ଚାୟତ ଅଞ୍ଚଳର ଛୋଟଛୋଟ ନାଳ ଓ ନଦୀର କୂଳେକୂଳେ ଏବଂ ଘଞ୍ଚ ଜଙ୍ଗଲ ମଧ୍ୟରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭାଟି ଲାଗି ରହୁଛି।ଏତଦ ବ୍ୟତୀତ ମଦ ପ୍ରସ୍ତୁତ କରୁଥିବା ବ୍ୟକ୍ତିଙ୍କ ଘର ନିକଟରେ ଏକ ଗୋଦାମ ଘରେ ବସ୍ତା ବସ୍ତା ମହୁଲ, ଗୁଡ଼, ଡ୍ରମ୍, ହାଣ୍ଡି ସବୁ ଥାକ ମରା ହୋଇଥାଉଛି । ଜିଲ୍ଲାର କେତେକ ଗ୍ରାମାଞ୍ଚଳରେ ବିହାରୀ ମଦ ରନ୍ଧାଳି ମାନେ ମଧ୍ୟ କାମ କରୁଛନ୍ତି । ଆଖପାଖ ଗାଁର ଶ୍ରମିକମାନେ ମଧ୍ୟ ନିୟମିତ କାର୍ଯ୍ୟ କରୁଥିବାର ନଜିର ରହିଛି । ପରବର୍ତ୍ତୀ ସମୟରେ ସ୍ଥାନୀୟ ଶ୍ରମିକମାନେ ମଦ ରନ୍ଧା କୌଶଳ ଶିଖି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ବି ସକ୍ରିୟ ରହିଛନ୍ତି। ସେମାନଙ୍କଠୁ ତିନିପିଢ଼ିର ଚେଲା ସୃଷ୍ଟି ହେଲେଣି। ପାତନ ପ୍ରଣାଳୀରେ ମଦ ରନ୍ଧା କୌଶଳ ଘରେ ଘରେ ଉପଯୋଗ ହେଉଥିବା ଦେଖିବାକୁ ମିଳିଛି। ହେଲେ ଏ ସମସ୍ତ ବିଷୟ ଅବକାରୀ ବିଭାଗ ଅବଗତ ଥିଲେ ମଧ୍ୟ ଲୋକ ଦେଖାଣିଆକୁ ଚଢ଼ାଉ ହେଉଛି, ସତକଥା କିନ୍ତୁ ଚଢ଼ାଉ ପୂର୍ବରୁ ବିଭାଗ ତରଫରୁ ଚୋରା ମଦ ବେପାରୀଙ୍କ ନିକଟରେ ଖବର ପହଂଚି ଥାଉଛି l ତେବେ, ସରକାର ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମଞ୍ଚ ଦାବି କରିଛି।


